ଏନଆଇଏ ସ୍କାନରରେ କଟକର ଅଖତାର ହୁସେନ ! ଆତଙ୍କବାଦୀ ଲିଙ୍କ ନେଇ ଦିଲ୍ଲୀରେ ମାରାଥନ ଜେରା

27

କନକ ବ୍ୟୁରୋ : ଏନଆଇଏ ମୁଖ୍ୟାଳୟରେ ହାଜର ହେଲେ ଅଖତାର ହୁସେନ । ଦିଲ୍ଲୀରେ ଆଜି ଅଖତାର ହୁସେନ୍ ଖାନଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା କରିଛି ଏନଆଇଏ ଟିମ୍ । ଦିନ ୧୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଖତାରଙ୍କୁ ଜେରା କରାଯାଇଛି । ଆତଙ୍କବାଦୀଙ୍କ ସହ ଲିଙ୍କ୍ ସନ୍ଦେହରେ ତାଙ୍କୁ ପଚରା ଉଚରା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଅତି ଗୋପନୀୟ ଭାବେ ଅଖତାରଙ୍କୁ ପଚରାଉଚରା କରାଯାଉଛି । ଏପରିକି ସାଙ୍ଗରେ ଯାଇଥିବା ତାଙ୍କ ପୁଅକୁ ରିସେପସନରେ ଅଟକା ଯାଇଥିଲା ।

ପାକିସ୍ତାନ ଓ ସାଉଦିଆରବର କୋଣସି ବ୍ୟକ୍ତିଙ୍କ ସହ ବାରମ୍ବାର ଫୋନରେ କଥା ହେବାକୁ ନେଇ ଅଖତାରଙ୍କ ଉପରେ ସନ୍ଦେହ କରୁଛି ଏନଆଇଏ । ଗତ ନଭେମ୍ବର ୨୯ ତାରିଖରେ ଏହି ମାମଲାରେ କଟକରେ ଅଖତାରଙ୍କୁ ଦୀର୍ଘ ୪ଘଂଟା ଧରି ମାରାଥନ ଜେରା କରିଥିଲେ ୬ଜଣ ଏନଆଇଏ ଅଧିକାରୀ । ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ପଚରାଉଚରା କରାଯାଇଥିଲା । ତେବେ ପରେ ତାଙ୍କୁ ଛଡା ଯାଇଥିଲା । କିନ୍ତୁ ଏହାପରେ ଆଜି ଦିଲ୍ଲୀ ମୁଖ୍ୟାଳୟରେ ହାଜର ପାଇଁ ଅଖତାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କଟକ କିଶନନଗର ସାମନ୍ତରାପୁର ବସ୍ତିରେ ରହୁଥିବା ଅଖତାର ଖାନଙ୍କୁ ଠାବ କରିବା ପାଇଁ କଟକରେ ପହଂଚିଥିଲା ଏନଆଇଏ । ଗତ କିଛି ବର୍ଷ ଧରି ଏକ ଭଡା ଘରେ ରହୁଥିଲା ଅଖତାର । ପୁର୍ବରୁ ଆତଙ୍କବାଦୀ ଲିଙ୍କ ନେଇ କଟକରୁ ଅବଦୁଲ ରେହମାନକୁ ଗିରଫ କରିଥିଲା ପୋଲିସ । ତେବେ ପୁଣିଥରେ ଆତଙ୍କବାଦୀ ଲିଙ୍କ ନେଇ ଅଖତରଙ୍କୁ ଜେରା କରିବା ପରେ କଟକର ସୁରକ୍ଷାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।