ନୂଆ ଅନ୍ଦାଜରେ ନବୀନ ! ଏସି ଗାଡି ଛାଡି ଦଙ୍ଗା କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

30

କନକ ବ୍ୟୁରୋ : ଦିଲ୍ଲୀରୁ ଫେରିବା ପରେ ଦଙ୍ଗାଗ୍ରସ୍ତ ଭଦ୍ରକରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ହେଲିକପ୍ଟରରେ ସକାଳ ସାଢେ ୧୦ଟାରେ ନେହେରୁ ଷ୍ଟାଡିୟମରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ । ପୋଲିସ ବଳୟ ମଧ୍ୟରେ ଦଙ୍ଗା ପ୍ରଭାବିତ ଅଂଚଳକୁ ବାହାରିଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ । କଚେରୀ ବଜାର, ଚନ୍ଦନ ବଜାର ଓ ନଙ୍ଗା ମହଲା ଆଦି ଅଂଚଳ ବୁଲିଥିଲେ ନବୀନ । ସିଧାସଳଖ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ୩ଦିନ ଭିତରେ କ୍ଷୟକ୍ଷତିର ଆକଳନ କରି ସଂପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ । କ୍ଷତିଗ୍ରସ୍ତଙ୍କ ପାଇଁ ଖୁବଶୀଘ୍ର ସହାୟତା ରାଶି ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ଭଦ୍ରକ ସହରରେ ତାପମାତ୍ରା ଥିଲା ୩୫ ଦଶମିକ ୮ ଡିଗ୍ରୀ ସେଲସିୟସ । ପ୍ରବଳ ଖରା ସତ୍ୱେ ଶୀତତାପ ନିୟନ୍ତ୍ରୀତ ଗାଡିରୁ ବାହାରି ସାଧାରଣ ଲୋକଙ୍କ ମେଳକୁ ଚାଲିଆସିଥିଲେ ମୁଖ୍ୟମନ୍ତ୍ରୀ । ୨୪ ଘଂଟିଆ କଡା ସୁରକ୍ଷା ମଧ୍ୟରେ ରହୁଥିବା ମୁଖ୍ୟମନ୍ତ୍ରୀ, ସୁରକ୍ଷା ବଳୟ ଭେଦ କରି ସିଧାସଳଖ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ । ଯାହା ସାଧାରଣତଃ ଦେଖାଯାଏ ନାହିଁ । ଭଦ୍ରକରେ ପରିସ୍ଥିତି ଧିରେ ଧିରେ ସ୍ୱାଭାବିକ ହେଉଥିବାରୁ ଆଜି ଅପରାହ୍ନ ୪ଟା ଯାଏଁ କର୍ଫ୍ୟୁ କୋହଳ କରିଥିଲା ପ୍ରଶାସନ । ସେଥିପାଇଁ ଲୋକମାନେ ବି ମୁଖ୍ୟମନ୍ତ୍ରୀଙ୍କୁ ନିଜ ସମସ୍ୟା ଜଣାଇବାକୁ ବାହାରି ଆସିଥିଲେ ।

ନବୀନ ନିବାସରୁ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ନିତିଦିନିଆ ଗସ୍ତ ପାଇଁ ବି ରୁହେ କଡା ପୋଲିସ ପହରା । କୌଣସି ସଭା ସମିତିକୁ ଗଲେ ପୁରା ପୋଲିସ ଛାଉଣି ପାଲଟିଯାଏ ସଭାସ୍ଥଳରୁ ଆରମ୍ଭ କରି ସମଗ୍ର ଅଂଚଳ । ହେଲେ ଭଦ୍ରକ ଗସ୍ତରେ ନବୀନଙ୍କ ପରିବର୍ତିତ ସ୍ୱଭାବ ସମସ୍ତଙ୍କୁୁ ବିସ୍ମିତ କରିଛି । ତେଣୁ ଚର୍ଚ୍ଚା ହେଉଛି ପ୍ରକୃତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଭାବରେ ପରିବର୍ତନ ଆସିଛି ନା ଏହା ରାଜନୈତିକ ବାଧ୍ୟବାଧକତା?

ସେପଟେ ଦଙ୍ଗା ସୃଷ୍ଟି କରିଥିବା ଅଭିଯୋଗରେ ୫ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରିଛି କ୍ରାଇମବ୍ରାଂଚର ସାଇବର ସେଲ । ସୋସିଆଲ ମିଡିଆରେ ଆପତିଜନକ ପୋଷ୍ଟ କରି ଭଦ୍ରକରେ ଅଶାନ୍ତି ସୃଷ୍ଟି କରିବା ଅଭିଯୋଗରେ ଏହି ୫ଜଣଙ୍କୁ ପଚରାଉଚରା କରାଯାଉଛି । ୫ଜଣଙ୍କ ହ୍ୱାଟ୍ସ ଆପ୍ ତଥ୍ୟ ମଗାଯାଇଥିବା ସୂଚନା ମିଳିଛି । ତେବେ ପଚରାଉଚରା ପରେ ମିଳିଥିବା ତଥ୍ୟ ଆଧାରରେ ପରବର୍ତି ପଦକ୍ଷେପ ନିଆଯିବ । ଏନେଇ କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି  ।