ଜେଲରୁ ମୁକୁଳିବେ ସିସୋର ଚିଟଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାଶ : ହାଇକୋର୍ଟରୁ ମିଳିଲା ଜାମିନ

40

 କନକ ବ୍ୟୁରୋ : ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ସି-ସୋର ଗ୍ରୁପ୍ ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଛି ଜାମିନ । ପ୍ରଶାନ୍ତଙ୍କୁ ସର୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । କୋର୍ଟରେ ପାସପୋର୍ଟ ଦାଖଲ କରିବା ସହ ବାହାରକୁ ଯିବା ଉପରେ କଟକଣା ଲଗାଇଛନ୍ତି ହାଇକୋର୍ଟ । ସି-ସୋର ଚିଟଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ପ୍ରଶାନ୍ତ ଦାଶଙ୍କୁ ୨୦୧୩ ଜୁନ୍ ୧୯ରେ କ୍ରାଇମବ୍ରାଞ୍ଚ ମୁ୍ମ୍ବାଇରୁ ଗିରଫ କରିଥିଲା । ୨୦୧୩ରୁ ଗିରଫ ହୋଇଥିବା ପ୍ରଶାନ୍ତ ଦାଶ ୪ ବର୍ଷ ହେବ ଜେଲରେ ଅଛନ୍ତି ।

ସର୍ତମୂଳକ ଜାମିନ୍ ଅନୁଯାୟୀ ପ୍ରଶାନ୍ତ ଯଦି ରାଜ୍ୟ ବାହାରକୁ ଯିବେ ତେବେ ତଦନ୍ତକାରୀ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ଆଜି ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଥିବା ବେଳେ ଏହି ଚିଟଫଣ୍ଡ ମାମଲାର ଅନ୍ୟତମ ପୁରୋଧା ତଥା ତାଙ୍କ ଭାଇ ପ୍ରଭାତ ଦାଶ ପୂର୍ବରୁ ସୁପ୍ରିମକୋର୍ଟରୁ ଜାମିନ ପାଇସାରିଛନ୍ତିା

ପୂର୍ବରୁ ସି-ସୋର ଚିଟଫଣ୍ଡ ମହାଠକେଇକୁ ନେଇ ପୂରା ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା । କାରଣ ଶାସକ ଦଳର କିଛି ନେତା ଓ ମନ୍ତ୍ରୀଙ୍କ ନାଁ ଏହି ଚିଟଫଣ୍ଡ ମହାଠକେଇରେ ସାମ୍ନାକୁ ଆସିଥିଲା । ଏପରିକି କମ୍ପାନୀର ଏକ କାର୍ଯ୍ୟକ୍ରମରେ ମାଲିକ ପ୍ରଶାନ୍ତ ଦାଶଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ୟାରୀମୋହନ ମହାପାତ୍ରଙ୍କ ପରି ବଡବଡ ନେତା । ଏହି ଚିଟଫଣ୍ଡ ମାମଲା ସାମ୍ନାକୁ ଆସିବା ପରେ ରାଜରାସ୍ତାରୁୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଠି ସରକାରଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା ।

ଏହି ମାମଲାର ତଦନ୍ତ ଆରମ୍ଭ ହେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ମାଛ ସିବିଆଇ ଜାଲରେ ପଡ଼ିଥିଲେ । ଲାଗୁଥିଲା ଖୁବଶୀଘ୍ର ଏହି ମାମଲାର ତଦନ୍ତ ଶେଷ ହେବ । କିନ୍ତୁ ୨୦୧୪ ସାଧାରଣ ନିର୍ବାଚନ ପରେ ସିବିଆଇ ତଦନ୍ତରେ ଶିଥିଳତା ଦେଖା ଦେଇଥିଲା । ତଦନ୍ତରେ ଯେପରି ଏକରକମର ତାଲା ପଡ଼ିଯାଇଥିଲା । କିନ୍ତୁ ଏବେ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିବା ପରେ ଜମାକାରୀଙ୍କ ଗାଲରେ ଲାଗିଛି ଶକ୍ତ ଚାପୁଡ଼ା ।

ଜେଲରୁ ବେଲ୍ ପର୍ଯ୍ୟନ୍ତ ପ୍ରଶାନ୍ତ ଦାଶଙ୍କ ପୂରା ଯାତ୍ରା:
ସିସୋର ଚିଟଫଣ୍ଡ ମାଲିକ ପ୍ରଶାନ୍ତ ଦାଶ । ଅଧିକ ଲାଭର ଲୋଭ ଦେଖାଇ ରାଜ୍ୟରେ ପ୍ରାୟ ୧ଲକ୍ଷ ୫୦ ହଜାର ଜମାକାରୀଙ୍କ ୧୭୦୦କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଆସିବା ପରେ ୨୦୧୩ ଜୁନ୍ ୧୯ରେ ତାଙ୍କୁ କ୍ରାଇମବ୍ରାଞ୍ଚ ମୁମ୍ବାଇରୁ ଗିରଫ କରିଥିଲା । ଜମାକରୀଙ୍କ ପଇସାରେ ଅୟସ ଆରାମ କରୁଥିଲେ ପ୍ରଶାନ୍ତ । ଚିଟଫଣ୍ଡ ଟଙ୍କାକୁ ସେ ତାଙ୍କ ଅନ୍ୟ ବ୍ୟବସାୟରେ ନିବେଶ କରିଥିଲେ । ଖାଲି ଏତିକିରେ ତାଙ୍କ କଳାକାରାନାମା ସରିନଥିଲା, ନେତା, ମନ୍ତ୍ରୀ ଓ ସରକାରୀ ଅଫିସରକୁ ଖୁସ୍ କରିବାକୁ ଜମାକାରୀଙ୍କ ଟଙ୍କାକୁ ପାଣି ପରି ଖର୍ଚ୍ଚ କରୁଥିଲେ । ପରେ ତାଙ୍କ ନାଁରେ ଚିଟଫଣ୍ଡ ଠକେଇ ଆସିବା ପରେ ୨୦୧୩ରେ କ୍ରାଇମବ୍ରାଞ୍ଚ ପ୍ରଶାନ୍ତଙ୍କୁ ମୁମ୍ବାଇରୁ ଗିରଫ କରିଥିଲା ।ଏହାପରେ ୪ ବର୍ଷ ଧରି ଜେଲରେ ରହିସାରିଲେଣି ଚିଟଫଣ୍ଡ ଖଳନାୟକ । ତେବେ ହାଇକୋର୍ଟରୁ ଆଜି ତାଙ୍କୁ ସର୍ତମୂଳକ ଜାମିନ ମିଳିଛି ।