ବ୍ୟାଙ୍କରେ ଫୁଟିଲା ଗୁଳି ! ଅସାବଧାନତାରୁ ଚାଲିଲା ବନ୍ଧୁକ, ମହିଳା କର୍ମଚାରୀ ହେଲେ ଆହତ

26

କନକ ବ୍ୟୁରୋ : ବ୍ୟାଙ୍କରେ ଗୁଳିମାଡ । ସିକ୍ୟୁରିଟି ଗାର୍ଡଙ୍କ ଗୁଳିରେ ଆହତ ହୋଇଛନ୍ତି ଜଣେ ବ୍ୟାଙ୍କ କର୍ମଚାରୀ । ଭୁବନେଶ୍ୱର ପୋଖରୀପୁଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଘଟିଛି ଏଭଳି ଅଘଟଣ । ଆହତ ବ୍ୟାଙ୍କ କର୍ମଚାରୀଙ୍କୁ ଏକ ଘରୋଇ ଡାକ୍ତରାନାରେ ଭର୍ତି କରାଯାଇଛି । ତେବେ କେମିତି ସିକ୍ୟୁରିଟି ଗାର୍ଡଙ୍କ ରାଇଫଲରୁ ଗୁଳି ଫୁଟିଲା ତାକୁ ନେଇ ଛାନଭିନ୍ ଆରମ୍ଭ କରିଛି ପୁଲିସ୍ ।

ସମୟ ସକାଳ ୧୦ ଟା ୧୦ । ପୋଖରୀପୁଟ ଅଞ୍ଚଳରେ ଥିବା ଭୁବନେଶ୍ୱରର ବ୍ୟାଙ୍କ ଅଫ୍ ଇଣ୍ଡିଆ ପରିସରରୁ ଶୁଭିଲା ଗୁଳିର ଶବ୍ଦ । ଅଳ୍ପ ସମୟ ମଧ୍ୟରେ ଲୋକାରଣ୍ୟ ହୋଇଗଲା ବ୍ୟାଙ୍କ ପରିସର । କେହି କିଛି ଘଟଣା ବୁଝିବା ପୂର୍ବରୁ ଶୁଭିଲା ଯୁବତୀଙ୍କ ଚିକ୍ରାର । କିଛି ଅଘଟଣ ଆଶଙ୍କା କରି ଭିତରକୁ ଯିବା ପରେ ସାମ୍ନାକୁ ଆସିଲା ପୂରା ସତ ।

vlcsnap-2017-12-04-21h54m23s125କୌଣସି ଲୁଟେରା କି ଦୁବୃର୍ତ୍ତ ନୁହେଁ ବରଂ ବ୍ୟାଙ୍କର ସିକ୍ୟରିଟି ଗାର୍ଡଙ୍କ ବନ୍ଧୁକରୁ ଚାଲିଥିଲା ଗୁଳି । ବ୍ୟାଙ୍କର ସୁରକ୍ଷା ପାଇଁ ହାତରେ ବନ୍ଧୁକ ଧରି ବ୍ୟାଙ୍କ ଜଗି ରହିଥିବା ସିକ୍ୟୁରିଟି ଗାର୍ଡ କରୁଣାକର ସେଠୀଙ୍କ ଗୁଳି ଭର୍ତ୍ତୀ ବନ୍ଧୁକ ଗର୍ଜନରେ କିଛି ସମୟ ପାଇଁ ଆତଙ୍କିତ ହୋଇଯାଇଥିଲେ ବ୍ୟାଙ୍କ କର୍ମଚାରୀ । ତେବେ ଏହି ଗୁଳିଟି ସିଧା ସଳଖ ପ୍ଲାଏ ବୋର୍ଡ କଣା କରି ବ୍ୟାଙ୍କର ମହିଳା କର୍ମଚାରୀଙ୍କ ଦେହରେ ବାଜିଥିଲା । ଆଉ ଘଟଣା ସ୍ଥଳରେ ହିଁ ସେ ଟଳି ପଡିଥିଲେ ।

ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ଜଣକ କାହିଁକି ଗୁଳି ଚଳାଇଲେ । କେମିତି ତାଙ୍କ ବନ୍ଧୁକରୁ ଗୁଳି ଫୁଟିଗଲା । ପୁଲିସ ସିକ୍ୟୁରିଟି ଗାର୍ଡଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହ, ବନ୍ଧୁୁକ ଜବତ କରିଛି । ତେବେ କରୁଣାକର ଗୁଳି ଭର୍ତୀ କରୁଥିବା ବେଳେ, ହଠାତ୍ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଯାଇଥିଲା । ସେ ଜାଣିଶୁଣି ଏପରି କରି ନାହାଁନ୍ତି ବୋଲି ପୁଲିସର ତଦନ୍ତ କହୁଛି । ଅନ୍ୟପଟେ ଗୁଳି ମାଡରେ ଆହତ ହୋଇଥିବା ଆଇ.ଟି ଅଫିସର ଆଦିତି ସିଂହଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତୀ କରାଯାଇଛି । ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ବ୍ୟାଙ୍କ ସୁରକ୍ଷା ପାଇଁ ଥିବା ସିକ୍ୟୁକିଟି ଗାର୍ଡଙ୍କ ସାମାନ୍ୟ ଅସାବଧାନତା ବ୍ୟାଙ୍କ କର୍ମଚାରୀ ଗୁଳି ଖାଇଲେ । ସର୍ତକତା ଓ ସାବଧାନ ଥିଲେ ହୁଏକ ଏଭଳି ଅଘଟଣ ଘଟି ନଥାନ୍ତା ।