କନକ ବ୍ୟୁରୋ: ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ, ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ଚାରିଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି । ସେହି ଘୋଷଣା ଭିତରେ ସବୁଠାରୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା । ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଓ କେମିତି କରିବେ ଆବେଦନ ଆସନ୍ତୁ ଜାଣିବା ।

Advertisment

ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ମୋହନ ସରକାର ପ୍ରଥମ କ୍ୟାବିନେଟରେ ସୁଭଦ୍ରା ଯୋଜନାରେ ମୋହର ମାରିଛନ୍ତି । ଆଉ ୧୦୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ଏହି ଯୋଜନାକୁ ନେଇ ସବୁଠି ଚର୍ଚ୍ଚା । ଆଉ ଏହାରି ଭିତରେ କେଉଁମାନେ ଓ କେମିତି ଆବେଦନ କରିବେ? କେଉଁ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ ସେ ନେଇ ଆସିଛି ତଥ୍ୟ ।

ସୁଭଦ୍ରା ଯୋଜନା: କେଉଁମାନେ ଯୋଜନା ପାଇଁ ଯୋଗ୍ୟ?
- ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବେ
- ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ
- କେବଳ ବିବାହିତା ମହିଳା ମାନେ ଅନ୍ତର୍ଭୁକ୍ତ ହୋଇପାରିବେ
- ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ
- ଆବେଦନକାରୀ କୌଣସି ସରକାରୀ ଚାକିରୀ କରିନଥିବେ
- ଅବିବାହିତ ମହିଳା ହୋଇପାରିବେନି ସାମିଲ
- ଅଙ୍ଗନବାଡି କର୍ମୀ ହୋଇପାରିବେ ହିତାଧିକାରୀ

ଯୋଗ୍ୟ ହିିତାଧିକାରୀ ହୋଇଥିଲେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ୱେବସାଇଟରେ ଆବେଦନ କରିବାକୁ ପଡିବ । ଆବେଦନକାରୀମାନେ ୱେବସାଇଟକୁ ଯାଇ ନିଜର ତଥ୍ୟ ପୂରଣ କରି ଆବେଦନ କରିବେ ।

ତେବେ ସୁଭଦ୍ରା ଯୋଜନାରେ ସାମିଲ ହେବାକୁ କଣ କଣ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ ନଜର ପକାନ୍ତୁ ..
ସୁଭଦ୍ରା ଯୋଜନା: ଦରକାର ପଡିବ ଏସବୁ ଡକ୍ୟୁମେଂଟ
- ଆଧାର କାର୍ଡ୍
- ବ୍ୟାଙ୍କ୍ ଆକାଉଂଟ୍ ତଥ୍ୟ
- ଠିକଣା ପ୍ରମାଣ ପତ୍ର
- ମୋବାଇଲ ନମ୍ବର
- ପାସପୋର୍ଟ୍ ଫଟୋ
- ଆୟ ପ୍ରମାଣ ପତ୍ର
- ରାସନ କାର୍ଡ

ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଏହି ସବୁ ଯୋଗ୍ୟତା ଆବଶ୍ୟକ ବୋଲି ଆଲୋଚନା ହେଉଛି । କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ନୋଟିଫିକେସନ ଆସିନାହିଁ । ଖୁବଶୀଘ୍ର ନୋଟିଫିକେସନ ଆସିବ ଓ ଅନଲାଇନ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି ।

ଅନ୍ୟପଟେ ଗତକାଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ବିଭାଗୀୟ ବୈଠକ ନେବାବେଳେ ସୁଭଦ୍ରା ଯୋଜନାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ଏବଂ ସୁଭଦ୍ରା ଯୋଜନା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରି ୧୦୦ ଦିନ ଭିତରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।