ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ ଅର୍ଥବ୍ୟବସ୍ଥା । ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ଚେତାବନୀ । ପଢନ୍ତୁ ପୂରା ଖବର …

286

କନକ ନ୍ୟୁଜ: ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ଚେତାବନୀ । ଆଗାମୀ ଦୁଇ ଦିନରେ ଯଦି ଦେଶରେ ନୂଆ ସରକାର ନିଯୁକ୍ତ ନହୁଅନ୍ତି ତେବେ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଯିବ । ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ନନ୍ଦଲାଲ ବିରାସିଙ୍ଘେ ପ୍ରେସମିଟ କରି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ।ବିରାସିଙ୍ଘେ କହିଛନ୍ତି, କେହି ମଧ୍ୟ ଏହିଭଳି ସ୍ଥିତିକୁ ରୋକିପାରିବେ ନାହିଁ । ରାଜନୈତିକ ସ୍ଥିରତା ପୁଣି ଥରେ ଦେଶରେ ଆରମ୍ଭ କରିବାକୁ ପଡିବ ।

ଦେଶର ସ୍ଥିତିକୁ ଠିକ୍ କରିବା ପାଇଁ ପ୍ରଥମେ ଦେଶରେ ନୂଆ ସରକାରର ଆବଶ୍ୟକତା ରହିଛି । ତେବେ ଏପଟେ ଚାଲିଥିବା ରାଜନୈତିକ ଅସ୍ଥିରତା ଭିତରେ ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ଶୁଣିବାକୁ ମିଳୁଛି ଯେ, ସାଜିଥ ସେତେବେଳେ ଦାୟିତ୍ୱ ନେବେ ଯେତେବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ନିଜ ପଦ ଛାଡିବେ । ଗୋଟାବାୟା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ଭାଇ । ମହିନ୍ଦା ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସମର୍ଥକ ପ୍ରଦର୍ଶନକାରୀଙ୍କ ଉପରେ ଆକ୍ରମଣ କରିବାର କିଛି ଘଣ୍ଟା ପରେ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ ହୋଇଛି । ରାଜଧାନୀ କଲୋମ୍ବୋ ସେନାର ଯବାନ ମୁତୟନ ହୋଇଛନ୍ତି ।

ସୋମବାର ହୋଇଥିବା ହିଂସାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୩ ଶହରୁ ଅଧିକ ଏଥିରେ ଆହତ ହୋଇଥିଲେ । ଦଙ୍ଗାକାରୀ ୮୮ ଗାଡି ଏବଂ ୧ ଶହରୁ ଅଧିକ ଘରେ ନିଆଁ ଲଗାଇଦେଇଛନ୍ତି । ରାଜଧାନୀ କଲୋମ୍ବୋ ସମେତ ଅନ୍ୟାନ୍ୟ ସହରରେ ସେନାର ଯବାନଙ୍କୁ ନିୟୋଜିତ କରାଯିବା ସହ ଦଙ୍ଗା କରୁଥିବା ବ୍ୟକ୍ତିଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।