ବ୍ରିଟେନରେ ବିଜୟ ମାଲ୍ୟାଙ୍କୁ ଝଟକା : ୧୩ଟି ବ୍ୟାଙ୍କକୁ ୧ କୋଟି ୮୦ ଲକ୍ଷ ଟଙ୍କାର ଖର୍ଚ୍ଚ ଫେରାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ

20

କନକ ବ୍ୟୁରୋ : ବ୍ୟାଙ୍କ ଠକେଇ ପରେ ବ୍ରିଟେନରେ ଆତ୍ମଗୋପନ କରିଥିବା ବିଜୟ ମାଲ୍ୟାଙ୍କୁ ବଡ ଝଟକା । ବ୍ରିଟେନର ଏକ କୋର୍ଟ ଭାରତର ୧୩ଟି ବ୍ୟାଙ୍କକୁ ୧ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ ପାଖରୁ ଋଣ ନେଇ ଅର୍ଥ ଫେରସ୍ତ ନକରି ମାଲ୍ୟା ଦେଶ ଛାଡି ଫେରାର ହୋଇ ଯାଇଛନ୍ତି । ଏହି ମାମଲା ନେଇ ଭାରତୀୟ ବ୍ୟାଙ୍କଗୁଡିକ ବ୍ରିଟେନରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବ୍ୟାଙ୍କ ଗୁଡିକଙ୍କ ଦାବିକୁ ଉଚିତ ବୋଲି କହିଛନ୍ତି କୋର୍ଟ ।

ନିଜର ପ୍ରାପ୍ୟ ଫେରି ପାଇବା ପାଇଁ ୧୩ଟି ଭାରତୀୟ ବ୍ୟାଙ୍କ ମାଲ୍ୟାଙ୍କ ବିରୋଧରେ ବ୍ରିଟେନ୍‌ର ଆଇନଗତ ଲଢ଼େଇ ଲଢ଼ୁଛନ୍ତି । ଏହି ଲଢ଼େଇ ପାଇଁ ବ୍ୟାଙ୍କଗୁଡ଼ିକର ଯେଉଁ ଖର୍ଚ ହୋଇଛି ତାହା ଫେରାଇବାକୁ ବ୍ରିଟେନ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ ନିର୍ଦେଶ ଦେଇଛନ୍ତି । ଭାରତୀୟ ବ୍ୟାଙ୍କଗୁଡ଼ିକୁ ୨ ଲକ୍ଷ ପାଉଣ୍ଡ୍‌ ଫେରାଇବାକୁ ମାଲ୍ୟାଙ୍କୁ କୁହାଯାଇଛି । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ୧୩ଟି ବ୍ୟାଙ୍କର ୯୦୦୦ କୋଟିରୁ ଅଧିକ ଟଙ୍କା ଠକେଇ କରି ମାଲ୍ୟା ଦେଶ ଛାଡ଼ି ଚାଲିଯାଇଛନ୍ତି । ମାଲ୍ୟାଙ୍କଠାରୁ ନିଜ ଟଙ୍କା ଫେରି ପାଇବା ପାଇଁ ବ୍ୟାଙ୍କଗୁଡ଼ିକ ବ୍ରିଟେନ୍‌ରେ ଆଇନଗତ ଲଢ଼େଇ ଲଢ଼ୁଛନ୍ତି । ଗତ ମାସରେ ବିଚାରପତି ଆଣ୍ଡ୍ରୁ ହେନ୍‌ସ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ଦେଇଥିଲେ ଯେ ଭାରତୀୟ ବ୍ୟାଙ୍କଗୁଡ଼ିକ ସପକ୍ଷରେ ରାୟ ଦେଇଥିଲେ ।

