ଆଇପିଏଲ ପ୍ଲେ ଅଫରୁ ବାଦ୍ ପଡିବା ପରେ ଆସିଲା ବିରାଟଙ୍କ ପ୍ରତିକ୍ରିୟା । କହିଲେ, ସମସ୍ତଙ୍କୁ ଧନ୍ୟବାଦ, ପୁଣିଥରେ… ।

847

କନକ ବ୍ୟୁରୋ : ଗୁଜୁରାଟ ବିପକ୍ଷରେ ଶେଷ ଲିଗ୍ ମ୍ୟାଚରେ ପରାଜିତ ହେବା ସହ ବାଙ୍ଗାଲୋରର ଆଇପିଏଲ ଟ୍ରଫି ଜିତିବା ସ୍ୱପ୍ନ ପୁଣିଥରେ ଭାଙ୍ଗିଛି । ତେବେ ଏହି ପରାଜୟ ପରେ ପ୍ରଥମଥର ପାଇଁ କିଙ୍ଗ କୋହଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କୋହଲି କହିଛନ୍ତି, ଆରସିବି ଟିମ୍ ୨୦୨୩ରେ ନିରାଶଜନକ ପ୍ରଦର୍ଶନ ସହ ଟୁଣ୍ଣାମେଣ୍ଟରୁ ଦଳ ବିଦାୟ ନେଇଛି । କିନ୍ତୁ ଆଗାମୀ ସିଜିନରେ ପୁଣିଥରେ ଶକ୍ତିଶାଳୀ ଟିମ୍ ଭାବେ ଟୁର୍ଣ୍ଣାମେଣ୍ଟରେ ଏଣ୍ଟ୍ରି କରିବ ଆରସିବି । ବିରାଟ ଟ୍ୱିଟ୍ କରି କହିଛନ୍ତି, ଚଳିତ ସିଜିନରେ କିଛି ଭଲ ମୁହୂର୍ତ୍ତ ଥିଲା । କିନ୍ତୁ ଦୁଭାଗ୍ୟବସତଃ ଆମେ ଲକ୍ଷ୍ୟରୁ ବିଚ୍ୟୁତ୍ ହୋଇଥିଲୁ । କିନ୍ତୁ ଆମକୁ ନିଜର ମନୋବଳ ବଜାୟ ରଖିବାକୁ ପଡିବ । ସମର୍ଥନ ପାଇଁ ପ୍ରଶଂସକ ମାନଙ୍କୁ ଧନ୍ୟବାଦ । କୋଚ୍ ଓ ଟିମ୍ ମ୍ୟାନେଜମେଣ୍ଟକୁ ଅଶେଷ ଧନ୍ୟବାଦ । ଆମର କେବଳ ଗୋଟିଏ ଲକ୍ଷ୍ୟ ପୁଣିଥରେ ଶକ୍ତି ଜୁଟାଇ ଟୁର୍ଣ୍ଣାମେଣ୍ଟକୁ ଫେରିବା ।

ଆରସିବି ଅଧିନାୟକ ଫାପ୍ ଡୁ ପ୍ଲେସିସ ମଧ୍ୟ କହିଛନ୍ତି, ସମର୍ଥନ ପାଇଁ ପ୍ରଶଂସକଙ୍କୁ ଧନ୍ୟବାଦ । ସେହିଭଳି ଅନ୍ୟ ଟିମକୁ ପ୍ଲେ ଅଫ୍ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଆଇପିଏଲର ଦୁଇ ମାସ ବେଶ ଶାନଦାର ଥିଲା । କିନ୍ତୁ ଦୁଭାଗ୍ୟବସତଃ ଟୁର୍ଣ୍ଣାମେଣ୍ଟରେ ଆମର ଯାତ୍ରା ଶେଷ ହୋଇଗଲା । ଏହି ଯାତ୍ରାକୁ ସ୍ୱତନ୍ତ୍ର କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଏବେ ଘରକୁ ଫେରିବାର ସମୟ ଆସିଛି । ଆମ ଟିମର ଟପ୍-୪ ଖେଳାଳୀ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମିଡ଼ିଲ ଅର୍ଡର ଓ ଫିନିସର ସେତେଟା ଭଲ ପ୍ରଦର୍ଶନ କରିନଥିଲେ ।

ଗୁଜୁରାଟ ବିପକ୍ଷରେ ଶେଷ ମ୍ୟାଚରେ ପରାଜିତ ହୋଇ ଆଇପିଏଲ ପ୍ଲେ ଅଫରୁ ବାଦ୍ ପଡିଥିଲା ଆରସିବି । ଶେଷ ମ୍ୟାଚରେ ବିରାଟଙ୍କ ଶତକ ବଳରେ ବାଙ୍ଗାଲୋର ୧୯୮ ରନ୍ କରିବାକୁ ସକ୍ଷମ ହୋଇଥିଲା । କିନ୍ତୁ ଶୁଭମାନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ବିଜୟୀ ହୋଇଥିଲା ଗୁଜୁରାଟ ।