କ୍ୟାବିନେଟରେ ନବୀନ ସରକାରଙ୍କ ବଡ ନିଷ୍ପତ୍ତି ! ସହରାଂଚଳରେ ରହୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ମିଳିବ ଜମି ପଟ୍ଟା

73

କନକ ବ୍ୟୁରୋ : ଗୋଟିଏ ମାସରେ ବସିଛି ରାଜ୍ୟ କ୍ୟାବିନେଟର ତୃତୀୟ ବୈଠକ । ଆଜିର ବୈଠକରେ ନବୀନ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । ସହରାଂଚଳ ନିର୍ବାଚନକୁ ନଜରରେ ରଖି ବସ୍ତି ବାସିନ୍ଦାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସହରାଂଚଳରେ ରହୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ମିଳିବ ଜମି ପଟ୍ଟା । ଏନଏସିରେ ୬ ଶହ ଓ ମ୍ୟୁନିସିପାଲଟିରେ ୩୫୦ ବର୍ଗଫୁଟ ଜମି ଦେବେ ସରକାର । ଏଥିପାଇଁ ଦୁଇଟି ଅର୍ଡିନାନ୍ସ ଆଣାଯିବ । କେବଳ ବାସଗୃହ ନିର୍ମାଣ କରିବା ପାଇଁ ଜମି ଦିଆଯିବ ।

ସରକାର ଦେଇଥିବା ଜମିକୁ ବିକ୍ରି କି ବଦଳ କରାଯାଇପାରିବ ନାହିଁ । ଜଙ୍ଗଲ ଆଇନ୍ ଅଧିକାର ଭଳି ହିତାଧୀକାରୀଙ୍କୁ ଜମି ଦିଆଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ସେହି ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ପଟ୍ଟାଧାରୀ ଗୃହ ଋଣ ମଧ୍ୟ ଆଣିପାରିବେ । ପ୍ରତିଷ୍ଠା ହେବ ସହରାଂଚଲ ଦାରିଦ୍ର୍ୟ କଲ୍ୟାଣ ପାଣ୍ଠି । କ୍ୟାବିନେଟ ବୈଠକ ପରେ ସାମ୍ବାଦିକ ସମ୍ମିଳିନୀରେ ବୈଠକ ବାବଦରେ ବ୍ରିଫିଂ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

ସେପଟେ ସହରାଂଚଳରେ ବସ୍ତିବାସିନ୍ଦାଙ୍କ କଲ୍ୟାଣ ପାଇଁ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ବିଜେପି ସମାଲୋଚନା କରିଛି । କନକ ନ୍ୟୁଜକୁ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ ପ୍ରଶ୍ନ କରିଛନ୍ତି ୧୭ ବର୍ଷ ପରେ ସରକରାଙ୍କୁ ବସ୍ତିବାସିନ୍ଦାଙ୍କ କଥା ମନେପଡିଲା କାହିଁକି ? ବସ୍ତିବାସିନ୍ଦାଙ୍କ ପାଇଁ ବଡ ନିଷ୍ପତି ନେଇ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ରାଜ୍ୟ ସରକାର । ଆସନ୍ତାବାର୍ଷ ରାଜ୍ୟରେ ହେବାକୁ ଥିବା ପୌରପରିଷଦ ଭୋଟକୁ ଲକ୍ଷ୍ୟରେ ରଖି ଏହି ନିଷ୍ପତି ନିଆଯାଇଛି । କ୍ୟାବିନେଟ ନିଷ୍ପତିକୁ ବିଜେଡି ସ୍ୱାଗତ କରିଛି ।