ବାବରଙ୍କ ଉପରେ ଖପ୍ପା ପାକିସ୍ତାନର ପୂର୍ବ ଅଧିନାୟକ । କହିଲେ, ବାବରଙ୍କ ଜିଦି ପାଇଁ ହାରୁଛି ପାକିସ୍ତାନ ।

509

କନକ ବ୍ୟୁରୋ :  ଟି-୨୦ ବିଶ୍ୱକପରେ ଦୁର୍ବଳ ଜିମ୍ବାୱେ ଠାରୁ ପରାଜିତ ହେବା ପରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଉଠିଛି ପ୍ରଶ୍ନ । ଖାସକରି ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ନେଇ ଖପ୍ପା ଅଛନ୍ତି ପାକିସ୍ତାନର ପୂର୍ବତନ କ୍ୟାପେଟନ ।  ପାକିସ୍ତାନ ଟିମର ୨ ପୂର୍ବତନ ଅଧିନାୟକ ୱାକର ୟୁନୁସ ଓ ୱାସିମ ଆକ୍ରମ ବାବରଙ୍କ ଉପରେ ବର୍ଷିବା ସହ ତାଙ୍କର ପ୍ରଦର୍ଶନ ଓ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଉଭୟ କହିଛନ୍ତି ବାବର ଆଜମ ଓପନିଂ କରିବାକୁ ଅଡି ବସିଥିବାରୁ ଟିମ୍ କୌଣସି ପ୍ରୟୋଗ କରିପାରୁନାହିଁ । ଯାହାର ଫଳ ଦଳକୁ ଭୋଗିବାକୁ ପଡୁଛି ।

