୧୦୮ ଓ ୧୦୨ ଆମ୍ବୁଲାନ୍‌ସ ସେବା, ଅନ୍ୟ ବର୍ଷ ତୁଳନାରେ ଉପକୃତ ହୋଇଛନ୍ତି ୧୮ପ୍ରତିଶତ ଅଧିକ ରୋଗୀ

46

କନକ ବ୍ୟୁରୋ : ୧୦୮ ଆମ୍ବୁଲାନ୍‌ସକୁ ନେଇ ଅନେକ ବାଦବିବାଦ ସତ୍ବେ ରୋଗୀଙ୍କ ସେବାରେ ଏଥିରେ ବୃଦ୍ଧି ଘଟିଛି । ଗତବର୍ଷ ୧୦୮ ଓ ୧୦୨ ଆମ୍ବୁଲାନ୍‌ସରେ ଅନ୍ୟ ବର୍ଷ ତୁଳନାରେ ୧୮ପ୍ରତିଶତ ଅଧିକ ରୋଗୀ ସୁବିଧା ପାଇଛନ୍ତି । ରାଜ୍ୟରେ ଆମ୍ବୁଲାନ୍‌ସ ସେବା ଆରମ୍ଭ ହେବା ପରେ ୨୦୧୮ ମସିହାରେ ସର୍ବାଧିକ ସଂଖ୍ୟକ ରୋଗୀ ଡାକ୍ତରଖାନାରେ ପହଞ୍ଚି ପାରିଛନ୍ତି ।

ରାଜ୍ୟରେ ୨୦୧୩/୧୪ ମସିହାରେ ମାଗଣା ୧୦୮ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଥିଲା । ତେବେ ଠିକ୍ ସମୟରେ ଆମ୍ବୁଲାନ୍‌ସ ନ ପହଞ୍ଚିବା, ରୋଗୀଙ୍କଠାରୁ ଆମ୍ବୁଲାନ୍‌ସ କର୍ମଚାରୀ ଟଙ୍କା ମାଗିବା ଅଭିଯୋଗ ସହିତ ଅଧା ରାସ୍ତାରେ ରୋଗୀଙ୍କୁ ଛାଡ଼ି ଦେବା ଓ ଆମ୍ବୁଲାନ୍‌ସ ଦୁର୍ଘଟଣାର ଶିକାର ହେବା ଭଳି ଘଟଣା ପ୍ରତିବର୍ଷ ନଜରକୁ ଆସିଥିଲା । ଏସବୁ ଘଟଣା ୧୦୮ ଆମ୍ବୁଲାନ୍‌ସକୁ ବିବାଦୀୟ କରି ପକାଇଥିଲା ।

ଏପରିକି ରୋଗୀଙ୍କୁ ଟଙ୍କା ମାଗିବା ଘଟଣାରେ କିଛି କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା । ଏସବୁ ସତ୍ବେ ଲୋକଙ୍କୁ ସେବା ଯୋଗାଇବାରେ ୧୦୮ ଓ ୧୦୨ ଆମ୍ବୁଲାନ୍‌ସ ଆଗରେ ରହିଛି । ସୂଚନା ଅନୁସାରେ, ୨୦୧୭ରେ ରାଜ୍ୟରେ ୩ଲକ୍ଷ ୫୮ହଜାର ୬୩୩ଜଣ ରୋଗୀ ଏହି ସେବା ପାଇଥିବା ବେଳେ ଗତବର୍ଷ ଏହା ବୃଦ୍ଧି ପାଇ ୪ଲକ୍ଷ ୨୩ହଜାର ୭୩୬ରେ ପହଞ୍ଚିଛି।

୨୦୧୪ ମସିହାରେ ୪ଲକ୍ଷ ୭ହଜାର ୫୭୫ଜଣ, ୨୦୧୫ରେ ୩ଲକ୍ଷ ୭୬ହଜାର ୩୬୦ ଓ ୨୦୧୬ ରେ ୩ଲକ୍ଷ ୫୬ହଜାର ୧୬ଜଣ ଲୋକ ଏହି ମାଗଣା ଆମ୍ବୁଲାନ୍‌ସର ସୁବିଧା ପାଇଛନ୍ତି । ସେହିପରି ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ୧୦୨ ଆମ୍ବୁଲାନ୍‌ସ ମଧ୍ୟ ଅନ୍ୟ ବର୍ଷ ତୁଳନାରେ ଅଧିକ ସେବା ଯୋଗାଇବାରେ ସକ୍ଷମ ହୋଇପାରିଛି । ଗତବର୍ଷ ୧୦୨ ଆମ୍ବୁଲାନ୍‌ସରେ ୫ଲକ୍ଷ ୨୪ହଜାର ୫୫୮ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛି ।

ambulance
image courtesy – www.news.lk
ଅପରପକ୍ଷରେ ରାଜ୍ୟରେ ମାଗଣା ୧୦୮ ଓ ୧୦୨ ଆମ୍ବୁଲାନ୍‌ସ ଚଳାଉଥିବା ଜିକିଜା ସଂସ୍ଥା କର୍ତୃପକ୍ଷଙ୍କ କହିବା ଅନୁସାରେ, ଅଧିକଂଶ ସମୟରେ ଫେକ୍ କଲ, ଅସଜଡ଼ା ରାସ୍ତା ଓ ମୋବାଇଲ ନେଟୱର୍କ ଅଭାବରୁ ରୋଗୀ ସେବାରେ ସମସ୍ୟା ଉପୁଜୁଛି । ଏସବୁ ସତ୍ବେ ମାଗଣା ଆମ୍ବୁଲାନ୍‌ସ ସେବା ଲୋକଙ୍କୁ ସହାୟତା‌ ଯୋଗାଇବାରେ ସକ୍ଷମ ହୋଇପାରିଛି । ଏହାସହ ଆମ୍ବୁଲାନ୍‌ସ କର୍ମଚାରୀ ନିଜର ସାଧୁତା ପ୍ରତିପାଦନ କରିବରେ ସକ୍ଷମ ହୋଇପାରିଥିବା କର୍ତୃପକ୍ଷ କହିଛନ୍ତି ।