ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ-ଟିକୁ ସରକାରୀ ବାବୁଙ୍କ ଫୁ । ଇ-ଡେସପାଚରେ ଲାଗିଗଲାଣି କଳଙ୍କି ।

ଅଚଳ ପଡ଼ିଛି ସରକାରୀ ତଥ୍ୟ ଭଣ୍ଡାର !

98

କନକ ବ୍ୟୁରୋ: ପ୍ରହସନ ପାଲଟିଛି ରାଜ୍ୟ ସରକାଙ୍କ ଥ୍ରୀ-ଟି ଯୋଜନା । ଦୀର୍ଘ ୨ ସପ୍ତାହରୁ ଅଧିକ ଦିନ ହେଲାଣି ଅଚଳ ପଡ଼ି ରହିଛି ସରକାରଙ୍କ ତଥ୍ୟ ସମ୍ବଳିତ ଚିଠା ଭଣ୍ଡାର ଇ-ଡେସପାଚ୍ । କେବଳ ଏତିକି ନୁହେଁ ଗତ ଦୁଇ ସପ୍ତାହ ହେଲା ଇ-ଡେସପାଚରେ ଥିବା ୩୮ଟି ବିଭାଗ କେଉଁ ବିଭାଗରୁ କ’ଣ ଚିଠି ପାଇଛନ୍ତି ତାହାର ଟେର୍ ପାଉ ନାହାନ୍ତି ଜନତା କି ଅନ୍ୟ କେହି । ଇ-ଡେସପାଚରେ ଥିବା ବିଭାଗଗୁଡ଼ିକର ରିସିପ୍ଟ ଲେଟର୍ ଉପରେ କ୍ଲିକ୍ କଲେ ସର୍ଭର ଏରର୍ ଦେଖାଉଛି। ପ୍ରାୟ ୧୫ଦିନ ହେଲା ଇ-ଡେସପାଚରେ ଅଚଳାବସ୍ଥା ଲାଗି ରହିଥିଲେ ହେଁ ସରକାରୀ ସ୍ତରରେ ତତ୍ପରତା ଦେଖାଯାଉନି। ଏପରିକି ଅଭିଯୋଗ ହୋଇଛି ଯେ ସରକାରୀ ତଥ୍ୟ ଯେପରି ଲୋକଙ୍କ ପାଖରେ ନ ପହଞ୍ଚିବ ସେଥିପାଇଁ ସରକାରୀ ଅଧିକାରୀମାନେ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଛନ୍ତି । ଏଥିପାଇଁ ଅଧିକା˚ଶ ବିଭାଗ ଇ-ଡେସପାଚରେ ଚିଠି ମାସ ମାସ ଧରି ଦେଉନାହାନ୍ତି କି ଅନ୍ୟ ବିଭାଗ ସହ ଯୋଗାଯୋଗ ରଖୁନାହାନ୍ତି । ନିଜ ଇଚ୍ଛାରେ ଇ-ଡେସପାଚରେ ଚିଠି ଖଣ୍ତେ ଛାଡ଼ି ଦେଉଛନ୍ତି । ଏପରିକି ୨୦୧୭ ମସିହା ପରଠାରୁ ୮ରୁ ଅଧିକ ବିଭାଗ ଇ-ଡେସପାଚରେ ଅପ୍ ଟୁ ଡେଟ୍ ତଥ୍ୟ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥ୍ରୀ-ଟି ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ ଓ ଟେକ୍ନୋଲୋଜୀ ଉପରେ ଗୁରୁତ୍ୱ ଦେଇ ଲୋକମାନଙ୍କ ସହିତ ଯୋଡ଼ି ହେବାକୁ ସରକାରୀ କଳକୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ଗତ କିଛି ଦିନ ହେବ ଏଥିରେ ଜଣାପଡ଼ୁ ନାହିଁ । ତେବେ କେଉଁ ବିଭାଗରେ କ’ଣ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଗଲା, କେଉଁ ବିଭାଗର କେଉଁ ଅଧିକାରୀଙ୍କ ନିକଟକୁ କେଉଁ ଫାଇଲ୍ ଗଲା ତା’ର ସବିଶେଷ ସୂଚନା ଦେବା ପାଇଁ ଓଡ଼ିଶା ସେକ୍ରେଟେରିଏଟ୍ ଵାର୍କ ଫ୍ଲୋ ଅଟୋମେସନ୍ ସିଷ୍ଟମ ବ୍ୟବସ୍ଥା କରାଯାଇଛି । ଏଥିରେ ଇ-ଡେସପାଚରେ ସମସ୍ତ ବୈଠକର ସୂଚନା, ବିଜ୍ଞପ୍ତି, ସରକାରଙ୍କ ବିଭିନ୍ନ କାର‌୍ୟ୍ୟ, ଯୋଜନାରେ ଯେପରି ସ୍ବଚ୍ଛତା ଆସିବ, ସରକାରୀ ନିଷ୍ପତ୍ତି ଯେ କେହି ବି ଯେଉଁଠି ଥାଇ ସହଜରେ ଜାଣିପାରିବେ ବୋଲି ଦେବାକୁ କୁହାଯାଇଛି । ସବୁଠାରୁ ବଡ଼କଥା ହେଲା ସରକାରୀ ବିଭାଗଗୁଡ଼ିକର ସୂଚନା, ଚିଠିକୁ ଅନ୍ୟ ବିଭାଗକୁ ଅନଲାଇନରେ ପଠାଇପାରିବେ ସେନେଇ ଇ-ଡେସପାଚ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । କିନ୍ତୁ ଏହାକୁ ଏବେ ରାଜ୍ୟ ସରକାରଙ୍କ କେତେକ ଅଧିକାରୀ ଦୁରୁପଯୋଗ କରୁଛନ୍ତି । ସବୁ ସୂଚନା ଓ ଚିଠି ଇ-ଡେସ୍ପାଚ୍ରେ ଦେବାକୁ କୁହାଯାଇଥିଲେ ହେଁ ଅନେକ ବିଭାଗ ଏହାକୁ ମାନୁନାହାନ୍ତି ।

