ଧାମନଗରେ ଜମୁଛି ପ୍ରଚାର : ପ୍ରଚାର ମୈଦାନକୁ ଯିବା ପୂର୍ବରୁ ରୋଗୀ ସେବା କରିବାକୁ ଭୁଲି ନାହାନ୍ତି ସାରସକଣା ବିଧାୟକ

174

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଜୋର ସୋରରେ ଚାଲିଛି ପ୍ରଚାର । ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ସରସକଣା ବୁଧନ ମୁର୍ମୁ । ଷ୍ଟାର ପ୍ରଚାରକ ରହିଥିଲେ ବି ସେ ନିଜ କର୍ତ୍ତବ୍ୟକୁ ଭୁଲି ନାହାନ୍ତି । ବୁଧନ ପେସାରେ ଜଣେ ଡାକ୍ତର । ଆଉ ପ୍ରଚାର ମଇଦାନକୁ ଯିବା ପୂର୍ବରୁ ସେ ରୋଗୀଙ୍କ ସେବା କରିବାକୁ ଭୁଲନ୍ତି ନାହିଁ । ତାଙ୍କୁ ଦେଖାଇବା ପାଇଁ ସକାଳୁ ସକାଳୁ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଥାଏ । ତେବେ ଏହା ତାଙ୍କ ତାଙ୍କ ପାଇଁ ନିତିଦିନିଆ କଥା । ଡାକ୍ତର ଭାବେ ଦିନେ ବି ଛୁଟି ନେଇନଥିବା ବୁଧନ ୨୭ ବର୍ଷ ଧରି ଡାକ୍ତରୀ ଚାକିରି ଜାରି ରଖିଛନ୍ତି । ବିଧାୟକ ରହିବା ସତ୍ୱେ ରୋଗୀଙ୍କୁ ନିସ୍ୱାର୍ଥପର ସେବା କରିଆସୁଛନ୍ତି । ତାଙ୍କର ଏଭଳି ମହତ କାମ ପାଇଁ ସବୁଠି ପ୍ରଶଂସା କରାଯାଉଛି ।

ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ପ୍ରଚାର କରୁଥିବା ବେଳେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବାପାଙ୍କୁ ହରାଇଥିବା ସୂରଜଙ୍କ ପ୍ରତି ସମବେଦନା ଦେଖିବାକୁ ମିଳୁଛି । ପ୍ରଚାର ସମୟରେ ମା’ ମାଉସୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ସୂରଜ । ପ୍ରଚାର ସମୟରେ ତିହିଡି ତଳ ଗୋପବିନ୍ଧା କୁବେର ପଞ୍ଚାୟତରେ ଜଣେ ବୃଦ୍ଧ ମହିଳା ଅତି ଆପଣାର ଭାବେ ସୂରଜଙ୍କୁ ଆଉଁସି ଦେଉଛନ୍ତି ତ କେଉଁଠି ସୂରଜଙ୍କ ମୁଣ୍ଡରେ ହାତ ଦେଇ ମା’ ମାନେ ଆଶୀର୍ବାଦ କରୁଛନ୍ତି  ।

ଧାମନଗର ଉପନିର୍ବାଚନରେ ଭିନ୍ନ ପ୍ରଚାର କୌଶଳକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ବିରୋଧରେ ବିଦ୍ରୋହ କରି ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜେନ୍ଦ୍ର ଦାସ । ସକାଳେ ମନ୍ଦିର ଓ ସନ୍ଧ୍ୟାରେ ମଝାରକୁ ଯାଇ ଚାଦର ଚଢାଉଛନ୍ତି ରାଜୁ ଦାସ । ସକାଳେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରଚାର ମଇଦାନକୁ ବାହାରୁଛନ୍ତି । ଯେଉଁ ଗାଁକୁ ଯାଉଛନ୍ତି, ସେହି ଗାଁର ଠାକୁରାଣୀଙ୍କ ପାଖରେ ଯାଇ ଆଶୀର୍ବାଦ ନେବା ପରେ ଘରକୁ ଘର ବୁଲି ଲୋକଙ୍କ ଆଶିର୍ବାଦ ଓ ସମର୍ଥନ ଲୋଡୁଛନ୍ତି । ସେହିପରି ସନ୍ଧ୍ୟାରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଆରାଧନା ସ୍ଥଳୀ ମଝାରକୁ ଯାଇ ଚାଦର ଚଢାଉଛନ୍ତି । ଭଦ୍ରକରେ ସଂଖ୍ୟାଲଘୁ ସଂପ୍ରଦାୟର ସଂଖ୍ୟ ଅଧିକ ରହିଛି । ଅତୀତରେ ଭଦ୍ରକରେ ସାଂପ୍ରଦାୟିକ ଉତେଜନା ମଧ୍ୟ ଦେଖିବାକୁ ମିଳିଛି । ହେଲେ ଏହାର ପ୍ରଭାବ ଲୋକଙ୍କ ଉପରେ କଣ ପଡିଛି, ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିବ ।

ସେପଟେ ବିଜେଡି ପ୍ରାର୍ଥୀ ପ୍ରାର୍ଥୀ ଅବନ୍ତୀ ଦାସ ଧାମନଗର ଉପନିର୍ବାଚନ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି । ବିଭିନ୍ନ ପଂଚାୟତ ବୁଲି ସେ ପ୍ରଚାର କରୁଛନ୍ତି । ଜଣେ ମିଶନ ଶକ୍ତି ମହିଳା ହୋଇଥିବାରୁ ତାଙ୍କୁ ମହିଳା ଭୋଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ପଂଚାୟତ ନିର୍ବାଚନରେ ଭଲ ବ୍ୟବଧାନରେ ଜିତିଥିଲେ ଅବନ୍ତୀ । ନବୀନଙ୍କ ନିର୍ମଳ ଭାବମୂର୍ତି ଯୋଗୁଁ ତାଙ୍କ ସପକ୍ଷରେ ଯାଇପାରେ ଜନମତ । ତାଙ୍କ ସହିତ ପ୍ରଚାର ମଇଦାନରେ ଅଛନ୍ତି ଷ୍ଟାର କ୍ୟାମ୍ପେନର ମୁନା ଖାଁ, ପ୍ରୀତିରଞ୍ଜନ ଘଡେଇ ଓ ସୁଲତା ଦେଓ ।