ଜନ୍ତରମନ୍ତରଠାରେ ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ! ପାଞ୍ଚ ଦିନ ଧରି ଚାଲିବ ଧାରଣା ଓ ସତ୍ୟାଗ୍ରହ

35

କନକ ବ୍ୟୁରୋ : ଆଜିଠାରୁ ଜନ୍ତରମନ୍ତରଠାରେ ୫ଦିନିଆ ମହାନଦୀ ବଂଚାଅ ଆନ୍ଦୋଳନରେ ଧାରଣା ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ଉପରେ ଚାପ ପକାଇବାକୁ ରାଜ୍ୟ ସରକାର ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ସୁପ୍ରିମ କୋର୍ଟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ମଙ୍ଗଳବାରଠାରୁ ଦିଲ୍ଲୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ ହୋଇଛି । ଓ଼ଡ଼ିଶାରୁ ଯାଇଥିବା ଦୁଇଶହ ଜଣିଆ ପ୍ରତିନିଧିମଣ୍ଡଳ ଆଜି ଯନ୍ତରମନ୍ତରରେ ସକାଳ ୧୦ଟାରୁ ଧାରଣାରେ ବସିଛନ୍ତି । ଏହି ପାଞ୍ଚଦିନିଆ ଆନ୍ଦୋଳନରେ ଧାରଣା ଓ ସତ୍ୟାଗ୍ରହ ଅନୁଷ୍ଠିତ ହେବ ।

ମହାନଦୀ ବ଼ଞ୍ଚାଅ ଆନ୍ଦୋଳନର ମୁଖପାତ୍ର ବାସୁଦେବ ଭଟ୍ଟ ସୋମବାର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଓଡ଼ିଶାରେ ମହାନଦୀ ପ୍ରବାହିତ ହୋଇଥିବା ଜିଲ୍ଲାଗୁଡ଼ିକର ୧୭୦ ଜଣ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ୩୦ଜଣ ମହିଳା ସଦସ୍ୟ ମଧ୍ୟ ରହିଛନ୍ତି । ସଂସଦର ଉଭୟ ଗୃହର ୭୯୦ଜଣ ସାଂସଦଙ୍କୁ ପତ୍ର ଲେଖାଯାଇ ଆନ୍ଦୋଳନକୁ ସମର୍ଥନ ଓ ସମ୍ବୋଧନ କରିବା ପାଇଁ ଆବେଦନ କରାଯାଇଛି ।

ଅଗଷ୍ଟ ୯ କ୍ରାନ୍ତିଦିବସରେ ଆନ୍ଦୋଳନର ପ୍ରମୁଖ ନେତା, ରାଜନୈତିକ ଦଳ ପ୍ରତିନିଧିମାନେ ଜନ୍ତରମନ୍ତରରୁ ସଂସଦ ଭବନ ପର୍ୟ୍ୟନ୍ତ ପଦଯାତ୍ରା କରି ଓ଼ଡ଼ିଶାର ସମସ୍ତ ୩୧ଜଣ ସାଂସଦଙ୍କ ସହ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ସମୂହ ସତ୍ୟାଗ୍ରହରେ ବସିବେ । ଆନ୍ଦୋଳନକାରୀମାନଙ୍କ ଦ୍ୱାରା ମହାନଦୀ ଜଳକୁ ଦିଲ୍ଲୀ ନିଆଯାଇଛି । ୩୧ଜଣ ସାଂସଦ ୩୧ଟି କଳସରେ ମହାନଦୀ ଜଳକୁ ଧରି ସତ୍ୟାଗ୍ରହରେ ବସିବେ ବୋଲି କୁହାଯାଇଛି ।