ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ କୁଲଡିହା ଅଭୟାରଣ୍ୟ : ହାତୀକୁ ମାରି ଦାନ୍ତ ଚୋରି କରି ନେଲେ ଶିକାରୀ; ପାଟ୍ରୋଲିଂ ବେଳେ ମିଳିଲା ଗୁଳିବିଦ୍ଧ ଦନ୍ତାର ମୃତଦେହ

84

କନକ ବ୍ୟୁରୋ : ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହେଲାଣି କୁଲଡିହା ଅଭୟାରଣ୍ୟ । ବର୍ଷକ ଭିତରେ ଏଠାରେ ୬ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଏକ ଦନ୍ତା ହାତୀକୁ ଗୁଳିକରି ଦାନ୍ତ କାଟି ନେଇଛନ୍ତି ଶିକାରୀ । ଅଭୟାରଣ୍ୟର କଳମାଚତୁରୀ ନିକଟରେ ୩ ଦିନ ତଳେ ଏକ ବିରାଟକାୟ ଦନ୍ତାକୁ ମାରିଦିଆଯାଇଥିଲେ ମଧ୍ୟ ବନବିଭାଗ ଏହାର ଟେରନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପେଟ୍ରୋଲିଂରେ ଯାଇଥିବା ବନ ବିଭାଗର କିଛି କର୍ମଚାରୀ ଗୁଳିବିଦ୍ଧ ଦନ୍ତାର ମୃତଦେହ ଠାବ କରିଛନ୍ତି ।

ଗୁରୁବାର ସକାଳେ ଦନ୍ତା ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନେ ଆଗୁଆ ଖବର ପାଇଁ ଯାଇଥିବା ବେଳେ ଅଭୟାରଣ୍ୟ କର୍ମଚାରୀ ଦୋଷ ଲୁଚାଇବା ପାଇଁ ଗେଟରେ ତାଲା ପକାଇ ଭିତରକୁ କାହାକୁ ଛାଡ଼ିନଥିଲେ । ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନା ଓ ବନ କର୍ମଚାରୀଙ୍କ ସହ ବାଲେଶ୍ୱର ଡିଏଫଓ ଖୁସବନ୍ତ ସିଂ ଘଟଣା ସ୍ଥଳରେ ପହଂଚି ହାତୀ ମୃତ୍ୟୁର ତଦନ୍ତ କରିଛନ୍ତି । ଅନ୍ୟପଟେ ଭୁବନେଶ୍ୱର ସ୍ପେଶାଲ ଟାସ୍କଫୋର୍ସ ଦ୍ୱାରା ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏଫଓ । ବର୍ଷକ ଭିତରେ ଅଭୟାରଣ୍ୟରେ ୭ଟି ହାତୀଙ୍କ ମୃତ୍ୟୁ ହେବା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।

ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ହାତୀ-ମଣିଷ ସଂଘର୍ଷ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଗତ ୫ ବର୍ଷରେ ଓଡ଼ିଶାରେ ୪୧୬ ହାତୀଙ୍କ ମୃତ୍ୟୁ ହୋଇଛି । ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃ୍ତ୍ୟୁବରଣ କରୁଛନ୍ତି । ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ସାତଟି ହାତୀ ମୃତ୍ୟୁମୁଖରେ ପଡ଼ିଥିବାବେଳେ ଏହା ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ । ହାତୀ ଭଳି ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ ।