କଳାହାଣ୍ଡି କୋକସରା ଅଂଚଳରେ ଏସଏଚଜି ମହିଳାଙ୍କ ନିଆରା ପ୍ରୟାସ, ଆମ୍ବ ଓ ପିଜୁଳି ବଗିଚା ଲିଜ୍ ନେଇ ହେଉଛନ୍ତି ଆତ୍ମନିର୍ଭର

358

କନକ ବ୍ୟୁରୋ : କଥାରେ ଅଛି, ଇଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣିତ କରିଛନ୍ତି କଳାହାଣ୍ଡି କୋକସରା ବ୍ଲକ କନ୍ଦାଗଡ଼ ଗାଁର ଏସଏଚଜି ମହିଳା । ଆଦିବାସୀ ପ୍ରବଣ ଏହି ଅଂଚଳର ମହିଳା ମାନେ ଦିନେ କାମ ଧନ୍ଦା ନପାଇ ଘରେ ବସି ରହୁଥିଲେ । ଏବେ ମିଶନ ଶକ୍ତି ସହାୟତାରେ ଆମ୍ବ ଓ ପିଜୁଳି ବଗିଚା ଲିଜ୍ ନେଇ ଲାଭବାନ ହେଉଛନ୍ତି । ବିନା ସୁଧରେ ମଶନ ଶକ୍ତିରୁ ୨ଲକ୍ଷ ଟଙ୍କା ରୁଣ ନେଇ ପ୍ରଥମେ ସ୍ଥାନୀୟ ଅଂଚଳର କିଛି ଆମ୍ବ ଓ ପିଜୁଳି ଗଛ ବଗିଚା ଲିଜ ନେଇଥିଲେ । ବର୍ଷକ ତଳେ ଏହି ସବୁ ବଗିଚା ଲିଜ ନେଇଥିଲେ ଏସଏଚଜି ମହିଳା । ବର୍ତମାନ ଆମ୍ବରୁତୁ ଚାଲିଥିବା ବେଳେ ଭଲ ବିକ୍ରି ବଟା ହେଉଛି । ଯାହାଦ୍ୱାରା ସେମାନେ ତାଙ୍କ ପରିବାର ପ୍ରତିପୋଷଣରେ ଉନ୍ନତି ଆସିପାରିଛି ।

୧୦ ଜଣ ମହିଳାଙ୍କୁ ନେଇ ୨୦୦୩ରୁ ଆରମ୍ଭ ହୋଇଥିଲା ଏହି ଗ୍ରୁପ୍ । ଯାହାର ନାଁ ରଖିଥିଲେ ମା’ ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ । ପ୍ରତିମାସରେ କିଛି କିଛି ଟଙ୍କା ଆଦାୟ କରି ଏମାନେ ସଂଚୟ କରୁଥିଲେ । ପରବର୍ତି ସମୟରେ ମିଶନ ଶକ୍ତି ପକ୍ଷରୁ ମହିଳାମାନଙ୍କୁ ସହାୟତା ମିଳିବାରୁ ସେମାନେ ଏଭଳି କିଛି କାମ ହାତକୁ ନେଇଛନ୍ତି । ଏହି ବଗିଚାରେ ବିଭିନ୍ନ ପ୍ରକାରର ୨୫୦ରୁ ଅଧିକ ଆମ୍ବ ଗଛ ରହିଛି । ସେହିପରି ୧୫୦ରୁ ଅଧିକ ପିଜୁଳି ରହିଛି । ଏମାନେ ବଳକା ସମୟକୁ ଉପଯୋଗ କରି ଏହି ସବୁ ଗଛର ଯତ୍ନ ନେଉଛନ୍ତି । ବଗିଚାରୁ ଆମ୍ବ ଓ ପିଜୁଳି ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ପାଖାପାଖି ୧ ଏକର ଜମିରେ ପିଜୁଳି ହୋଇଥିବା ବେଳେ ୩ ଏକର ଜମିରେ ହୋଇଛି ଆମ୍ବ ଚାଷ । ପିଜୁଳିରୁ ଚଳିତ ବର୍ଷ ୨୦ ହଜାର ଟଙ୍କା ପାଇଥିବା ବେଳେ ଅମ୍ବରୁ ୮୦ ହଜାର ଟଙ୍କା ପାଇଛନ୍ତି ।

ଫଳ, ପନିପରିବା, ଧାନ, ବିରି, ମୁଗ, ମାଣ୍ଡିଆ ଆଦି ପ୍ରମୁଖ ଚାଷ କରିଥାଆନ୍ତି ଚାଷୀ ଭାଇ । କିନ୍ତୁ ଏବେ ଯୁଗ ବଦଳିଯାଇଛି । ମହିଳା ମାନେ ମଧ୍ୟ ଚାଷ କ୍ଷେତ୍ରରେ ପାଦ ଦେଇଛନ୍ତି । ନିଜକୁ ପୁରୁଷଠୁ କମ୍ ମନେନକରି ଫଳ ଚାଷ କରୁଛନ୍ତି । କଳାହାଣ୍ଡି କୋକସରା ଅଂଚଳର ଏହି ମହିଳା ମାନେ ଆମ୍ବ ଓ ପିଜୁଳି ଚାଷ କରି ସଫଳତା ପାଇଛନ୍ତି ।