ବିଶ୍ୱକପ ପୂର୍ବରୁ ସେହୱାଗଙ୍କ ଭବିଷ୍ୟବାଣୀ । ଏହି ୪ଟି ଟିମ୍ ଖେଳିପାରନ୍ତି ସେମିଫାଇନାଲ, ଜାଣନ୍ତୁ ତାଲିକାରେ ରହିଛି କେଉଁ ଟିମ୍?

1,457

କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଦିନିକିଆ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଥିବା ବେଳେ ପୂର୍ବତନ ଭାରତୀୟ ବ୍ୟାଟର ବଡ ଭବିଷ୍ୟବାଣୀ କରିଛନ୍ତି । ସେହୱାଗ କହିଛନ୍ତି ଲିଗ୍ ପର୍ଯ୍ୟାୟ ବାଦ୍ ଭାରତ-ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲା ଦେଖିବାକୁ ମିଳିପାରେ । ସେହିଭଳି ଏହି ଦୁଇ ଟିମ୍ ବ୍ୟତୀତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସୁପର-୪ ଟିମ୍ ଭାବେ ସେମିଫାଇନାଲକୁ ଏଣ୍ଟ୍ରି କରିପାରନ୍ତି ।

ଏହାବାଦ୍ ସେହୱାଗ ଷ୍ଟାଡିୟମ ଓ ପିଚକୁ ନେଇ କହିଛନ୍ତି, ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ୧ ଲକ୍ଷରୁ ଅଧିକ ଲୋକ ଦେଖିବେ । ସେହିଭଳି ଭାରତର ବ୍ୟାଟର ଖାସକରି ବିରାଟ କୋହଲି ଏହି ପିଚ୍ ସହ ବେଶ ପରିଚିତ । ଚଳିତ ବିଶ୍ୱକପରେ ବିରାଟ ଭଲ ପ୍ରଦର୍ଶନ କରିବା ସହ ବଡ ବଡ ଇନିଂସ ଖେଳିବେ ବୋଲି କହିଛନ୍ତି ସେହୱାଗ । ସେହିଭଳି ଭାରତ ଚାପରେ ଭଲ ପ୍ରଦର୍ଶନ କରି ଆସୁଛି, ଖାସକରି ପାକିସ୍ତାନ ବିପକ୍ଷରେ । ୧୯୯୦ ଦଶକରେ ପାକିସ୍ତାନ ଚାପରେ ଭଲ ଖେଳୁଥିଲା କିନ୍ତୁ ୨୦୦୦ ମସିହା ପରେ ଭାରତୀୟ ଏଭଳି ସ୍ଥିତିରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଛି ।

ସେହିଭଳି ପିଚ୍ ଯଦି ବ୍ୟାଟରଙ୍କ ପାଇଁ ଭଲ ହୁଏ ତେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିବେ । କିନ୍ତୁ ପିଚରୁ ଯଦି ସ୍ପିନରଙ୍କୁ ଫାଇଦା ମିଳେ ତେବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ବ୍ୟାଟରଙ୍କୁ ସଂଘର୍ଷ କରିବାକୁ ପଡିବ । ବିଦେଶୀ ବ୍ୟାଟରଙ୍କ ଅପେକ୍ଷା ଉପମହାଦେଶୀୟ କ୍ରିକେଟର ସ୍ପିନରଙ୍କୁ ବେଶ ଭଲ ଖେଳନ୍ତି । ସେହିଭଳି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମୁଥେୟା ମୁରଲୀଧରନ କହିଛନ୍ତି, ଭାରତ-ଇଂଲଣ୍ଡ ମ୍ୟାଚ୍ ଉପରେ ନଜର ରହିବ । କାରଣ ଇଂଲଣ୍ଡ ଏବେ ବେଶ ପ୍ରଭାବୀ ପ୍ରଦର୍ଶନ କରୁଛି । କିନ୍ତୁ ଏହା ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ଭାରତର ପଲ୍ଲା ଭାରି ରହିବ ବୋଲି ସେ କହିଛନ୍ତି ।