ନବ ଦାସ ହତ୍ୟା ପଛର ରହସ୍ୟ କ’ଣ? ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ

605

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଯେଉଁଭଳି ଢ଼ଂଗରେ ହେଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି । ପୋଲିସ ପରେ ମାମଲାର କ୍ରାଇମବ୍ରାଂଚ ତଦନ୍ତ କରୁଛି । କିନ୍ତୁ ୭୨ଘଂଟା ପରେ ବି ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇପାରିନି ତଦନ୍ତକାରୀ ସଂସ୍ଥା । ଆଉ ଏତିକିବେଳେ ତଦନ୍ତ ପକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି, ହତ୍ୟା, ଷଡଯନ୍ତ୍ର ନା, ଆଉ କଣ କ୍ଲିୟର କଲେ ନାହିଁ । କେବଳ ଆସାମୀକୁ ଧରି କେସ୍ କ୍ଲୋଜ କରିବାକୁ ଚକ୍ରାନ୍ତ ଚାଲିଛି । ପୋଲିସ ଉପସ୍ଥିତିରେ କେମିତି ଏତେ ବଡ କାଣ୍ଡ ଘଟିଲା? ଘଟଣାସ୍ଥଳକୁ ପୋଲିସ ଡିଜି ଏ ପର୍ଯ୍ୟନ୍ତ ଯାଇନାହାନ୍ତି କାହିଁକି? ଗୁଳିକାଣ୍ଡ ଦିନର ଦୁଇ ଦିନ ପୂର୍ବରୁ ଗୋପାଳ ଦାସ ଝାରସୁଗୁଡାର ୨୦କିଲୋମିଟର ଦୂରରେ କିଛି ନେତା ଓ ଅବସରପ୍ରାପ୍ତ ଅଫିସରଙ୍କ ସହ ବସାଉଠା କରିଥିଲେ । ସେହି ଗୁପ୍ତ ବୈଠକ କେଉଁଠି ହୋଇଥିଲା? କାହାକୁ ଗୋପାଳ ଭେଟିଥିଲେ? ଏହି କାମ ପାଇଁ ବୈଠକ ହୋଇଥିଲା ନା ଆଉ କିଛି କାରଣ ଥିଲା, ସେ ଦିଗରେ ତଦନ୍ତ ହେଉଛି କି?

ବିଜେପି ନେତା ପୃଥ୍ୱରାଜ ହରିଚନ୍ଦନ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ବିଜେଡିର ଅର୍ନ୍ତଦ୍ୱନ୍ଦ୍ୱ ଯୋଗୁଁ ହତ୍ୟାକାଣ୍ଡର ସମ୍ଭାବନା ରହିଛି । ରାଜନୈତିକ ଅଭିସନ୍ଧି ଥିବା ବିଜେପିର ସନ୍ଦେହ । ହତ୍ୟାକାଣ୍ଡ ପରେ ଯଦି ପ୍ରତ୍ୟେକ ବିନ୍ଦୁକୁ ଯଦି ଯୋଡାଯାଏ, ଗୋପାଳ ଦାସଙ୍କୁ ଯେଉଁଭଳି ପାଗଳ ବୋଲି ଦର୍ଶାଗଲା ସେଥିରୁ ଜଣାପଡୁଛି ତାଙ୍କୁ ଖସାଇବାକୁ ଉଦ୍ୟମ ହେଉଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ତିନି ଦିନ ପରେ ବି କାହିଁକି ପୋଲିସ ମୁହଁ ଖୋଲୁନି? ଏହା ପଛରେ ବଡ ଧରଣର ଷଡଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି । ବିରୋଧୀଙ୍କ ଅଭିଯୋଗର ଜବାବ ରଖି ବିଜେଡି ବିଧାୟକ କହିଛନ୍ତି, ତଦନ୍ତ ଚାଲିଛି, ସତ ପଦାକୁ ଆସିବ ।

ବିରୋଧୀଙ୍କ ଅଭିଯୋଗ ଭିତରେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କ ତତ୍ୱାବଧାନରେ କ୍ରାଇମବ୍ରାଂଚ ତଦନ୍ତ ଚାଲିବ ବୋଲି ସ୍ପଷ୍ଟ ହୋଇଛି । ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚକୁ କାର୍ଯ୍ୟକୁ ମନିଟର କରିବା ପାଇଁ ଜଣେ ହାଇକୋର୍ଟଙ୍କ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ଜଜଙ୍କୁ ନିଯୁକ୍ତ କରିବା ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର ।