ପିଲା ନାଚିଲେ ସସପେଣ୍ଡ ହେବେ କି ପ୍ରଧାନ ଶିକ୍ଷୟିତ୍ରୀ? ଗଞ୍ଜାମ ଘଟଣା ପରେ ଆରମ୍ଭ ହେଲା ଚର୍ଚ୍ଚା

150

କନକ ବ୍ୟୁରୋ: ସ୍କୁଲରେ ପିଲାମାନେ ନାଚି ପାରିବେ ନାହିଁ । ବନ୍ଦିଶାଳାରେ ରହିବା ଭଳି କଠୋର ନିୟମ ଭିତରେ ରହିବେ । ଏଭଳି ଧାରଣା ଏବେ ବି ବଦଳି ପାରିନାହିଁ । ଏକ ଫେଆରୱେଲ୍ ପାର୍ଟିରେ ପିଲା ନାଚିବାରୁ ପ୍ରଧାନ ଶିକ୍ଷୟିତ୍ରୀ ସସପେଣ୍ଡ ହୋଇଛନ୍ତି । ଯାହାକୁ ଗ୍ରହଣ କରିପାରୁନାହିଁ ବୁଦ୍ଧୀଜୀବୀ ଓ ଶିକ୍ଷାବିତ୍ । ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଭାରତୀୟ ଫିଲ୍ମ ମ୍ୟାଡାମ୍ ଗୀତାରାଣୀର କାହାଣୀ ମନେ ପଡୁଛି । ଏହି ଚଳଚିତ୍ରରେ ବ୍ୟବସ୍ଥା ସହ ଲଢ଼େଇ କରୁଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ପିଲାମାନଙ୍କୁ ଖେଳକୁଦ ନାଚଗୀତରେ ଶିକ୍ଷା ଦେବା ପାଇଁ ପ୍ରୟାସ କରୁଛନ୍ତି । ଫଳରେ ସରକାରୀ ସ୍କୁଲରୁ ମୁହଁ ଫେରାଇ ନେଉଥିବା ପିଲା, ବେସରକାରୀ ସ୍କୁଲ ଛାଡି ପୁଣିଥରେ ସରକାରୀ ସ୍କୁଲକୁ ଫେରି ଆସୁଛନ୍ତି । ତେଣୁ ଶିକ୍ଷାର ବାତାବରଣ କିପରି ହେବା ଉଚିତ, ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି ।

ଦକ୍ଷିଣ ଭାରତୀୟ ଫିଲ୍ମ ମ୍ୟାଡାମ ଗୀତାରାଣୀର ଏକ ଝଲକ । କିପରି ଖେଳକୁଦ ନାଚଗୀତରେ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ପ୍ରୟାସ କରୁଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ, ତାହା ଏହି ଚଳିଚିତ୍ରରେ ଦର୍ଶାଯାଇଛି । ପ୍ରଶାସନିକ କାଇଦା କଟକଣାର ଉଦ୍ଧ୍ୱର୍କୁ ଉଠି ପ୍ରଧାନ ଶିକ୍ଷୟିତ୍ରୀ ପୂରା ବ୍ୟବସ୍ଥାକୁ ବଦଳାଇଛନ୍ତି, ତାହା ହେଉଛି ଚଳଚିତ୍ରର ବିଷୟବସ୍ତୁ । ଚଳଚିତ୍ରର ଏହି ଝଲକ ଦେଖାଇବାର କାରଣ ହେଉଛି, ଫେୟାରୱେଲ ପାର୍ଟିରେ ପିଲା ନାଚିବାରୁ ସସପେଣ୍ଡ ହୋଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ଗଂଜାମ ଶେରଗଡର ବରମୁଣ୍ଡୁଳି ସ୍କୁଲର ପିଲାମାନେ ନାଚିବାରୁ ତାଙ୍କୁ ଦଣ୍ଡ ମିଳିଛି । ତାଙ୍କର ଭୁଲ ହେଉଛି ଯେ ତାଙ୍କ ସ୍କୁଲରେ ପିଲାମାନେ ଖୁସିରେ ନାଚୁଛନ୍ତି । ପ୍ରଶାସନର ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ୍ ।

ଗଂଜାମ ଜିଲ୍ଲା ପ୍ରଶାସନ ହୁଏତ ଭାବୁଛି, ସ୍କୁଲ ଏକ ବନ୍ଦୀଶାଳା ଏବଂ ଏଠାରେ କେହି ଖୁସିରେ ନାଚି ପାରିବେନାହିଁ । ବୋଧହୁଏ ସେମାନେ ଭାବୁଛନ୍ତି, ସ୍କୁଲରେ ଚୁପ୍ ହୋଇ ବସିବା ଉଚିତ୍, ପାଟି ଖୋଲିବା ଉଚିତ ନୁହେଁ । ତେଣୁ ଏଭଳି ଏକ ଦଣ୍ଡ ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଚିବ କହିଛନ୍ତି, କରୋନା ଯୋଗୁଁ ପିଲାମାନେ ନିସଙ୍ଗ ମଧ୍ୟରେ ରହିଥିଲେ । ତେଣୁ ସେମାନେ ଖୁସି ମନାଇଛନ୍ତି ।

ବିଭିନ୍ନ ରାଜ୍ୟରେ ଏବେ ମଡେଲ ସ୍କୁଲ କରାଯାଉଛି । ନାଚଗୀତରେ ପାଠପଢ଼ା ଠାରୁ ଆରମ୍ଭ କରି ଶିକ୍ଷାର ବାତାବରଣକୁ ବଦଳାଇବା ପାଇଁ ମତ ପ୍ରକାଶ ପାଉଛି । ଚାପମୁକ୍ତ ଶିକ୍ଷା ପାଇଁ ପ୍ରୟାସ କରାଯାଉଥିବା ବେଳେ ସ୍କୁଲ ପରିସରରେ ପିଲା ନାଚିବାରୁ ପ୍ରଧାନ ଶିକ୍ଷୟିତ୍ରୀ ସସପେଣ୍ଡ ହେବା ଘଟଣାକୁ ଗ୍ରହଣ କରି ପାରୁନାହାନ୍ତି ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ । ସେପଟେ ନିଲମ୍ବିତ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢୀ କହିଛନ୍ତି, ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ।