ଜଳେଶ୍ୱରରେ ଅଭାବନୀୟ ଘଟଣା: ନିଜ ବୋହୂକୁ ଗୁଣିଆ ହାତକୁ ଟେକିଦେଲେ ଶାଶୁ

335

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଏକ ଏମିତି ଖବର ଆସିଛି, ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେବ । ପାରିବାରିକ ଅଶାନ୍ତିରୁ ମୁକ୍ତି ଏବଂ ଚାକିରି ମିଳିବ କହି, ନିଜ ବୋହୂକୁ ଗୁଣିଆ ହାତକୁ ଟେକିଦେଲା ଶାଶୂ । ଆଉ ବନ୍ଦ କୋଠରୀ ଭିତରେ ୭୯ ଦିନ ରଖି ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା ଲମ୍ପଟ ଗୁଣିଆ ।

ଅଭିଯୋଗ ଅନୁଯାୟୀ, ୪ ବର୍ଷ ତଳେ ମହିଳାଙ୍କ ବିବାହ ହୋଇଥିଲା । ସ୍ୱାମୀ ବାହାର ରାଜ୍ୟକୁ କାମ କରିବାକୁ ଯିବା ପରେ, ଶାଶୂ ଶ୍ୱଶୁର ମହିଳାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଏପରିକି ବୋହୂକୁ ମାରିଦେବାର ଷଡ଼ଯନ୍ତ୍ର କରି ଏକ ଗୁଣିଆ ପାଖକୁ ନେଇଯାଇଥିଲେ ଶାଶୂ । ଆଉ ଗୁଣିଆ ସହ ଶାରିରୀକ ସମ୍ପର୍କ ରଖିବାକୁ ବୋହୂକୁ ବାଧ୍ୟ କରିଥିଲେ । ରାଜି ନହେବାରୁ ଶାଶୂ ଓ ଗୁଣିଆ ମିଶି ତାଙ୍କୁ ମାଡ଼ ମାରିବା ପରେ ତାଙ୍କ ଅଢ଼େଇ ବର୍ଷର ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ମହିଳାଙ୍କୁ ନିଶା ଦେଇ ଏହି ସୈତାନ ଗୁଣିଆ ତାଙ୍କୁ ମୟୂରଭଞ୍ଜର ଏକ ଗାଁକୁ ନେଇଯାଇଥିଲା । ଆଉ ସେଠାରେ ଏକ ବନ୍ଦ କୋଠରୀରେ ୭୯ ଦିନ ରଖି ତାଙ୍କ ଅଢ଼େଇ ବର୍ଷର ପୁଅ ସାମ୍ନାରେ ବାରମ୍ବାର ଦୁଷ୍କର୍ମ କରୁଥିଲା । ଖବର ପାଇ ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ଗୁଣିଆ ମାଡ଼ରେ ପୀଡ଼ିତାଙ୍କ ଦେହରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କ ପୁଅର ଗୋଡ଼ ଭାଙ୍ଗିଯାଇଛି । ତେବେ ଗୁଣିଆ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ଲାଗି ଧରପଗଡ଼ ଆରମ୍ଭ କରିଛି ପୋଲିସ ।