୬ଘଂଟାର ବର୍ଷାରେ ଭୁବନେଶ୍ୱରବାସୀଙ୍କ ଭିତରେ ପଶିଲା ଛନକା : ରାସ୍ତାରୁ ଘର ସବୁଠି ଆଣ୍ଠୁଏ ଉଚ୍ଚର ପାଣି, ଲୋକେ ରାତି ଅନିଦ୍ରା

32

କନକ ବ୍ୟୁରୋ : ବର୍ଷା ହଜାଇ ଦେଲା ନିଦ । ରାତି ଅନିଦ୍ରା ହୋଇ କୃତ୍ରିମ ବନ୍ୟା ସହ ଲଢ଼ିଲେ ରାଜଧାନୀବାସୀ । ୬ ଘଂଟାର ବର୍ଷା ଲୋକଙ୍କୁ କରିଦେଲା ଛକନା । ରାସ୍ତାରୁ ଘର ସବୁଠି ଜମିଲା ଆଂଠୁଏ ପାଣି । ରାଜଧାନୀରେ ରାତିର ବର୍ଷା କେତେ ଅସହାୟ କରିପାରେ, ମଣିଷକୁ କେତେ ଦୟନୀୟ ସ୍ଥିତିକୁ ଠେଲି ଦେଇପାରେ ତାହା ଗତକାଲି ବର୍ଷା ହେବାପରେ ଜଣାପଡ଼ିଛି । ନିଘୋଡ ନିଦରେ ସହର ଶୋଇ ପଡ଼ିଛି ସତ, ହେଲେ ସହରବାସୀଙ୍କ ଆଖିରୁ ନିଦ ହଜିଯାଇଛି । ବାହାରେ ବର୍ଷା, ଘର ଭିତରେ କୃତ୍ରିମ ବନ୍ୟା । ତଳିଆ ଅଂଚଳରେ ଜୀବନ ଜିଇଁଥିବା ମଣିଷ, ଯିବ ବା’ କେଉଁଠି?

ବର୍ଷାରେ ଘର ଭିତରେ କେବଳ ଆସବାବପତ୍ର ଭାସୁ ନଥିଲା, ବରଂ ଆଖି ଆଗରେ ଭାସି ଯାଉଥିଲା ନିରୀହ ମଣିଷଙ୍କ ସ୍ୱପ୍ନ । ଗାଁରୁ ମୁହଁମୋଡି, ପେଟପାଟଣା ପାଇଁ ସହର ଚାଲି ଆସିଥିବା ବସ୍ତିବାସିନ୍ଦାଙ୍କ ପାଇଁ ସତେ ଯେମିତି ବର୍ଷା ପାଲିଟିଯାଇଥିଲା ଅଭିଶାପ । ଆଉ ଅଂଟାଏ ପାଣି ଭିତରେ ବଂଚିବାର ରାହା ଖୋଜୁଥିଲେ ।

ସହରର ମୁଖ୍ୟ ରାସ୍ତାରେ ଯଦି ଆଂଠୁଏ ପାଣି ଚାଲିବ । ଗମନାଗମନ ଏକଦମ୍ ଠପ୍ ହୋଇଯିବ, ଆପଣ କେଉଁ ମୁହଁରେ ଭୁବନେଶ୍ୱରକୁ ସ୍ମାର୍ଟ ସିଟିର ଆଖ୍ୟା ଦେବେ । ଯେଉଁ ସହରକୁ ନେଇ ଆମେ ବିଶ୍ୱସ୍ତରର ସହରର ସ୍ୱପ୍ନ ଦେଖୁଛେ, ପୂର୍ବଭାରତର ଶିକ୍ଷାନଗରୀ ବୋଲି କହୁଛେ, ବର୍ଷାରେ ତା’ର ଚିତ୍ର ଦେଖିଲା ବେଳକୁ ମୁଣ୍ଡ ତଳକୁ ହୋଇଯାଉଛି । ଏ ସମସ୍ୟା ଆଜିର ନୁହେଁ, ଧିରକୁଟି ବସ୍ତି ଓ ବଙ୍ଗଲା ସାହିର ଲୋକେ ବର୍ଷ ବର୍ଷ ଧରି ଏପରି ସଂଘର୍ଷ କରୁଛନ୍ତି । ପ୍ରତିବର୍ଷ ଲୋକ ପ୍ରଶାସନକୁ ଗୁହାରୀ କରୁଛନ୍ତି ଏବଂ ବିଏମସି କର୍ତ୍ତୃପକ୍ଷ ମିଠା ମିଠା ପ୍ରତିଶ୍ରୁତି ଦେଇ ଏମାନଙ୍କୁ ଭୁତାଇ ଚାଲିଛି ।

ରାଜଧାନୀର ବର୍ଷା ରାତି ଏବଂ ଶୀତୁଆ ପାଗରେ ବଡ ବଡ କୋଠାରେ ଆରାମରେ ଶୋଇ ରହିଥିବା ବିଏମସି ଏବଂ ବିଡିଏ କର୍ତ୍ତୃପକ୍ଷ, ପାଣି ଭିତରେ ରାତି କଟାଉଥିବା ମଣିଷଙ୍କ ଦୁଃଖ ହୁଏତ ବୁଝିବାକୁ ବିଳମ୍ବ ଲାଗିପାରେ । କିନ୍ତୁ ଗଣମାଧ୍ୟମ ପ୍ରତିନିଧିମାନେ ରାତି ତମାମ୍ ସେମାନଙ୍କ ସମସ୍ୟା ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରିଥିଲେ ।

ଲଗାଣ ବର୍ଷା ବେହାଲ କରିଛି ରାଜ୍ୟବାସୀଙ୍କୁ । ସବୁଠୁ ଅଧିକ ବର୍ଷିଛି ପୁରୀରେ । ଏଠାରେ ସର୍ବାଧିକ ୩୯୪ ମିଲିମଟର ବର୍ଷା ରେକର୍ଡ ହୋଇଛି । ଲଘୁଚାପ ବର୍ଷାରେ ଭାସୁଛି ପୁରୀ ବଡଦାଣ୍ଡ । ବଡଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି । ସେହିପରି ଅନୁଗୁଳର ତଳିଆ ଅଂଚଳ ପାଣିରେ ବୁଡି ରହିଛି । ଜାତୀୟ ରାଜପଥରେ ୩ ଫୁଟର ପାଣି ଚାଲିଛି । କଟକରେ ବି ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଘରେ ପଶିଛି ବର୍ଷା ପାଣି । ରାସ୍ତାଘାଟରେ ଆଂଠୁଏ ଉଚର ପାଣି ବୋହୁଛି । ସେପଟେ ୱେଲମାର୍କର ରୂପ ନେଇଛି ଲଘୁଚାପ । ରାତି ସୁଦ୍ଧା ଏହା ଅବପାତର ରୂପ ନେବା ସମ୍ଭାବନା ଥିବା ବେଳେ ଏହାର ପ୍ରଭାବରେ ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେପଟେ ବର୍ଷା ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡେପୁଟି ଏସଆରସି ।