ଗୋପାଳନ ଓ ଦୁଗ୍ଧ ସଂଗ୍ରହ କେନ୍ଦ୍ର କରି ଉପକୃତ ହେଉଛନ୍ତି ମାର୍ଶାଘାଇ ଅଂଚଳର ବି-ଟେକ୍ ପଢ଼ୁଆ ଯୁବକ, ଦିନକୁ ଉତ୍ପାଦନ ହେଉଛି ୬୦ରୁ ୬୫ ଲିଟର କ୍ଷୀର

185

କନକ ବ୍ୟୁରୋ : ବିଟେକ୍ ଇଂଜିନିୟରଙ୍କ ଗୋ-ପାଳନ । ଜର୍ଶି, ହଲିଷ୍ଟନ ଭଳି ଉନ୍ନତ କିଶମର ପାଖାପାଖି ୧୦ରୁ ଅଧିକ ଗାଇ ରଖିଛନ୍ତି କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଳକ ନରେନ୍ଦ୍ରପୁର ଗାଁର ଆଲୋକ ଚନ୍ଦ୍ର ପଲେଇ । ଫାର୍ମାରେ ଥିବା ଗାଇଙ୍କୁ ଖାଇବାକୁ ଦେବା, ଗାଇ ଦୁଇଁବା ଭଳି ସେ ସମସ୍ତ କାମ କରନ୍ତି । ତାଙ୍କର ଏହି ଫାର୍ମରୁ ଦିନକୁ ୬୦ରୁ ୬୫ ଲିଟର କ୍ଷୀର ଉତ୍ପାଦନ ହେଉଛି । ଯାହା ତାଙ୍କୁ ଭଲ ରୋଜଗାର ଦେଉଥିବା ସେ କହିଛନ୍ତି । ଗୋପାଳନ ସହିତ ଏକ ଦୁଗ୍ଧ ସଂଗ୍ରହ କେନ୍ଦ୍ର କରିଛନ୍ତି ଆଲୋକ । ଏହି ଦୁଗ୍ଧ ସଂଗ୍ରହ କେନ୍ଦ୍ରରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଲୋକ ଦୈନିକ କ୍ଷୀର ପଇଠ କରନ୍ତି । ଏହା ଦ୍ୱାରା ସେ ନିଜେ ଉପକୃତ ହେବା ସହ ଅନ୍ୟ କ୍ଷୀର ଚାଷୀ ମାନେ ମଧ୍ୟ ଉପକୃତ ହେଉଛନ୍ତି । ସମସ୍ତ ଖର୍ଚ୍ଚ ଯାଇ ବାର୍ଷିକ ୪ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ବି-ଟେକ ଇଂଜିନିୟର । ବିନା କିଛି ସରକାରୀ ସହାୟତାରେ ସେ ଏସବୁ କରିପାରିଛନ୍ତି । ଆଗକୁ କିଛି ସରକାରୀ ସହାୟତା ମିଳିଲେ କ୍ଷୀର ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।

ପିଲାଦିନୁ ଚାଷ ଓ ଗୋପାଳନ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ପରିବାର ଲୋକଙ୍କ ସହଯୋଗରେ ସେ ଏଭଳି ପ୍ରୟାସ କରି ସଫଳ ହୋଇଛନ୍ତି । ୨୦୧୫ରେ ବି-ଟେକ୍ ଶେଷ କରିବା ପରେ ଏକାଧିକ ଘରୋଇ କମ୍ପାନୀରେ ଚାକିରି କରିଥିଲେ ଆଲୋକ । ଏବେ ବି ସେ ଏକ ଘରୋଇ କମ୍ପାନୀରେ ଘରେ ରହି କାମ କରୁଛନ୍ତି । ତା ସହିତ ଗାଇ ଫାର୍ମ ଓ ଦୁଗ୍ଧ ସଂଗ୍ରହ କେନ୍ଦ୍ର କରି ଭଲ ରୋଜଗାର କରୁଛନ୍ତି ।

ଚାକିରି କରିବା ସହିତ ନିଜସ୍ୱ ଉଦ୍ୟମରେ ଗୋପାଳନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଆଲୋକ ।