ସବୁଜିମାମୟ ହେବ ରାଜଧାନୀ ! ଗଛ ସହ ପର୍ଯ୍ୟଟକଙ୍କୁ ଯୋଡ଼ିବା ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛି ଜଙ୍ଗଲ ଓ ପରିବେଶ ବିଭାଗ

166

କନକ ବ୍ୟୁରୋ : ସବୁଜିମାମୟ ହେବ ରାଜଧାନୀ । ସହର ଉପକଣ୍ଠରେ ଘେରି ରହିବ ଜଙ୍ଗଲ । ଚନ୍ଦକାରୁ ଧଉଳି ପର୍ଯ୍ୟନ୍ତ । ସବୁଠି କେବଳ ଦେଖିବାକୁ ମିଳିବ ଗଛ ହିଁ ଗଛ । ଆଉ ଗଛ ସହ ପର୍ଯ୍ୟଟକଙ୍କୁ ଯୋଡ଼ିବା ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛି ଜଙ୍ଗଲ ଓ ପରିବେଶ ବିଭାଗ । ପ୍ରାଥମିକ ପର୍ଯ୍ୟାୟରେ ଚନ୍ଦକା ଜଙ୍ଗଲର କଳେବର ବୃଦ୍ଧି ଦିଗରେ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ । ସେଠାରେ ବ୍ୟାପକ ବୃକ୍ଷ ରୋପଣ କରାଯିବ । ଜଙ୍ଗଲ ମଧ୍ୟରେ ଥିବା ଏକ ଅଂଶ ଭରତପୁର ଅଞ୍ଚଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବାକୁ ନିଷ୍ପତ୍ତିି ନିଆଯାଇଛି ।

ଭୁବନେଶ୍ୱର ଉପକଣ୍ଠରେ ଥିବା ଏହି ଜଙ୍ଗଲ ମଧ୍ୟରୁ ଗଛ କାଟି ନିଆଯାଉଛି । ପ୍ରତିଦିନ ଜଙ୍ଗଲରୁ ଲୋକେ ଗଛ କାଟି ନେଉଥିବା ବେଳେ କାଠ ମାଫିଆଙ୍କ କବଳରୁ ବି ବର୍ତିପାରୁନି ରାଜଧାନୀ ଉପକଣ୍ଠରେ ଥିବା ଏହି ବିଶାଳ ଜଙ୍ଗଲ । ସହରୀ ସଭ୍ୟତା ବୃଦ୍ଧିର ପ୍ରଭାବ ମଧ୍ୟ ଏହି ଜଙ୍ଗଲ ଉପରେ ପଡ଼ୁଛି । ଯେଉଁଥିପାଇଁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା କ୍ଷଣି ସହରର ତାପମାତ୍ରା ୪୦ ଡିଗ୍ରିରେ ପହଞ୍ଚିଯାଉଛି । ବର୍ଷା ଓ ଶୀତ ଦିନରେ ବି ଟାଣ ଖରା ହେଉଛି । ପରିବେଶର ସନ୍ତୁଳନ ଠିକ୍‌ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ପରିବେଶବିତ୍‌ମାନେ ମତ ଦେବା ପରେ ଜଙ୍ଗଲ ଓ ପରିବେଶ ବିଭାଗ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛି ।

ଚନ୍ଦକା ମଧ୍ୟରେ ଭରତପୁର ସଂରକ୍ଷିତ ଜଙ୍ଗଲ ରହିଛି । ସେଠାରୁ ଏବେ ବଡ଼ ବଡ଼ ଗଛ କଟା ଚାଲିଛି । ଯେଉଁଥିପାଇଁ ଜଙ୍ଗଲ ଅବକ୍ଷୟ ହେଉଛି । ଭୁବନେଶ୍ୱର ସହର ନିକଟରେ ଭରତପୁର ରହିଥିବାରୁ ତାହାର ପ୍ରଭାବ ମଧ୍ୟ ସହର ଉପରେ ପଡ଼ୁଥିବା ଜଣାପଡ଼ିଛି । ଯେଉଁଥିପାଇଁ ଭରତପୁର ଅଞ୍ଚଳରେ ଖାଲିଥିବା ସ୍ଥାନରେ ବୃକ୍ଷରୋପଣ କରିବା ଦିଗରେ ପଦକ୍ଷେପ ନେଇଛି ବିଭାଗ । ଖାଲି ଥିବା ଏକର ଏକର ଜମିରେ ନିମ୍ବ, କରଞ୍ଜ, ବାଉଁଶ, ବର ଗଛ ଲଗାଯାଉଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ ବର୍ଗ କି.ମି ଅର୍ଥାତ୍‌ ୫ ହଜାର ଏକର ଜମିରେ ବୃକ୍ଷ ରୋପଣ କରାଯାଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଉଛି । ଭବିଷ୍ୟତରେ ତାହା ରାଜଧାନୀବାସୀଙ୍କ ଲାଗି ଉପକାରରେ ଲାଗିପାରିବ। ଏହି ଅଞ୍ଚଳରେ ଗ୍ରାଉଣ୍ଡ ଓ୍ଵାଟର ରିଚାର୍ଜ ମଧ୍ୟ ହେଉଛି । ବିଭିନ୍ନ ବନ୍ୟଜନ୍ତୁଙ୍କ ସମେତ ଶତାଧିକ ଦେଶୀ, ବିଦେଶୀ ପକ୍ଷୀ ଭରତପୁର ଅଞ୍ଚଳରେ ବସା ବାନ୍ଧି ରହିଛନ୍ତି । ତେଣୁ ଭରତପୁର ଜଙ୍ଗଲକୁ ଘଞ୍ଚ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଜନସାଧାରଣଙ୍କୁ ପ୍ରାକୃତିକ ପରିବେଶ ସମ୍ପର୍କରେ କିଭଳି ଅଧିକରୁ ଅଧିକ ଶିକ୍ଷା ଦିଆଯାଇପାରିବ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଭରତପୁର ଜଙ୍ଗଲ ସୃଷ୍ଟି କରାଯାଇ ଖୁବ୍‌ କମ୍‌ ଦିନ ମଧ୍ୟରେ ତାହାକୁ ଇକୋ-ପର୍ଯ୍ୟଟନ ସହ ଯୋଡ଼ାଯିବ। ସେଠାରେ ଟୁର ଗାଇଡ୍‌ମାନେ ନିୟୋଜିତ ହେବେ। ଖୋଲା ଜିପ୍‌ରେ ପର୍ଯ୍ୟଟକଙ୍କୁ ଜଙ୍ଗଲରେ ବୁଲିବାକୁ ନିଆଯିବ । ସେଠାରେ ପ୍ରାକୃତିକ ପରିବେଶର ମଜା ଉଠାଇବା ସହ ବନ୍ୟଜନ୍ତୁ ଦେଖିପାରିବେ ପର୍ଯ୍ୟଟକ । ଭବିଷ୍ୟତରେ ଏହି ଅଞ୍ଚଳକୁ ସାଧାରଣ ଲୋକଙ୍କ ଲାଗି ସମ୍ପୂର୍ଣ୍ଣ ଖୋଲା ରଖିବାକୁ ଲକ୍ଷ୍ୟ ରଖାଯାଇଛି । କେବଳ ଭୁବନେଶ୍ୱର ନୁହେଁ। ଏବେ ସୁଦ୍ଧା ରାଉରକେଲା, ସମ୍ବଲପୁର, ନବରଙ୍ଗପୁର, ଝାରସୁଗୁଡ଼ା ସହରରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇଛି । ପ୍ରତ୍ୟେକ ସହରରେ ଖାଲିଥିବା ସରକାରୀ ଜମିକୁ ଚିହ୍ନଟ କରାଯାଇ ସେଠାରେ ବୃକ୍ଷରୋପଣ କରାଯିବ । ସମ୍ପୃକ୍ତ ଅଞ୍ଚଳକୁ ସିଟି ଫରେଷ୍ଟ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ଯେ ଭବନେଶ୍ୱର ଉପକଣ୍ଠ ଭରତପୁରରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଇଛି । ଇତି ମଧ୍ୟରେ ଦୁଇ ଲକ୍ଷ ଚାରା ରୋପଣ କରାଯାଉଛି । ଆହୁରି ଚାରା ରୋପଣ ହେବ। ଭରତପୁରର ୨୦ ବର୍ଗ କିଲୋମିଟରରେ ଜଙ୍ଗଲ ସୃଷ୍ଟି କରାଯିବ ସହ ଅଧିକରୁ ଅଧିକ ଅଞ୍ଚଳରେ ବୃକ୍ଷରୋପଣ ହୋଇପାରିବ ସେଥିପ୍ରତି ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ।