ମହାନଦୀ ପରେ ଏବେ ବ୍ରାହ୍ମଣୀ । ଦେବଗଡରେ ଡ୍ୟାମ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଜଳଯୋଗାଣ ପାଇଁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

36

କନକ ବ୍ୟୁରୋ : ମହାନଦୀ ବିବାଦ ପରେ ଏବେ ବ୍ରାହ୍ମଣୀ ନଦୀକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ତେବେ ବ୍ରାହ୍ମଣୀ ନଦୀ ଉପରେ ଡ୍ୟାମ୍ ନିର୍ମାଣ ଯୋଗୁଁ ଦେବଗଡ଼ ଜିଲ୍ଲାର ବିସ୍ଥାପିତମାନଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ବିଚାରପତି ଅଭୟ ମନୋହର ସାପ୍ରେ ଓ ବିଚାରପତି ଏସ୍ ଅବଦୁଲ ନଜିରଙ୍କ ଖଣ୍ଡପୀଠ ଆଜି ଦେବଗଡ଼ ଜିଲ୍ଲାର ୨୭ ଜଣ ବିସ୍ଥାପିତଙ୍କ ଦ୍ୱାରା ଦାଖଲ କରାଯାଇଥିବା ସ୍ୱତନ୍ତ୍ର ଲିଭ୍ ପିଟିସନର ଶୁଣାଣି କରି ବିସ୍ଥାପିତମାନଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାପାଇଁ ଓଡ଼ିଶା ହାଇକୋର୍ଟଙ୍କ ଏପ୍ରିଲ ୪,୨୦୧୮ ଆଦେଶକୁ କାଏମ ରଖିବା ସହ ରାଜ୍ୟ ସରକାରଙ୍କୁ ଆଦେଶ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 

ରାଜ୍ୟ ସରକାରଙ୍କ ଦ୍ୱାରା ବିସ୍ଥାପିତମାନଙ୍କୁ ଥଇଥାନ ଯୋଜନାରେ କେବଳ ୩ ଏକର ଅଣଜଳସେଚିତ ଜମି ଦିଆଯାଇଥିଲା। ୧୯୮୩ରେ ଦିଆଯାଇଥିବା ୩ ଏକର ଅଣଜଳସେଚିତ ଜମି ୩୫ ବର୍ଷ ପର୍ଯ୍ୟନ୍ତ ଜଳସେଚିତ ହୋଇ ପାରିନଥିଲା। ପରେ ବିସ୍ଥାପିତମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ବିସ୍ଥାପିତମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ମାମଲାର ପରିଚାଳନା କରୁଥିଲେ ଆଇନଜୀବୀ ଶୁଭ୍ରାଂଶୁ ପାଢ଼ି। ତେବେ ଓଡିଶାରେ ବର୍ତ୍ତମାନ ସମୟରେ ବି ଅନେକ ନଦୀବନ୍ଧ ହୋଇଥିବା ସ୍ଥାନରେ ବିସ୍ଥାପିତ ହୋଇଥିବା ଲୋକମାନଙ୍କୁ ସରକାର ସଠିକ ଭାବରେ ଥଇଥାନ କରିନାହାନ୍ତି । ତେଣୁ ସେମାନଙ୍କୁ କିପରି ଭାବରେ ସୁରକ୍ଷା ଦିଆଯାଇ ପାରିବ ତାହା ଉପରେ ଧ୍ୟାନ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।