ବିଶ୍ୱକପ ମ୍ୟାଚର ୨ଦିନ ପୂର୍ବରୁ ଭାରତକୁ ବଡ ଝଟକା ! ଅଭ୍ୟାସ ବେଳେ ଆହତ ହେଲେ ଅଧିନାୟକ ବିରାଟ କୋହଲି ।

412

କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ଦଳକୁ ଲାଗିଛି ଏକ ବଡ ଝଟକା । ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ଆଘାତ ପାଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୂତାବକ ନେଟ୍ ଅଭ୍ୟାସ ବେଳେ ବିରାଟ କୋହଲିଙ୍କ ଡ଼ାହାଣ ହାତର ବୃଦ୍ଧାଙ୍ଗୁଳିରେ ଆଘାତ ଲାଗିଥିବା ଜଣାପଡ଼ିଛି । ଯାହା କି ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଆସନ୍ତା ଜୁନ୍ ୫ ତାରିଖରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ତେଣୁ ଏଭଳି ସମୟରେ ଦଳର ଅଧିନାୟକ ତଥା ରନ୍ ମେସିନ୍ ବିରାଟଙ୍କ ଆହତ ଘଟଣା ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମହଲକୁ ଚିନ୍ତାରେ ପକାଇଛି । ତେବେ ପ୍ରଥମ ମ୍ୟାଚରେ ବିରାଟ କୋହଲି ଖେଳିବେ କି ନାହିଁ, ସେନେଇ ମଧ୍ୟ ଏବେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ବିରାଟ କୋହଲିଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତ କେତେ ଗମ୍ଭୀର ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସେପଟେ ହାତରେ ଆଉ ମାତ୍ର ଦୁଇ ବାକି ଥିବାବେଳେ ବିରାଟଙ୍କୁ ଲାଗିଥିବା ଆଘାତ, ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଝଟକା ଦେଇଛି । ସେପଟେ ଦଳର ମିଡ଼ିଲ ଅର୍ଡର ଦାୟିତ୍ୱ ବହନ କରୁଥିବା କେଦାର ଯାଦବ ମଧ୍ୟ କାନ୍ଧ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଆଉ ସବୁଠାରୁ ବଡ଼କଥା ହେଲା କି, ଅଲରାଉଣ୍ଡର ବିଜୟ ଶଙ୍କର ମଧ୍ୟ କହୁଣୀରେ ଆଘାତ ଲାଗିଥିବା କାରଣରୁ ବିଶ୍ୱକପ ପୂର୍ବରୁ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚରେ ଦେଖିବାକୁ ମିଳିନଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଟିମ୍ ସାଉଥମ୍ପଟନରେ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଏଥି ପାଇଁ ଟିମ୍ ବହୁ ପରିଶ୍ରମ କରି ଅଭ୍ୟାସ କରିଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଏବେ ସନ୍ତୁଳିତ ହୋଇ ପାରିଛି । ଭାରତକୁ ବିଶ୍ୱକପରେ ଅନ୍ୟତମ ଶକ୍ତିଶାଳୀ ଟିମ୍ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ମ୍ୟାଚରେ ମେ’ ମାସ ୩୦ରେ ଇଂଲଣ୍ଡ ଠାରୁ ୧୦୪ ରନରେ ପରାସ୍ତ ହୋଇଥିଲା । ସେଥିପାଇଁ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତିବା ସହଜ ହେବ ନାହିଁ ବୋଲି କ୍ରିକେଟ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।