ସାରା ବିଶ୍ୱରେ ବିଜୟ ମାଲ୍ୟାଙ୍କ ଯେତେ ସବୁ ସମ୍ପତ୍ତି ରହିଛି ତାହାକୁ ଜବତ କରିବା ଯେଉଁ ନିର୍ଦେଶ ଜାରି କରାଯାଇଛି ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ସେ ମନା କରିଦେଇଥିଲେ । ବିଶ୍ୱ ସ୍ତରରେ ସମ୍ପତ୍ତି ଜବତ ନିର୍ଦେଶ ଜାରି କରିବା ଓ କର୍ଣ୍ଣାଟକ ଡେବ୍‌ଟ ରିକଭରି ଟ୍ରିବ୍ୟୁନାଲ୍‌ଙ୍କ ଯେଉଁ ସବୁ ଖର୍ଚ ହୋଇଛି ତାହାକୁ ଫେରାଇବାକୁ ମାଲ୍ୟାଙ୍କୁ ହାଇକୋର୍ଟ କହିଛନ୍ତି । ଷ୍ଟେଟ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, କର୍ପୋରେସନ୍‌ ବ୍ୟାଙ୍କ, ଫେଡେରାଲ୍‌ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଓ ପିଏନ୍‌ବି ଭଳି ୧୩ଟି ବ୍ୟାଙ୍କରୁ ମାଲ୍ୟା ଋଣ ଠକେଇ କରିଛନ୍ତି । ମାଲ୍ୟା ଦେଶ ଛାଡ଼ି ଚାଲିଯିବା ପରେ ବ୍ୟାଙ୍କଗୁଡ଼ିକ ଚିନ୍ତିତ ହୋଇପଡ଼ିଥିଲେ । ସେମାନେ ଦେଶରେ ଥିବା ବିଭିନ୍ନ କୋର୍ଟରେ ମାମଲା ଦାୟର କରିଥିଲେ ।

ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଜବତ କରି ସେଥିରୁ ନିଜ ପ୍ରାପ୍ୟ ହାସଲ କରିବାକୁ ବ୍ୟାଙ୍କଗୁଡ଼ିକୁ ଭାରତୀୟ କୋର୍ଟ ନିର୍ଦେଶ ଦେଇଥିଲେ । ସେହି ରାୟକୁ ମାଲ୍ୟା ବ୍ରିଟେନ୍‌ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ବ୍ରିଟେନ୍‌ ହାଇକୋର୍ଟ ବ୍ୟାଙ୍କଗୁଡ଼ିକ ସପକ୍ଷରେ ରାୟ ପ୍ରକାଶ କରିିଥିଲେ । ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ମଧ୍ୟ ଦାୟର କରାଯାଇଛି । ତାଙ୍କୁ ପ୍ରତ୍ୟର୍ପଣ ସଂକ୍ରାନ୍ତରେ ଭାରତ ସରକାର ଯେଉଁ ମାମଲା ଦାୟର କରିଥିଲେ ତାହାର ମଧ୍ୟ ବିଚାର ବ୍ରିଟେନ୍‌ କୋର୍ଟରେ ଚାଲିଛି । ଆସନ୍ତା ମାସରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ । ମାଲ୍ୟାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲାରେ ଓ୍ଵାରେଣ୍ଟ ଜାରି କରାଯାଇଥିଲା । ତାଙ୍କୁ ଗତବର୍ଷ ଏପ୍ରିଲ୍‌ରେ ବ୍ରିଟେନ୍‌ରେ ଗିରଫ କରାଯାଇଥିଲା । ପରେ ତାଙ୍କୁ ଜାମିନ ମିଳିଯାଇଥିଲା । ଯଦି ପ୍ରତ୍ୟର୍ପଣ ମାମଲାର ରାୟ ମାଲ୍ୟାଙ୍କ ବିପକ୍ଷରେ ଯିବ ତେବେ ତାଙ୍କୁ ଭାରତ ପଠାଇ ଦିଆଯିବ । ଏଠାରେ ତାଙ୍କୁ ମୁମ୍ବାଇର ଆର୍ଥର ରୋଡ୍‌ ଜେଲ୍‌ରେ ରହିବାକୁ ପଡ଼ିବ ।