ଅଧିକା˚ଶ ସମୟରେ ଇ-ଡେସ୍ପାଚ୍ ଖୋଲୁ ନଥିବାବେଳେ ଅଧିକା˚ଶ ସମୟରେ କେବଳ କେଉଁ ବିଭାଗର କେତେ ଚିଠି ଆସିଛି, କେତେ ଚିଠି ଯାଇଛି, କେଉଁ ଦିନ କେଉଁ ବିଭାଗକୁ କ’ଣ ପଠାଯାଇଛି (ସମସ୍ତ ବିଭାଗକୁ ନୁହେଁ) ତାହାର ବିଷୟବସ୍ତୁ ଓ ସ˚ଖ୍ୟା ଆସୁଛି। କିନ୍ତୁ ଏହାକୁ ଖୋଲି ପଢ଼ିବା ପାଇଁ ତାହା ଉପରେ କ୍ଲିକ୍ କଲେ ଯେଉଁ କୋଡ୍ ଆସୁଛି ତାହାକୁ ଟାଇପ୍ କଲେ ତାହା ନେଉନି। କୋଡ୍ ପୁଣି ବଦଳିଯାଉଛି। ବାରମ୍ବାର ଚେଷ୍ଟା କରିବା  ପରେ ବି ଇ-ଡେସପାଚ ରୁ ଚିଠି ଡାଉନଲୋଡ୍ କରିହେଉନି । ଏନେଇ କେତୋଟି ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେମାନେ ଉତ୍ତର ଦେଉଛନ୍ତି ଆମେ ଜାଣିନୁ ।

ଅନ୍ୟପଟେ ଜଙ୍ଗଲ ଓ ପରିବେଶ ବିଭାଗ ସ୍ଥିତି ବି ସମାନ । ଏହି ବିଭାଗ ୧ମାର୍ଚ୍ଚ, ୨୦୧୬ରୁ କୌଣସି ବିଭାଗକୁ କିଛି ତଥ୍ୟ କି ଚିଠି ଦେଇନି । ଶକ୍ତି ବିଭାଗ ୨୦୧୭ ଅଗଷ୍ଟ ପରେ ୨୯ ମେ, ୨୦୧୮ରେ ଓପିଟିସିଏଲ୍କୁ ଶେଷ ଚିଠି ଲେଖି ରହିଯାଇଛି । ଅର୍ଥ ବିଭାଗ ବି ମଝିରେ ମଝିରେ ଇଚ୍ଛା ହେଲେ ଚିଠି ଖଣ୍ତେ ପଠାଇ ଦେଉଛି ନହେଲେ ନାହିଁ। ଯେମିତି ଜାନୁଆରିରୁ ଜୁନ୍ ଭିତରେ ପ୍ରତି ମାସରେ ଗୋଟିଏ ଲେଖାଏଁ ଚିଠି ପଠାଇଛି। ଆଉ ଅକ୍ଟୋବରରେ ଦୁଇଟି ଚିଠି ପଠାଇଛି। କେବଳ ଏତିକି ନୁହେଁ ପ୍ରାୟ ସମସ୍ତ ବିଭାଗରେ ଏହିପରି ଅଚଳାବସ୍ଥା । ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ ଗୁଡ଼ିକର ଅବସ୍ଥା ତ ଅତ୍ୟନ୍ତ ଶୋଚନୀୟ । ସେମାନଙ୍କୁ ପାଖକୁ କେବେ ଚିଠି ଯାଉଛି କି ଆସୁଛି ତାହା ଖୋଜିଲେ ବି ମିଳୁନି । ସରକାରଙ୍କ ଗୁରୁତ୍ପୂର୍ଣ୍ଣ ପ୍ରଶାସନିକ ବିଭାଗ ହେଲା ଗୃହ ବିଭାଗ । ଏହି ବିଭାଗରେ ସୂଚନା ଜମା ନାହିଁ କହିଲେ ଚଳେ । କେବଳ ନୂଆଦିଲ୍ଲୀରୁ ଓଡ଼ିଶା ନିବାସ, ଓଡ଼ିଶା ଭବନ, ଉତ୍କଳ ଭବନ ଓ ଓଡ଼ିଶା ସଦନରେ କାହା ନାମରେ କେତେ ଦିନ ପାଇଁ ରୁମ୍ ବୁକି˚ ହୋଇଛି ତାହାର ସୂଚନା ଦିଆଯାଉଛି । ନା କୌଣସି ପ୍ରଶାସନିକ ସ୍ତରରେ ଅଦଳ ବଦଳ ସୂଚନା ନା କୌଣସି ଗୃହ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତିର ଚିଠି ବିଷୟରେ କିଛି ବି ଉତ୍ତର ମିଳୁନି ।