ୱାକର ୟୁନୁସ କହିଛନ୍ତି, ଟି-୨୦ରେ ଓପନିଂ ସ୍ଲଟରେ ବ୍ୟାଟିଂ କରିବା ସବୁଠୁ ସହଜ । ଏହି ସ୍ଲଟରେ ଗତ ୨ ବର୍ଷ ହେବ କୌଣସି ନୂଆ ପ୍ରୟୋଗ କରିନାହିଁ ପାକିସ୍ତାନ ଟିମ୍ । ଏପରିକି ଅନ୍ୟ କୌଣସି ଖେଳାଳୀଙ୍କୁ ଏହି ସ୍ଲଟରେ ଖେଳିବାକୁ ସୁଯୋଗ ଦେଇନାହାନ୍ତି ବାବର । ଏନେଇ ଟିମର ଚୟନକର୍ତ୍ତା ମିସବା ଉଲ୍ ହକଙ୍କ ସହ ଆଲୋଚନା କରି କିଛି ନୂଆ ପ୍ରୟୋଗ କରିବାକୁ କହିଥିଲି । ବୋଲିଂରେ ଓ ମଧ୍ୟକ୍ରମ ବ୍ୟାଟିଂରେ ଯଦି ନୂଆ ପ୍ରୟୋଗ ହୋଇପାରୁଛି ତେବେ ଟପ୍ ଅର୍ଡରରେ କାହିଁକି ନୁହେଁ ? ଅଧିନାୟକ ଭାବେ ଦଳର ହିତ ପାଇଁ କିଛି ତ୍ୟାଗ କରିବାକୁ ପଡିଥାଏ । ହାଇଦର ଅଲ୍ଲୀଙ୍କୁ ଓପନିଂରେ ଖେଳା ଯାଇପାରିବ । କାରଣ ହାଇଦର ଅଲ୍ଲୀ ଲଗାତାର ମିଡିଲ ଅର୍ଡରରେ ଫେଲ୍ ମାରୁଛନ୍ତି । କିନ୍ତୁ ଏଭଳି ପ୍ରୟୋଗ କରିବାକୁ ଆଗଭର ହେଉନାହାନ୍ତି ଉଭୟ ଟିମ୍ ମ୍ୟାନେଜମେଣ୍ଟ ଓ ଅଧିନାୟକ । ଯେଉଁଥିପାଇଁ ଦଳକୁ ସଂଘର୍ଷ କରିବାକୁ ପଡୁଛି । ଏହାଛଡା ବାବର ଯେଉଁ ଶୈଳୀରେ ରନ୍ କରୁଛନ୍ତି ତାହା ଦଳକୁ ମ୍ୟାଚରେ ବ୍ୟାକଫୁଟକୁ ଠେଲି ଦେଉଛି । ଅଧିକ ରନ୍ କରିବା କୌଣସି ବଡ କଥା ନୁହେଁ, ଟିମର ବିଜୟରେ ଏହି ରନ୍ କେତେ ଉପଯୋଗୀ ସାବ୍ୟସ୍ତ ହେଉଛି ତାହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ସେହିଭଳି ପୂର୍ବତନ ଅଧିନାୟକ ୱାସିମ ଆକ୍ରମ କହିଛନ୍ତି, କରାଚୀ କିଙ୍ଗସ ପକ୍ଷରୁ ବାବର ଖେଳୁଥିବା ବେଳେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି । ଏଭଳି ଘଟଣା ଉପରସ୍ତରରୁ ହିଁ ଆରମ୍ଭ ହୋଇଥାଏ । ଆଉ ଟିମର ସବୁଠୁ ଉପରେ ଅଧିନାୟକ ରହିଥାନ୍ତି । ଯଦି ଅଧିନାୟକ ନିଜ ପାଇଁ ଖେଳିବେ ତେବେ ଦଳ ପାଇଁ ଏହା ଠିକ୍ ନୁହେଁ । ଯଦି ଅଧିନାୟକ ରନ ବନାନ୍ତି ଓ ଅନ୍ୟ ବ୍ୟାଟରଙ୍କୁ ନିଜ ପୋଜିସନରେ ଖେଳିବାକୁ ସୁଯୋଗ ଦିଅନ୍ତି ତେବେ ଅଧିନାୟକ କିଛି ତ୍ୟାଗ କରିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଥାଏ । ଏସବୁ ବାବରଙ୍କୁ ଶିଖିବାକୁ ପଡିବ । କରାଚୀ କିଙ୍ଗସ ଯେତେବେଳେ ଖରାପ ସମୟ ଦେଇ ଗତି କରୁଥିଲା ସେତେବେଳେ ବାବରଙ୍କୁ ତାଙ୍କ ପୋଜିସନ ବଦଳାଇବାକୁ ଅନୁରୋଧ କରିଥିଲି । କାରଣ ଦଳ କିଛି ଭିନ୍ନ ପ୍ରୟୋଗ କରିବାକୁ ଚାହୁଁଥିଲା । କାରଣ ଦଳରେ ଗୁପଟିଲଙ୍କ ଭଳି ବିସ୍ଫୋରକ ଓପନର ଥିଲେ । କିନ୍ତୁ ଏହି ଅନୁରୋଧକୁ ଏଡାଇ ଯାଇଥିଲେ ବାବର । ଏପରିକି ନିଜ ବ୍ୟାଟିଂ ଅର୍ଡର ପରିବର୍ତ୍ତନ କରିବେନି ବୋଲି ସ୍ପଷ୍ଟ ମନା କରିଥିଲେ । ଯଦି ଦଳର ଆବଶ୍ୟକ ହେଉଛି ତେବେ ଶରଜିଲଙ୍କୁ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଛଡାଯାଉ ବୋଲି କହିଥିଲେ ବାବର । ଯାହା ଦର୍ଶାଉଥିଲା ବାବର ଦଳ ପାଇଁ ନୁହେଁ ବରଂ ନିଜ ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ଏଭଳି କରୁଛନ୍ତି । ଏହାଛଡା ଚଳିତ ଟି-୨୦ ବିଶ୍ୱକପରେ ବାବର-ରିଜୱାନ ଫ୍ଲପ୍ ହୋଇଛନ୍ତି । ତେଣୁ ବାବର ନିଜର ବ୍ୟାଟିଂ ଅର୍ଡର ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ୱାସିମ । ଅନ୍ୟପଟେ ଯଦି ରେକର୍ଡକୁ ଦେଖିବା ତେବେ ଯେଉଁ ମ୍ୟାଚରେ ବାବର-ରିଜୱାନ ଯୋଡି ଭଲ ପ୍ରଦର୍ଶନ କରିନାହାନ୍ତି ସେହି ମ୍ୟାଚରେ ପାକିସ୍ତାନକୁ ସଂଘର୍ଷ କରିବାକୁ ପଡିଛି । ଯାହାର ଝଲକ ଉଭୟ ଭାରତ-ଜିମ୍ବାୱେ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଛି ।