ନୟାଗଡ଼ରେ ଯୁବକଙ୍କୁ ନିର୍ମମ ହତ୍ୟା ! ଘରୁ ଡାକି ନେଇ ଧାରୁଆ ଅସ୍ତ୍ରରେ ହତ୍ୟା,ରାଜନୈତିକ ଶତ୍ରୁତା କାରଣରୁ ହତ୍ୟା ସନ୍ଦେହ

22

କନକ ବ୍ୟୁରୋ : ନୟାଗଡ଼ ଶରଣକୁଳ ଥାନା କେଶପାନିଆରେ ଯୁବକଙ୍କୁ ନିର୍ମମ ହତ୍ୟା । ଘରୁ ଡାକି ନେଇ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ସୁବା ଦାଶ । ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ଛାନଭିନ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଶ୍ରୀ ଦାଶଙ୍କ ମୋବାଇଲ ଫୋନକୁ ଏକ କଲ ଆସିଥିଲା। ଏଥିରେ ତାଙ୍କର କେହି ଚିହ୍ନା ପରିଚୟ ବ୍ୟକ୍ତି ପାଣି ବୋତଲ ନେଇ ହାଇସ୍କୁଲ ପାଖକୁ ଯିବାକୁ କହିଥିଲେ । ଏହି ଫୋନ୍ କଲ ପାଇବା ପରେ ଶ୍ରୀ ଦାଶ ଘରୁ ପାଣି ବୋତଲ ନେଇ ବାହାରକୁ ଯାଇଥିଲେ। ତେବେ ରାତି ସାଢ଼େ ୧ଟା ସୁଦ୍ଧା ଶ୍ରୀ ଦାଶ ଘରକୁ ନ ଫେରିବାରୁ ସନ୍ଦେହରେ ପରିବାର ଲୋକେ ସ୍କୁଲ ପାଖକୁ ଯାଇ ଖୋଜାଖୋଜି କରିଥିଲେ । ସେଠାରେ ଶ୍ରୀ ଦାଶଙ୍କ ମୁଣ୍ଡକୁ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖି ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପୁଲିସ ସନ୍ଦେହ କରଉଛି କି, ଶ୍ରୀ ଦାଶଙ୍କ କୌଣସି ପରିଚିତ ଲୋକଙ୍କ ସହାୟତାରେ ତାଙ୍କୁ ପାଣି ବୋତଲ ଆଣିବା ବାହାନାରେ ବାହାରକୁ ଡ଼କାଯାଇଛି । ଶ୍ରୀ ଦାଶ ପାଣି ବୋତଲ ନେଇ ଯିବା ମାତ୍ରେ ତାଙ୍କୁ ଆକମଣ କରି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।