ସଂକଟ ଦେଇ ଗତିକରୁଛି ବରଗଡର ଚାଷୀ : ଗତକାଲି ଫସଲ ଜାଳିଦେବା ପରେ ଆଜି ବିଷ ପିଇଲେ କଳାପାଣିର ବୃନ୍ଦା ସାହୁ

32

କନକ ବ୍ୟୁରୋ : ବରଗଡ଼ ଜିଲ୍ଲାରୁ ପୁଣି ଆସିଛି ଚାଷୀ ଆତ୍ମହତ୍ୟାର ଖବର । ବରଗଡ଼ର କଳାପାଣିର ଚାଷୀ ବୃନ୍ଦା ସାହୁ ଆଜି ଫସଲହାନୀ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ଚକଡ଼ା ପୋକ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ନିଜ ହାତରେ ବିଲରେ ନିଆଁ ଲଗାଇ ଦେଇଥିବା ଚାଷୀ ବୃନ୍ଦା ସାହୁ ଆଜି କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ହୁଏତ ଗତକାଲିର କୋହ ଆଜି ଚରମ ନିଷ୍ପତ୍ତି ନେବାକୁ ଚାଷୀ ବୃନ୍ଦା ସାହୁଙ୍କୁ ବାଟ କଡ଼ାଇ ନେଇଛି ।

ଯେଉଁ କାନ୍ଧକୁ ଭରସା କରି ଛିଡ଼ା ହୋଇଥିଲା ଏହି ପରିବାର, ସେହି କାନ୍ଧ ଆଜି କାନ୍ଧ ଖୋଜୁଛି ଦୁନିଆରୁ ବିଦାୟ ନେବା ପାଇଁ । ପରିବାର ପୋଷଣ ପାଇଁ ଅନବରତ ଉଦ୍ୟମ କରୁଥିବା ବୃନ୍ଦା, ଆଜି ଜୀବନ ଯୁଦ୍ଧରେ ହାରି ଯାଇ, ବାଛି ନେଇଛି ଆଉ ଏକ ବାଟ । ଆଉ ଘରର ମୁରବୀ ଛାଡ଼ି ଚାଲିଯିବା ପରେ ଯାହା ଘଟେ, ସେଇଆ ଘଟିଛି ବରଗଡ଼ର ମୃତ ଚାଷୀ, ବୃନ୍ଦା ସାହୁଙ୍କ ପରିବାରରେ । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଅଂଚଳ ।

ବାପା ତ ଚାଲିଗଲେ, କାହାର କ’ଣ ଯାଉଛି । କରଜ ପରିଶୋଧ ପାଇଁ ଏବେ କେଉଁଠୁ ଆସିବ ଟଙ୍କା । ନିଜ ବାପାଙ୍କୁ ହରାଇବା ପରେ ଇଏ ହେଉଛି କୋହଭରା କଣ୍ଠରେ ମୃତ ବୃନ୍ଦା ସାହୁଙ୍କ ଝିଅଙ୍କ ପ୍ରଶ୍ନ । ଏମିତି ଦେଖି, ଚାଲିଯିବେ, ହେଲେ ଆମର କ’ଣ ହେବ । ଛୋଟିଆ ଝିଅଟିର ଏହି ଗୋଟିଏ ପ୍ରଶ୍ନ, ସୂଚାଇ ଦେଉଛିି ଚାଷ ଓ ଚାଷୀ ପରିବାରର ଅସଲ କାହାଣୀ । ଠିକ୍ ଗୋଟିଏ ଦିନ ଆଗରୁ ନିଜ ଫସଲରେ ନିଆଁ ଲଗାଇ ଦେଇଥିବା କଳାପାଣିର ବୃନ୍ଦା ସାହୁ, ଆଜି କୀଟନାଶକ ପିଇ ସର୍ବ ସମ୍ମୁଖରେ ଆତ୍ମହତ୍ୟା କରିଛନ୍ତି । ଚକଡ଼ା ପୋକ ଯୋଗୁଁ ଫସଲହାନୀ ଘଟିବାରୁ ବୃନ୍ଦା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଏହି ଚାଷ ଉପରେ ଭରସା କରି ଚାଲିଥିଲା ବୃନ୍ଦା ସାହୁଙ୍କ ପରିବାର । ହେଲେ ଏବର୍ଷ ଚକଡ଼ା ପୋକକୁ କାବୁ କରିବାକୁ ସେ ଅସମର୍ଥ ହୋଇଥିଲେ । ୬ରୁ ୭ଥର କୀଟନାଶକ ଔଷଧ ଦେଇଥିଲେ ସୁଦ୍ଧା ଫଳ କିଛି ହେଲାନି । ଶେଷରେ କେତେ ଯତ୍ନ କରି ବଢ଼ାଇଥିବା ଚାଷରେ ନିଜ ହାତରେ ନିଆଁ ଲଗାଇ ଦେଲେ । ଆଉ ଗୋଟିଏ ରାତିରେ କ’ଣ ମନକୁ ଆସିଲା କେଜାଣି, ଶେଷରେ ଚରମ ନିଷ୍ପତ୍ତିି ନେଇଗଲେ ବୃନ୍ଦା ।୧୫ ଦିନରେ ୩-୩ଟି ଆତ୍ମହତ୍ୟା । ଚେହେରା ଅଲଗା କିନ୍ତୁ କାହାଣୀ ଗୋଟିଏ । ଆଖି ଆଗରେ ଉଜୁଡିଗଲା ଫସଲ, ଆଉ ଚରମ ନିଷ୍ପତ୍ତି ବାଛିନେଲେ ଚାଷୀ ।