ଜଳୂୁଛି ନିଆଁ, ଜଳୁଛି ପାଣି ! ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ, ହାଇ ଆଲର୍ଟ ଜାରି କଲା ପ୍ରଶାସନ

98

ଇଣ୍ଡୋନେସିଆରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ଇଣ୍ଡୋନେସିଆର ବାଲିରେ ଦେଖିବାକୁ ମିଳିଛି ଭୟଙ୍କର ଆଗ୍ନେୟ ଉଦଗୀରଣ । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଆଖପାଖ ଅଂଚଳ ଖାଲି କରିଥିବା ବେଳେ ହାଇ ଆଲର୍ଟ ଜାରି କରିଛି । ବଡ଼ ଧରଣର ବିସ୍ଫୋରଣର ଆଶଙ୍କା ଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଇଣ୍ଡୋନେସିଆ ଅଗ୍ନି ଉଦଗୀରଣର ଭୟାନକ ଦୃଶ୍ୟର ଲାଇଭ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲି ଉପ ଦ୍ୱୀପରେ ଥିବା ଅଙ୍ଗଙ୍ଗ୍ ପର୍ବତର ଶୀର୍ଷରୁ ବାହାରୁଛି ନିଆଁ । ଅଗ୍ନିର ପ୍ରକୋପ ଏତେ ଅଧିକ ଯେ ୧୨ କିଲୋମିଟର ଦୁର ପର୍ଯ୍ୟନ୍ତ ଶୁଭୁଛି ବିସ୍ଫୋରଣର ଶବ୍ଦ । ନିଆଁ ଓ ଧୁଆଁ ବ୍ୟାପିବାରେ ଲାଗିଛି ଆଖପାଖ ଅଂଚଳକୁ । ସେପଟେ ନିଆଁର ପରିମାଣ ଖୁବ ଅଧିକ ହୋଇଥିବାରୁ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଅଗ୍ନି ଉଦଗୀରଣ ବ୍ୟତୀତ ସ୍ଥାନୀୟ ଅଞ୍ଚଳରେ କମ୍ପନ ମଧ୍ୟ ଅନୁଭୂତ ହୋଇଛି । ଉଦଗୀରଣର ଭୟାବହତାକୁ ଆଖି ଆଗରେ ରଖି ହାଇ ଆଲର୍ଟ ଜାରି କରାଯାଇଛି । ୩୪୦୦ ଫୁଟ୍ ଉଚ୍ଚକୁ ଧୁଆଁ ଛୁଇଁଥିବା ବେଳେ ୨୫ ହଜାରରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ କ୍ୟାମ୍ପକୁ ନିଆଯାଇଛି ।

ଇଣ୍ଡୋନେସିଆ ଅଗ୍ନି ଉଦଗୀରଣର ଛାତିଥରା ଦୃଶ୍ୟ । ପାଣିରେ ମଧ୍ୟ ଲାଭା ପ୍ରଭାବ ଦେଖିବାକୁ ମିଳୁଛି । ପ୍ରତିବର୍ଷ ଏହି ପର୍ବତରେ ଲାଭା ଉଦଗୀରଣ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଅଗ୍ନି ଉଦଗୀରଣ ଯୋଗୁ ବାଲି ରେ ବିମାନସେବା ବନ୍ଦ ରଖାଯାଇଛି । ଯେଉଁ କାରଣରୁ ହଜାର ହଜାର ପର୍ଯ୍ୟଟକ ଏୟାରପୋର୍ଟରେ ଫସିରହିଛନ୍ତି । ପୂର୍ବରୁ ୧୯୬୩ ମସିହାରେ ଏହି ପର୍ବତରେ ଅଗ୍ନି ଉଦଗୀରଣ ହୋଇଥିଲା ଯେଉଁଥିରେ ୧୬୦୦ ଲୋକ ମୃତ୍ୟୁବରଣ କରିଥିଲେ । ଚଳିତ ଲାଭା ଉଦଗୀରଣରେ ବର୍ତମାନ ସୁଦ୍ଧା ମୃତାହତର କୌଣସି ସୂଚନା ମିଳିନାହିଁ । ତେବେ ଭୂତତ୍ୱବିତଙ୍କ କହିବା ଅନୁଯାୟୀ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଅଙ୍ଗଙ୍ଗ୍ ପର୍ବତରେ ଉଦଗୀରଣ ଜାରି ରହିବ । ଯାହା ସମସ୍ୟା ବଢ଼ାଇ ଦେଇଛି ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କର । ସ୍ଥିତି ସ୍ୱାଭାବିକ ହେବ ସେ ଅପେକ୍ଷାରେ ସ୍ଥାନୀୟ ବାସିନ୍ଦା ।

video courtesy-https://www.youtube.com