ଚାଲିଲା କଂସ ରାଜୁତି ! ବରଗଡ଼ ହେଲା ମଥୁରାନଗରୀ, ଅମ୍ବାପାଲି ହେଲା ଗୋପପୁର

38

କନକ ବ୍ୟୁରୋ: ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ବରଗଡ଼ରେ ଚାଲିବ କଂସର ରାଜୁତି । ୧୧ ଦିନ ଧରି ବିଶ୍ୱର ଏହି ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚରେ ଅଭିନୀତ ହେବ ମହାନାଟକ-ଧନୁଯାତ୍ରା । ଏବେ ବରଗଡ଼ ପାଲଟିଛି ମଥୁରା ନଗରୀ, ଅମ୍ବାପାଲି ହୋଇଛି ଗୋପପୁର । ବରଗଡ-ଅମ୍ବାପାଲି ମଧ୍ୟ ଦେଇ ପ୍ରବାହିତ ଜୀରାନଦୀ ଯମୁନା ନଦୀର ରୂପ ନେଇଛି । ଧନୁଯାତ୍ରାର ନାଟ୍ୟାଭିନୟରେ ପ୍ରଥମେ ଦେବକୀ ବସୁଦେବଙ୍କ ବିବାହ ସମ୍ପର୍ଣ୍ଣ ହେବ  । ପରେ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ନିଜ ମୃତ୍ୟୁର କାରଣ ହେବ ବୋଲି ଜାଣିବା ପରେ କଂସ ମହାରାଜ ବିଚଳିତ ହୋଇପଡ଼ିଛନ୍ତି ।

ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ମଥୁରା ସିଂହାସନ  ଅକ୍ତିଆର କରିଛନ୍ତି । ଏହାପରେ ଦେବକୀଙ୍କୁ କାରଗାରକୁ ପଠାଇ ଦେଇ କଂସ ମହାରାଜ କିପରି ମଥୁରାରେ ରାଜୁତି କରୁଥିଲେ ତାହା ଏହି ଯାତ୍ରାରେ ଦେଖିବାକୁ ମିଳିବ । ବରଗଡ ସହରବାସୀ, କଳାକାର, ଆୟୋଜକ, ଦର୍ଶକ ସମସ୍ତେ ଫେରିଯାଇଛନ୍ତି ସେଇ ଦ୍ୱାପର ଯୁଗକୁ । ପୌରାଣିକ କଥାବସ୍ତୁ ଓ ଘଟଣାକ୍ରମରେ ନାଟ୍ୟାଭିନୟ ପାଇଁ ସହରର ବିଭିନ୍ନ ଅଂଚଳ ପାଲଟିଯାଇଛି ଦ୍ୱାପର ଯୁଗର ସେହି ଆସ୍ଥାନ ଓ ପବିତ୍ର ଭୂମି ।

ଉଲ୍ଲେଖ ଥାଉ କି, ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ଏହି ଯାତ୍ରା ୨୦୧୮ ଜାନୁଆରି ୨ ପର୍ଯ୍ୟନ୍ତ ଚାଲିବ । ଧନୁଯାତ୍ରା କମିଟର ସଦସ୍ୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ଏହି ଅବସରରେ ସାଂସଦ ସୁବାସ ସିଂହ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ, ଆରକ୍ଷୀ ଅଧିକ୍ଷକ ଯୁଗଳ କିଶୋର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ଓ ଉପାଧ୍ୟକ୍ଷା କଳ୍ପନା ମାଝୀ ଉପସ୍ଥିତ ଥିଲେ । ନିଶାମଣି ପଡ଼ିଆରେ ସୁସଜ୍ଜିତ ରଙ୍ଗମହଲର ଉଦଘାଟନ ପରେ ବରଗଡ଼ରେ ମଥୁରା ରାଜା କଂସଙ୍କ ଶାସନ ଆରମ୍ଭ ହୋଇ ଯାଇଛି ।

ପୂର୍ବରୁ ତଥା ଗତକାଲି ଅପରାହ୍ନରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଥିଲା । ଏଥିରେ ବରଗଡ଼ ସହରର ୧୭ଟି ଦଳ ସାମିଲ ଥିଲେ । ରଙ୍ଗମହଲରେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦ୍ୱାପର ଯୁଗର ଦେବକୀ-ବସୁଦେବଙ୍କ ବିବାହ, କଂସକୁ ଦୈବୀ ବାଣୀ, ଦେବକୀଙ୍କ ଅଷ୍ଟମ ସନ୍ତାନର ଜନ୍ମ ଆଧାରିତ ନାଟକ ହେବ ।