ହଟୁନି କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ! ପୁଣି ଅନୁପ୍ରବେଶ, ନାରଡି ବାଲାସାରେ ଆନ୍ଧ୍ର ଅଧିକାରୀଙ୍କ ଜନସମ୍ପର୍କ ଶିବିର

25

କନକ ବ୍ୟୁରୋ : କୋଟିଆ ଉପରୁ ଆନ୍ଧ୍ରର ଲୋଲୁପ ଦୃଷ୍ଟି ହଟିବାର ନାଁ ନେଉନି । କୋଟିଆରେ ପୁଣି ଅନୁପ୍ରବେଶ କରିଛନ୍ତି ଆନ୍ଧ୍ର ଅଧିକାରୀ । ଗତକାଲି ଆନ୍ଧ୍ରର ଅଧିକାରୀମାନେ ନାରଡି ବାଲସାରେ ଏକ ଜନ ସମ୍ପର୍କ ଶିିବିର କରିଛନ୍ତି । ଲୋକଙ୍କୁ ବିଭିନ୍ନ ସହାୟତା ବାଂଟିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଅପରପକ୍ଷରେ ଓଡିଶା ସରକାର ଏହାର ଟେର ପାଇ ନାହାଁନ୍ତି । କୋରାପୁଟ୍ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଂଚାୟତ ରହିଛି । ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ମାମଲା କୋର୍ଟରେ ବିଚାରାଧିନ ଅଛି । ତେବେ ବାରାମ୍ବାର ଆନ୍ଧ୍ର ପ୍ରଦେଶ ସୀମା ଡେଇଁ ନିଜର ଉପସ୍ଥିତ ଜାହିର କରିବାକୁ ଉଦ୍ୟମ କରୁଛି ।

ସୂଚନାଯୋଗ୍ୟ ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଚାଲିଛି । ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ଉଦ୍ୟମ କରୁଛି । ତେବେ ଗତ ଜାନୁଆରିରେ ବଡ ଧରଣର ଅନୁପ୍ରବେଶ କରିଥିଲା ଆନ୍ଧ୍ର । ବିଜୟନଗରମର ଜିଲ୍ଲାପାଳ ଓ ତାଙ୍କର ଡଜନେ ଅଧିକାରୀ କୋଟିଆ ଅଂଚଳକୁ ଆସି ତାଙ୍କ ରାଜ୍ୟର ସରକାରୀ ସହାୟତା ବଣ୍ଟନ କରିଥିଲେ। ପରେ ହଠାତ ଚେଇଁ ଉଠିଥିଲେ ଓଡ଼ିଶା ସରକାର । କୋଟିଆରେ ବହୁ ଅଧିକାରୀଙ୍କ ପାଦ ପଡିଥିଲା । କୋଟିଆ ବିକାଶ ପାଇଁ ଯୋଜନା କରାଯିବା ସହ ଲୋକଙ୍କ ସହ ଅଧିକାରୀମାନେ ମିଶିଥିଲେ ।

ତେବେ ଏହାର ପାଲଟା ଜବାବ ଦେଇଛି ଆନ୍ଧ୍ର । ଆଜି ଆନ୍ଧ୍ରର ବହୁ ଅଧିକାରୀ ବିବାଦୀୟ ନାରଡି ବାଲସାରେ ଜନସଂପର୍କ ଶିବିର କରିଛନ୍ତି । ବିଜୟନଗରମ ଅତିରିକ୍ତ ଏସପି ଦୀପକ ପଟେଲଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ବହୁ ପୁଲିସ ଓ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ସେମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ବିଭିନ୍ନ ସହାୟତା ବାଣ୍ଟିଛନ୍ତି ।

ଗତକାଲି ଅନୁଷ୍ଠିତ ଜନ ସଂପର୍କ ଶିବିରରେ ବିଭିନ୍ନ ଗ୍ରାମରୁ ପାଖାପାଖି ହଜାରେ ଲୋକ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଜଟିଳ ରୋଗର ଶିକାର ହୋଇଥିବା ଲୋକଙ୍କର ଅସ୍ତ୍ରୋପଚାର କରିବାକୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କର ମାଗଣା ଅସ୍ତ୍ରୋପଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆନ୍ଧ୍ର ଅଧିକାରୀ । ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ଦିନ ତମାମ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ଓଡ଼ିଶା ସରକାର କିମ୍ବା ଜିଲ୍ଲା ପ୍ରଶାସନ ପାଖରେ ଏହାର ଖବର ନ ଥିଲା ।