ପଦ ଏକ, ଦାବିଦାର ଅନେକ । ପିସିସି ସଭାପତି ଭାବେ କାହା ନାଁରେ ମୋହର ମାରିବେ ରାହୁଲ, ତାରା କହିଲେ, ଦାବି କରିନି ହେଲେ ମିଳିଲେ ଛାଡିବେନି ।

115

କନକ ବ୍ୟୁରୋ : ପିସିସି ପରିବର୍ତ୍ତନ ନେଇ କଂଗ୍ରେସରେ କସରତ ଚାଲିଥିବାବେଳେ ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ଚର୍ଚ୍ଚାର ଖୋରାକ ଯୋଗାଇଛି । ସୁର କହିଛନ୍ତି, ରାହୁଲଙ୍କୁ ଦେଖା କରିଥିବା ୧୭ ଜଣଙ୍କ ମଧ୍ୟରୁ ୧୦ ଜଣ ପିସିସି ସଭାପତି ଦାବିଦାର ଥିବା ଜଣାଇଛନ୍ତି । ସେପଟେ ବିଧାୟକ ତାରା ବାହିନୀପତି କହିଛନ୍ତି, ସେ ସଭାପତି ପଦ ପାଇଁ ଆଶାୟୀ ନୁହନ୍ତି, କିନ୍ତୁ ପଦ ମିଳିଲେ ଛାଡିବେ ନାହିଁ ।

ଦିଲ୍ଲୀରେ ରାହୁଲଙ୍କ ସହ ପିିସିସି ପରିବର୍ତନ ନେଇ ଆଲୋଚନା କରି ଫେରିବା ପରେ ଜଟଣୀ ବିଧାୟକଙ୍କ ଏହି ବୟାନ ଏବେ ବେଶ ରୋଚକ ହୋଇଛି । ସୁରଙ୍କ କହିବା କଥା ହେଲା, ୧୭ ଜଣ ରାହୁଲଙ୍କ ସାକ୍ଷାତ କରିଥିଲେ । ଆଉ ଏମାନଙ୍କ ମଧ୍ୟରୁ ପ୍ରାୟ ୧୦ରୁ ଅଧିକ ନେତା ପିସିସି ସଭାପତି ପାଇଁ ଆଶାୟୀ ଥିବା ଜଣାଇଛନ୍ତି । ଆଉ ଏହି ବୟାନ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ସୁର ରାଉତରାୟଙ୍କ ବୟାନ ସ୍ପଷ୍ଟ କରୁଛି ଯେ, ସଭାପତି ପଦ ନେଇ ରାଜ୍ୟରେ କଂଗ୍ରେସରେ ଏବେ ବି କନ୍ଦଳ କେତେ ମାତ୍ରାରେ ରହିଛି । ରାହୁଲଙ୍କ ଆଗରେ ସବୁ ନେତା ନିଜ ନିଜ ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ଅଧିକାଂଶ ଚାହିଁଛନ୍ତି ନିଜେ ହିଁ ସଭାପତି ହେବେ ।

ସେପଟେ ରାହୁଲ ଗାନ୍ଧି ଶୃଙ୍ଖଳାର ପାଠ ପଢାଇଥିଲେ ବ ପିସିସି ପଦ ନେଇ ତାରାଙ୍କ ବୟାନ ଚର୍ଚ୍ଚାର ବିଷୟ ହୋଇଛି । ସେ କହିଛନ୍ତି, ରାହୁଲ ଯାହାକୁ ସଭାପତି କରିବେ ସେ ତାଙ୍କ ସହ କାମ କରିବେ । ରାହୁଲଙ୍କୁ ପିସିସି ସଭାପତି ହେବେ ବୋଲି ସେ କହିନାହନ୍ତି । ପିସିସି ସଭାପତି ପାଇଁ ସେ ଆଶାୟୀ ନୁହନ୍ତି , କିନ୍ତୁ ପଦ ମିଳିଲେ ଛାଡିବେନି ବୋଲି କହିଛନ୍ତି ଜୟପୁର ବିଧାୟକ ।

ରାଜ୍ୟ ନେତାଙ୍କ ବୟାନବାଜି ମଧ୍ୟରେ ଯାହା ଜଣାପଡୁଛି ରାଜ୍ୟରେ ପିସିସି ସଭାପତିଙ୍କ ନାଁ ଘୋଷଣା ବିଳମ୍ବ ହୋଇପାରେ । ଚଳିତ ସପ୍ତାହରେ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଆରମ୍ଭ ହେବ । ଏଥିରେ ସବୁ ରାଜ୍ୟର ପ୍ରାୟ ୪ ଶହରୁ ଅଧିକ ନେତା ଯୋଗଦେଇ ନିଜର ମତ ରଖିବେ । ଆଉ ତା ପରେ ଯାଇ ପିସିସି ସଭାପତି ପଦ ଘୋଷଣା ହୋଇପାରେ ।