ରଙ୍ଗହୀନ କୋଇଡାର ରେଙ୍ଗାଲବେଡା ଗାଁ: ଗାଁ ମୁଣ୍ଡରେ ଅଛି ଦୁଇଟି ବଡ ବଡ ଖଣି, କିନ୍ତୁ ଗ୍ରାମବାସୀଙ୍କୁ ମିଳୁନି କାମ

124

କନକ ବ୍ୟୁରୋ: ରଙ୍ଗହୀନ ରେଙ୍ଗାଲବେଡା ଗାଁ । ବିକାଶ ଦେଖିପାରିଲାନି ୫୦ ବର୍ଷ ଖଣି ଦେଖିଥିବା ଗାଁ । ସରକାରୀ ଆବାସକୁ ଉପହାସ କରୁଛି ଝାଟି ମାଟିର ଏହି ଗାଁ । ଗାଁ ଦାଣ୍ଡରେ ଅଛି ଦୁଇ ଦୁଇଟି ବଡ ବଜ ଖଣି । କିନ୍ତୁ ଏଠାକାର ଲୋକଙ୍କୁ ଜୀବନ ଜୀବିକା ପାଇଁ ଯିବାକୁ ପଡେ ରାଜ୍ୟ ବାହାକୁ । ନିଜ ଅଂଚଳରେ କାମ ମିଳେ ନାହିଁ ବୋଲି ରାଜ୍ୟ ବାହାରେ ଦାଦନ ଖଟିବା ଏକମାତ୍ର ପନ୍ଥା । ଖଣି ଅଂଚଳର ଏହି ଗାଁଟି ହେଉଛି, ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଜାତୀୟ ରାଜପଥ କଡରେ ଥିବା ରାଜସ୍ୱ ଗାଁ ରେଙ୍ଗାଲବେଡା । ଗାଁରେ ୨୫୦ ପରିବାର ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ୧୪୩ ଜଣ ଜମି ପଟ୍ଟାଧାରୀ । କିନ୍ତୁ ଜଣଙ୍କ ବି ସରକାରୀ ଯୋଜନାରେ ପକା ଘର ମିଳିନାହିଁ । ଗାଁର ବିଦ୍ୟୁତ୍ ସଂଯୋଗ ରହିଛି । ହେଲେ ମାସକୁ ୧୫ ଦିନ ରହିଲେ, ୧୫ ଦିନ ବିଦ୍ୟୁତ ରହୁନାହିଁ । ଝାଟିମାଟିର କୁଡିଆରେ ରହୁଥିବା ଲୋକଙ୍କ ପାଣି ସମସ୍ୟା ଦୂର କରୁଛି କାରୋ ନାଳ । ଖଣିଜ ପଦାର୍ଥର ଗନ୍ତା ଘର କୁହାଯାଉଥିବା ଏହି ଗାଁର ଯୁବକ ଯୁବତୀଙ୍କୁ କାମ ମିଳୁନାହିଁ । ପେଟକୁ ଭଲ କରି ଗଣ୍ଡାଏ ଦାନା ମିଳୁନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ପଡିଥିବା ଗାଁରେ ବିକାଶମୂଳକ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥାନୀୟ ଲୋକ ପ୍ରଶାସନ ଠାରୁ ଆରମ୍ଭ କରି ଜନପ୍ରତିନିଧି ସମସ୍ତଙ୍କୁ ବାରମ୍ବାର ଗୁହାରି କରିଛନ୍ତି । ହେଲେ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ।