ହ୍ୱାଇଟ ହାଉସରୁ ଜବତ ହୋଇଥିବା ଧଳାପାଉଡର କୋକିନ ବୋଲି ପ୍ରମାଣିତ, ବାଇଡେନଙ୍କ ପୁଅ ହଣ୍ଟରଙ୍କ ଉପରେ ସନ୍ଦେହ

702

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ରେସିଡେଣ୍ଟ ହ୍ୱାଇଟ ହାଉସରୁ ରବିବାର ରାତିରେ କିଛି ଧଳା ପାଉଡର ଜବତ ହୋଇଥିଲା । ଏହି ପାଉଡରକୁ ପରୀକ୍ଷା କରିବା ପରେ ଏହା ନିଶାଦ୍ରବ୍ୟ କୋକିନ ବୋଲି ପ୍ରମାଣିତ ହୋଇଛି । ଏନେଇ ଆମେରିକାର ଖବରକାଗଜ ‘ୱାସିଂଟନ ପୋଷ୍ଟ’ ମଙ୍ଗଳବାର ଦିନ ଖବର ଛାପିଛି । ଏହି ମାମଲାର ଯାଂଚ ଏବେ ସିକ୍ରେଟ୍ ସର୍ଭିସ ଟିମ କରୁଛି ।

୩ ଦିନ ପୂର୍ବରୁ ଏହି ପାଉଡର ହ୍ୱାଇଟ୍ ହାଉସର ଲାଇବ୍ରେରୀରୁ ମିଳିଥିଲା । ଏହାପରେ ହ୍ୱାଇଟ ହାଉସ ଲାଇବ୍ରେରୀର କିଛି ଭାଗ କିଛି ସମୟ ପାଇଁ ଖାଲି କରାଯାଇଥିଲା । ମିଳିଥିବା ଧଳା ପାଉଡରକୁ ସୋମବାର ଦିନ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏହା ନିଶାଦ୍ରବ୍ୟ କୋକିନ ବୋଲି ପ୍ରମାଣିତ ହୋଇଛି ।

‘ନ୍ୟୁୟର୍କ ପୋଷ୍ଟ’ ର ରିପୋର୍ଟ ମୁତାବକ ଯାଂଚ ଦଳରେ ସାମିଲ ଥିବା ଜଣେ ଫାୟାର ଫାଇଟରଙ୍କ ସୂଚନା ଆଧାରରେ ହ୍ୱାଇଟ ହାଉସରୁ ମିଳିଥିବା ପାଉଡର କୋକିନ ହାଇଡ୍ରୋକ୍ଲୋରାଇଡ ବୋଲି କୁହାଯାଇଛି । ଏହାକୁ ଜବତ କରିବା ପରେ ଯାଂଚ ଟିମ୍ ବ୍ୟାଗରେ ଭର୍ତ୍ତି କରି ବାହାରକୁ ନେଇଯାଇଥିଲେ ।

ସେପଟେ ସିକ୍ରେଟ ସର୍ଭିସର ପ୍ରବକ୍ତା ଏନ୍ଥୋନୀ ଗ୍ଲେମ୍ସ ୱାସିଂଟନ ପୋଷ୍ଟକୁ କହିଛନ୍ତି କି ହ୍ୱାଇଟ୍ ହାଉସରୁ ମିଳିଥିବା ପାଉଡରର ଆଉ କିଛି ଯାଂଚ ବାକି ରହିଛି । ଯାଂଚ ସରିବା ପରେ ଏହା ସ୍ପଷ୍ଟ ହେବ କି ଏହା କେଉଁ ପ୍ରକାରର କୋକିନ ।

ଅନ୍ୟପଟେ ରିପୋର୍ଟରେ କୁହାଯାଇଛି କି, ଏହି ଘଟଣା ସମୟରେ ରାଷ୍ଟ୍ରପତି ଜୋ-ବାଇଡେନ ହ୍ୱାଇଟ୍ ହାଉସରେ ନଥିଲେ । ସେ ପରିବାର ସହ ଛୁଟି କଟାଇବାକୁ କ୍ୟାମ୍ପ ଡେବିଡରେ ଥିଲେ । ହେଲେ ଯାଂଚ ଏଜେନ୍ସି ପାଖରେ ସବୁଠାରୁ ବଡ ପ୍ରସଙ୍ଗ ହେଉଛି ପାଉଡର ଯାହା ବି ହେଉ ତାହା ହ୍ୱାଇଟ୍ ହାଉସ ଭିତରକୁ ଆସିଲା କିଭଳି । ହେଲେ ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ କିଛିଦିନ ତଳେ ମାନିଥିଲେ କି ସେ ଡ୍ରଗ୍ସ ନେଇଥାନ୍ତି । ଶୁକ୍ରବାର ଦିନ ଜୋ ବାଇଡେନଙ୍କ ସହ ସେ କ୍ୟାମ୍ପକୁ ଯିବା ପୂର୍ବରୁ ହ୍ୱାଇଟ୍ ହାଉସରେ ଥିଲେ । ଏହି କାରଣରୁ ସନ୍ଦେହ କରାଯାଉଛି କି, ହ୍ୱାଇଟ ହାଉସ ଭିତରକୁ ହଣ୍ଟର ବାଇଡେନ ଡ୍ରଗ୍ସ ଆଣିଥାଇ ପାରନ୍ତି ।