ଭୁବନେଶ୍ୱରର ପରିବେଶ ଉପରେ ଆଶଙ୍କା : ଆସିବାକୁ ମନାକଲା ଆୟର୍ଲାଣ୍ଡ ହକି ଟିମ୍

23

କନକ ବ୍ୟୁରୋ : ଆସନ୍ତା ହକି ବିଶ୍ୱକପରେ ଯୋଗ ଦେବାକୁ ଆପତ୍ତିି ଉଠାଇଲା ଆର୍ୟଲାଣ୍ଡ । କାରଣ ଭୁବନେଶ୍ୱରର ପ୍ରଦୂଷଣ । ସ୍ମାର୍ଟ ସିଟିର ପରିବେଶକୁ ନେଇ ଆର୍ୟଲାଣ୍ଡ ଆଶଙ୍କା ପ୍ରକାଶ କରିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ହକି ଇଣ୍ଡିଆକୁ ରିପୋର୍ଟ ଦେଇଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ୮୨ ଥିବା ଦର୍ଶାଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଯାହା ସନ୍ତୋଷଜନକ କାଟାଗୋରୀରେ ରହିଥିବା କୁହାଯାଇଛି ।

ସ୍ମାର୍ଟ ସିଟି ଭୁବନେଶ୍ୱରରେ ରହିବା ପାଇଁ ସମସ୍ତଙ୍କ ମନରେ ଏକ ସ୍ୱପ୍ନ ରହିଥାଏ । ମନ୍ଦିରମାଳିନୀ ଭୁବନେଶ୍ୱରର ସ୍ନିଗଧ ପରିବେଶରେ କିଛି ଦିନ ବିତାଇବାକୁ ଦେଶ ବିଦେଶରୁ ମଧ୍ୟ ଛୁଟି ଆସିଥାନ୍ତି ପର୍ଯ୍ୟଟକ । ହେଲେ ଭୁବନେଶ୍ୱରର ପରିବେଶର ମାନ ଉପରେ ଆୟରଲାଣ୍ଡର ଆଶଙ୍କା ଏସବୁ ଖ୍ୟାତିରେ ପ୍ରଶ୍ନ ଚିହ୍ନ ଲଗାଇଦେଇଛି । ଆସନ୍ତା ବର୍ଷ ନଭେମ୍ବରରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପରେ ଯୋଗ ଦେବା ପାଇଁ ଆପତ୍ତି ଉଠାଇଛି ଆୟରଲାଣ୍ଡ ।

ଭୁବନେଶ୍ୱରର ପ୍ରଦୂଷଣ ମାତ୍ରାକୁ କିପରି ଅଛି ସେ ସଂପର୍କରେ ଆର୍ୟଲାଣ୍ଡ ସୂଚନା ମାଗିବା ପରେ ହକି ଇଣ୍ଡିଆ ଓଡିଶା କ୍ରୀଡା ବିଭାଗକୁ ସୂଚନା ମାଗିଛନ୍ତି । ଏଥିସହ ଭୁବନେଶ୍ୱରର ପ୍ରଦୂଷଣ ମାତ୍ରା ବାବଦରେ ବିସ୍ତୃତ ରିପୋର୍ଟ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ଆସନ୍ତୁ ନଜର ପକାଇବା ୨୦୧୭ ମେ’ ମାସର ପ୍ରଥମ ସପ୍ତାହରେ କିପରି ରହିଥିଲା ଭୁବନେଶ୍ୱରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁର ମାନ-

ମେ’ ୧ ତାରିଖ, ଗୋଟିଏ ମନିଟରିଂ ଷ୍ଟେସନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ୫୧ । ଯାହା  ସନ୍ତୋଷଜନକ । ହେଲେ ୨ ତାରିଖରେ ବଦଳି ଯାଇଥିଲା ବାୟୁର ମାନ । ୫ଟି ମନିଟରିଂ ଷ୍ଟେସନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୦୭ ରେକର୍ଡ ହୋଇଥିଲା । ଏହି ମାନାଙ୍କକୁ ମଡରେଟ୍ ବା ମଧ୍ୟମ ଧରଣର ବୋଲି କୁହାଯାଏ । ସେହିପରି ମେ’ ୪ ତାରିଖରେ ୫ଟି ଷ୍ଟେସନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ୯୨ । ମେ’ ୫ ତାରିଖରେ ଗୋଟିଏ ମନିଟରିଂ ଷ୍ଟେସନରେ ୮୭ ଥିଲା ଏୟାର କ୍ୱାଲିଟି ଇଣ୍ଡେକ୍ସ । ଏହି ଦୁଇ ଦିନ ମଧ୍ୟ ସନ୍ତୋଷଜନକ ରହିଥିଲା ଭୁବନେଶ୍ୱରରେ ବାୟୁର ମାନ ।

ଭୁବନେଶ୍ୱରର ହାରାହାରି ଏୟାର କ୍ୱାଲିଟି ଇଣ୍ଡେକ୍ସ ୮୨ ଥିବା ହକି ଇଣ୍ଡିଆକୁ ଜଣାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏୟାର କ୍ୱାଲିଟି ଇଣ୍ଡେକ୍ସ ୧ରୁ ୫୦ ପର୍ଯ୍ୟନ୍ତ ରହିଲେ, ତାହାକୁ ଉତ୍ତମ ଧରଣର କୁହାଯାଏ । ୧୦୦ରୁ ୨୦୦ ପର୍ଯ୍ୟନ୍ତ ମଡରେଟ୍. ୨୦୦ରୁ ଅଧିକ ହେଲେ ଖରାପ ଏବଂ ୪୦୦ରୁ ଅଧିକ ହେଲେ ଅତି ଖରାପ ବା ଚିନ୍ତାଜନକ ହୋଇଥାଏ । ଯାହା ପୂରା ମାନବସମାଜକୁ ବିପଦ ଆଡକୁ ଟାଣି ନେଇଥାଏ । ୨୦୧୬ରେ ଏକ ଜାତୀୟ ଇଂରାଜୀ ଖବରକାଗଜ ଓଡିଶାର ରାଜଧାନୀରେ ପ୍ରଦୂଷଣ ମାତ୍ରା ଅଧିକ ବୋଲି ଏକ ସ୍ତମ୍ଭ ପ୍ରକାଶ କରିଥିଲା । ଯାହାକୁ ଆଧାର କରି ଆୟର୍ଲାଣ୍ଡ ଚିନ୍ତା ଜାହିର କରିଛି । ପ୍ରଦୂଷଣକୁ ଆଖିରେ ରଖି ଆୟର୍ଲାଣ୍ଡ ହକି ବିଶ୍ୱକପରେ ସାମିଲ ନହେବା ଭଳି ସମ୍ଭାବନା ସୃଷ୍ଟି ହୋଇଛି ।