‘ୱାରିୟର ଇଜ୍ ବ୍ୟାକ୍’ । ପୁଣିଥରେ ମୈଦାନକୁ ଫେରିଲେ ସିକ୍ସର କିଙ୍ଗ୍, ଲଗାଇଲେ ଲମ୍ବା ଲମ୍ବା ଛକା ।

629

କନକ ବ୍ୟୁରୋ : ପୁଣି ମୈଦାନକୁ ଫେରିଲେ ସିକ୍ସର କିଙ୍ଗ୍ । ମାରିଲେ ଲମ୍ବା ଲମ୍ବା ଛକା । ସିକ୍ସର କିଙ୍ଗ୍ ଯୁବରାଜଙ୍କୁ ପୁଣିଥରେ ମୈଦାନରେ ଦେଖିବାକୁ ମିଳିଛି । ନେଟସରେ ଦୀର୍ଘ ସମୟ ଧରି ପ୍ରାକ୍ଟିସ କରିଛନ୍ତି ଯୁବରାଜ । ଆଉ ଏହି ସମୟରେ ସେହି ପୁରୁଣା ଅନ୍ଦାଜରେ ମାରିଛନ୍ତି ଲମ୍ବା ଲମ୍ବା ଛକା । ବୟସ ୪୧ ଛୁଇଁଲାଣି କିନ୍ତୁ ଥକିନାହାନ୍ତି ଯୁବରାଜ । ଯାହାର ଭିଡ଼ିଓ ନିଜେ ଯୁବରାଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ ଏହି ଭିଡ଼ିଓକୁ ବେଶ ପସନ୍ଦ କରିଛନ୍ତି କ୍ରିକେଟ ପ୍ରଶଂସକ ।

ଯୁବରାଜ ସେୟାର କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କାରରେ କିଟ୍ ବ୍ୟାଗ ଧରି ଗ୍ରାଉଣ୍ଡକୁ ଆସୁଛନ୍ତି । ଏହାପରେ ମୈଦାନକୁ ପ୍ରାକ୍ଟିସ କରିବାକୁ ଓହ୍ଲାଉଛନ୍ତି ଏବଂ ବ୍ୟାଟ୍ ଧରିବା କ୍ଷଣି ଲମ୍ବା ଲମ୍ବା ସଟ୍ ମାରୁଛନ୍ତି । ଭିଡ଼ିଓ ଆରମ୍ଭରୁ ହିଁ ଯୁବରାଜ କହୁଛନ୍ତି ‘ୱାରିୟର ଇଜ୍ ବ୍ୟାକ୍’ । ଏହାସହ କ୍ୟାପସନରେ ଲେଖିଛନ୍ତି, କଣ ମୁଁ ବହୁତ ଖରାପ କଲି କି? ଯାହା ହେବାକୁ ଯାଉଛି ତାହା ପାଇଁ ମୁଁ ବହୁତ ଉତ୍ସାହିତ ଅଛି ।

ଯୁବରାଜ ସିଂ ୨୦୧୯ ଜୁନରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଟିମ୍ ଇଣ୍ଡିଆକୁ ବିଶ୍ୱକପ ବିଜେତା କରିବା ପଛର ସବୁଠୁ ବଡ ହିରୋ ଥିଲେ ଯୁବରାଜ । ଆଉ କ୍ରିକେଟରୁ ଅବସର ପରେ ଯୁବରାଜଙ୍କୁ ସେଭଳି କୌଣସି ବଡ ଇଭେଣ୍ଟରେ ଖେଳିଥିବାର ଦେଖିବାକୁ ମିଳିନାହିଁ । କିନ୍ତୁ ଚଳିତବର୍ଷ ହେବାକୁ ଥିବା ଲିଜେଣ୍ଡ କ୍ରିକେଟ ଲିଗରେ ଯୁବରାଜ ସିଂଙ୍କୁ ଦେଖିବାକୁ ମିଳିବ । ଇଣ୍ଡିଆ ମହାରାଜା ଟିମ୍ ପକ୍ଷରୁ ଖେଳିବେ ଯୁବରାଜ ସିଂ । ଯେଉଁ ଦଳର ନେତୃତ୍ୱ ନେବେ ସୌରଭ ଗାଙ୍ଗୁଲି ।

ଆଗାମୀ ସେପ୍ଟେମ୍ବର ମାସରେ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଏକ ସ୍ୱତନ୍ତ୍ର ମ୍ୟାଚର ଆୟୋଜନ କରାଯିବ । ଯେଉଁଠି ୱାର୍ଲ୍ଡ ଜାଏଣ୍ଟସକୁ ଭେଟିବ ଇଣ୍ଡିଆ ମହାରାଜ । ଗାଙ୍ଗୁଲିଙ୍କ ନେତୃତ୍ୱରେ ପୁଣିଥରେ ଅନେକ ପୁରୁଣା ଭାରତୀୟ ଖେଳାଳୀଙ୍କୁ ଏକାଠି ଦେଖିବାକୁ ମିଳିବ । ୱାର୍ଲ୍ଡ ଜାଏଣ୍ଟସର ନେତୃତ୍ୱ ଭାର ମୋର୍ଗାନଙ୍କ କାନ୍ଧରେ ରହିଛି । ତେଣୁ ଲିଜେଣ୍ଡ ଲିଗ୍ କ୍ରିକେଟରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ ।