ଆନ୍ଧ୍ରର ଲାଭ, ଓଡିଶାର କ୍ଷତି! ବେଦାନ୍ତ ବିଶ୍ୱବିଦ୍ୟାଳୟ ଛାଡିବ କି ଓଡିଶା ? କନକ ନ୍ୟୁଜ୍ ୱେବ୍ ଏକ୍ସକ୍ଲୁସିଭ୍

53

ଓଡିଶାରୁ ଫେରିପାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ । ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାରୁ, ଜମି ଅଧିଗ୍ରହଣ ହୋଇପାରୁନି କିମ୍ବା କାମ ଆଗେଇପାରୁନି । ଫଳରେ ୧୫ ହଜାର କୋଟି ଟଙ୍କାର ଏହି ଶିକ୍ଷାନୁଷ୍ଠାନର କାର୍ଯ୍ୟ ପାଦେ ମଧ୍ୟ ଆଗେଇପାରିନି । ତେବେ ବଡ କଥା ହେଉଛି ଏହାର ସୁଯୋଗ ନେବାକୁ ଆଗେଇ ଆସିଛି ପଡୋଶୀ ଆନ୍ଧ୍ରପ୍ରଦେଶ । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଏଡୁ, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଆଗ୍ରହ ପ୍ରକାଶ କରିବା ସହ କିଭଳି ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି ।

ଏନେଇ ଆମେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଭାପତି ବିଜୟ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ ସୂଚନା ଅନୁସାରେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ଆନ୍ଧ୍ରପ୍ରଦେଶରେ ସ୍ଥାପନ କରିବା ପାଇଁ ଆନ୍ଧ୍ର ସରକାର ପ୍ରସ୍ତାବ ରଖିଛନ୍ତି । ଏହି ମର୍ମରେ ଗତ ଜାନୁୟାରୀ ମାସରେ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ଏପରିକି ଲଗାତର ସେମାନେ ଚିଠି ମାଧ୍ୟମରେ ଯୋଗାଯୋଗ କରୁଥିବା ସୂଚନା ଦେଇଛନ୍ତି ।

୮୦୦୦ ଏକର ଜମି ଏବଂ ୧୫ହଜାର କୋଟି ଟଙ୍କାର ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରସ୍ତାବିତ ବିଶ୍ୱସ୍ତରୀୟ ବେଦାନ୍ତ ବିଶ୍ୱବିଦ୍ୟାଳୟର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ନବୀନ ପଟ୍ଟନାୟକଙ୍କ ହାତ ଛାଡି ଏବେ ଚନ୍ଦ୍ରବାବୁ ନାଏଡୁଙ୍କ ହାତ ଧରିବା ଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । କାହିଁକି ନା ଦୀର୍ଘ ବର୍ଷ ପରେ ବି ପ୍ରକଳ୍ପ କାମ କିଛି ବି ଆଗେଇ ପାରୁନାହିଁ । ତେଣୁ ଅନିଶ୍ଚିତତା ଭିତରକୁ ପ୍ରସ୍ତାବିତ ଶିକ୍ଷାନୁଷ୍ଠାନର ଭାଗ୍ୟ ଚାଲିଯିବା ଆଗରୁ ବିକଳ୍ପ ରାସ୍ତା ବାହାର କରିବାକୁ ଯୋଜନା କରାଯାଉଥିବା ବିଶ୍ୱାସ୍ତ ସୁତ୍ରରୁ ସୂଚନା ମିଳିଛି । ଓଡିଶାର ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ନୂଆନଈ ଓ ବାଲିଘାଇ ମଧ୍ୟରେ ଥିବା ଜମିରେ ଯେଉଁ ବିଶ୍ୱବିଦ୍ୟାଳୟ ହେବାକୁ ଥିଲା, ତାହା ଏବେ ଆନ୍ଧ୍ର ମୁହାଁ ହେବାକୁ ଆଗ୍ରହ ପ୍ରକାଶ କରିଛି ।

