ଜଳୁଛି ପଶ୍ଚିମ ଓଡିଶା ! ବେଲପାହଡ ପୌରାଧ୍ୟକ୍ଷଙ୍କ ଅଫିସରେ ପାଣି ପାଇଁ ଚୁଡି ମାଡ କଲେ ମହିଳା

45

କନକ ବ୍ୟୁରୋ: ସାରା ରାଜ୍ୟ ଏବେ ଗ୍ରୀଷ୍ମପ୍ରବାହରେ ସିଝୁଛି । ପଶ୍ଚିମ ଓଡିଶା ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଛି । ଟିଟଲାଗଡରେ ଗତକାଲି ପାରା ୪୭ ଡିଗ୍ରୀ ରହି ରେକର୍ଡ କରିଛି । ଆଉ ଟାଣ ଖରାରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଏଭଳି ସ୍ଥଳେ ଝାରୁସୁଗୁଡା ବେଲପାହାଡା ୨ ନମ୍ବର ୱାର୍ଡ ଜୁନାରିପଡାର ଲୋକଙ୍କୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି । ଆଜି ପ୍ରାୟ ୨ ଶହ ମହିଳା ପୌରାଧ୍ୟକ୍ଷଙ୍କ ଚାମ୍ବରରେ ପଶି ଚୁଡିମାଡ କରିଛନ୍ତି ।

ଗତକାଲି ପାଣିପାଇଁ ୨ ନମ୍ବର ୱାର୍ଡର ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ । ପ୍ରାୟ ୫ ଘଂଟା ଧରି ରାସ୍ତାରୋକ ପରେ କର୍ତୃପକ୍ଷ ଟ୍ୟାଙ୍କର ଯୋଗେ ପାଣି ଦେବାକୁ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ଆଜି ଟ୍ୟାଙ୍କରରେ ପାଣି ଯାଇନଥିଲା । ସେପେଟ ଆଜି ୱାର୍ଡରେ ଥିବା ବୋରୱେଲକୁ ସ୍ଥାନୀୟ କାଉନସିଲର ତଥା ଭାଇସଚେୟାରମ୍ୟାନ ଚାବି ପକାଇଦେଇଥିଲେ । ଫଳରେ ଲୋକେ ପାଣି ଆଣିନପାରି ତାତି ଥିଲେ । ପାଣି ସମସ୍ୟା ଅସହ୍ୟ ହେବାରୁ ପୌରାଧ୍ୟକ୍ଷଙ୍କୁ ଚୁଡି ଫିଙ୍ଗିଛନ୍ତି ମହିଳା ।