ବିଧାନସଭାରେ ପୁଣି ଲୋକାୟୁକ୍ତ ନିଯୁକ୍ତି ଝଡ ! ବାଚସ୍ପତିଙ୍କ ପୋଡିୟମ ତଳେ ବସିଲେ ବିରୋଧୀ ଦଳ ନେତା, ବିଧାନସଭା ଅଚଳ

59

କନକ ବ୍ୟୁରୋ : ବିଧାନସଭାରେ ପୁଣି ଲୋକାୟୁକ୍ତ ନିଯୁକ୍ତି ଝଡ । ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଲେ ବିଜେପି ଓ କଂଗ୍ରେସ ବିଧାୟକ । ଏପରିକି ଖୋଦ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଆସନ ଛାଡି ପୋଡିୟମ ତଳେ ଧାରଣା ଦେଇଥିଲେ । ପ୍ରଥମେ ସାଢ଼େ ଏଗାରଟା ଯାଏ ଗୃହ ମୂଲତବୀ ଘୋଷଣା କରିଥିଲେ ବାଚସ୍ପତି । ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ ହେବାରୁ ଦିନ ୩ଟା ଯାଏଁ ଗୃହ ମୁଲତବି ରହିଛି । ଲୋକପାଳ ଆଇନକୁ ରାଜ୍ୟ ସରକାର କାହିଁକି ଲାଗୁ କରୁ ନାହାଁନ୍ତି ସେ ନେଇ ଗତକାଲିଠାରୁ ବିରୋଧୀ ଦଳ ହଙ୍ଗାମା ଜାରି ରଖିଛନ୍ତି ।

ଏନେଇ ନରସିଂହ କହିଛନ୍ତି, ସରକାର କାହିଁକି ଲୋକାୟୁକ୍ତ ନିଯୁକ୍ତି କରୁନାହାନ୍ତି ତାର ଜବାବ ମୁଖ୍ୟମନ୍ତ୍ରୀ ଗୃହରେ ଦିଅନ୍ତୁ । ସେହିଭଳି ବିଜେପି କହିଛି, ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବା ସହ ଲୋକଙ୍କ ହିତ ଦୃଷ୍ଟିରୁ ଲୋକାୟୁକ୍ତ ନିଯୁକ୍ତି କରନ୍ତୁ । ତେବେ ଜବାବରେ ବିଜେଡି କହିଛି, ପୂର୍ବରୁ ଲୋକାୟୁକ୍ତ କଥା ଉଠୁନଥିଲା । ଆନ୍ନା ହଜାରେ ଅନଶନ କରିବା କ୍ଷଣି ଏମାନଙ୍କର ଲୋକାୟୁକ୍ତ କଥା ମନେପଡିଲା । ବିଧାନସଭାର ପ୍ରଶ୍ନକାଳ ସମୟରେ ବିରୋଧୀ ଦଳ ଯେଉଁଭଳି ଭାବେ ହଟ୍ଟଗୋଳ କରୁଛନ୍ତି ତାହା ଆଦୌ ଶୋଭନୀୟ ନୁହେଁ ବୋଲି କହିଛି ବିଜେଡି ।