୨୮ କିଲୋ ଓଜନ କମାଇଲେ ଆମିର୍ ! ନୂଆ ଲୁକ୍ ଇଣ୍ଟରନେଟରେ ଭାଇରାଲ୍

81

ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ପ୍ରସିଦ୍ଧ ଅଭିନେତା ଆମିର୍ ଖାନଙ୍କର ଫିଲ୍ମ ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ସଂପର୍କରେ ସମସ୍ତେ ଜାଣନ୍ତି । ଆମିର୍ ଯେତେବେଳେ ଯେଉଁ ଚରିତ୍ର କରୁଥାନ୍ତି ତାକୁ ସଂପୂର୍ଣ୍ଣ ନିଖୁଣତାର ସହ ଫୁଟାଇବାକୁ ପ୍ରୟାସ କରିଥାନ୍ତି । ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘ଦଙ୍ଗଲ’ ରେ ସେ ୨୦-୨୫ କିଲୋ ଓଜନ ବଢାଇଥିଲେ । କୁସ୍ତି ଯୋଦ୍ଧା ମହାବୀର ସିଂହ ଫୋଗଟଙ୍କ ଚରିତ୍ରକୁ ପରଦାରେ ରୂପାୟନ କରିବା ଉଦ୍ଦେଶ୍ୟରେ ତାଙ୍କର ଓଜନ ୯୮ କିଲୋ ହୋଇଯାଇଥିଲା । ଏହା ତାଙ୍କ ପାଇଁ ଖୁବ୍ କଷ୍ଟକର ସମୟ ବି ଥିଲା । କାରଣ ଓଜନ ଏତେ ବେଶୀ ବଢିଯାଇଥିବାରୁ ସେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିଲେ ।

ବର୍ତ୍ତମାନ ଆଗାମୀ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ପାଇଁ ଆମିର୍ ଓଜନକୁ ପ୍ରାୟ ୨୮ କିଲୋ କମାଇଛନ୍ତି । ଏବେ ତାଙ୍କର ଓଜନ ୭୦ କିଲୋରୁ କମ୍ ହେବ ବୋଲି କୁହାଯାଇଛି । ଗତ ୬ ମାସ ହେଲା ଜିମରେ କଠିନ ପରିଶ୍ରମ କରିବା ପରେ ସେ ଏପରି ସଫଳତା ପାଇଛନ୍ତି । ତାଙ୍କର ଏହି ନୂଆ ଲୁକ୍ ଇଣ୍ଟରନେଟରେ ଏବେ ବେଶ୍ ଭାଇରାଲ୍ ମଧ୍ୟ ହୋଇଛି । ସୂଚନା ଅନୁସାରେ , ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ଆମିରଙ୍କ ସହିତ ସୁପରଷ୍ଟାର୍ ଅମିତାଭ ବଚ୍ଚନ ଏବଂ ଫାତିମା ସନା ଶେଖଙ୍କୁ ଦେଖିବାକୁ ମିଳିବ । ଫାତିମା ଏହା ପୂର୍ବରୁ ‘ଦଙ୍ଗଲ’ରେ ଆମିରଙ୍କ ଝିଅ ଭୂମିକାରେ ଅଭିନୟ କରିସାରିଛନ୍ତି ।