ବିଜୟ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଓଡିଶାରେ ଜମି ପାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାରେ ବେଦାନ୍ତ ସମର୍ଥ ହୋଇନାହିଁ । କାରଣ ୨୦୦୬ରେ ପ୍ରସ୍ତାବ ରଖାଯାଇଥିଲା, ୨୦୧୧ରେ ମାମଲା ସୁପ୍ରିମକୋର୍ଟକୁ ଗଲା । ତେବେ ଏହାରି ଭିତରେ ୬ ବର୍ଷ ବିତିଯାଇଥିଲେ ବି କୈାଣସି ନିଷ୍ପତ୍ତି ନିଆଯାଇନାହିଁ । ହୁଏତ ଏନେଇ ଅବଗତ ହେବା ପରେ ଆନ୍ଧ୍ର ସରକାର ପ୍ରସ୍ତାବ ଦେଇଥାଇପାରନ୍ତି । ତେବେ ପ୍ରକଳ୍ପକୁ ଓଡିଶାରେ ରଖିବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଲଗାତର ଭାବେ ବେଦାନ୍ତ ବିଶ୍ୱାବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଯଦି ବିକଳ୍ପ ଭାବେ ଜମି ଯୋଗାଇ ଦିଆଯାଏ ତେବେ ବିଶ୍ୱବିଦ୍ୟାଳୟ ଓଡିଶାରେ ରହିଯାଇପାରେ ।

ଜୁଲାଇ ୧୯, ୨୦୦୬ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଥିଲା ଚୁକ୍ତିନାମା । ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତାର ନୂଆନଈ ଓ ବାଲିଘାଇ ମଧ୍ୟରେ ଚିହ୍ନଟ ହେଲା ୮୦୦୦ ଏକର ଜମି । ଏଥିରୁ ୬୫୦୦ ଏକର ସ୍ଥାନୀୟ ଗ୍ରାମବାସୀଙ୍କ ହୋଇଥିବାବେଳେ ୧୩୦୦ ଏକର ଥିଲା ଶ୍ରୀଜଗନ୍ନାଥଙ୍କ ଜମି । ତେବେ ଜମି ଅଧିଗ୍ରହଣ ବିରୋଧରେ ଆନ୍ଦୋଳନ ତେଜିଲା । ମାମଲା ଯାଇଥିଲା କୋର୍ଟକୁ । ୨୦୧୦ରେ ହାଇକୋର୍ଟରେ ହୋଇଥିବା ଦୁଇଟି ଜନସ୍ୱାର୍ଥ ମାମଲା ସହ ୭ଟି ବ୍ୟକ୍ତିଗତ ରିଟ ପିଟିସନ୍ର ନିଷ୍ପତି ଆସିଥିଲା । ଯେଉଁଥିରେ ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇଲେ ହାଇକୋର୍ଟ ।

ମାମଲା ଯାଇଥିଲା ସୁପ୍ରିମକୋର୍ଟ । ଯେଉଁଥିରେ ସର୍ବୋଚ୍ଚକୋର୍ଟ ଅନ୍ତରୀଣ ଆଦେଶ ଜାରି କରିବା ସହ ନିର୍ମାଣ କାର୍ଯ୍ୟ ବେଦାନ୍ତ ବିଶ୍ୱବିଦ୍ୟାଳୟ କରିପାରିବ ନାହିଁ ବୋଲି କହିଥିଲେ । ତେବେ ଏ ସକ୍ରାନ୍ତରେ ମୁଳ ପିଟିସନର ଶୁଣାଣି ଜାରି ରହିବ ବୋଲି ସୁପ୍ରିମକୋର୍ଟ କହିଥିଲେ । ଯାହାର ଶୁଣାଣି ଏଯାବତ୍ ଚାଲିଛି ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, ରାଜ୍ୟ ସରକାରଙ୍କ ପାଖରେ ଏ ସଂପର୍କରେ ଖବର ନାହିଁ, ତେବେ ପ୍ରକଳ୍ପ ବଂଚାଇବାକୁ ଉଦ୍ୟମ କରିବେ ବୋଲି ସେ ସଫେଇ ରଖିଛନ୍ତି । ବେଦାନ୍ତ ଯାଉଛି କି ନାହିଁ ମୋ ପାଖରେ କିଛି ଖବର ନାହିଁ । ଏହାକୁ ନେଇ ବହୁ କେସ୍ ଚାଲିଛି, ବହୁତ ବିରୋଧ ହେଲା ତେଣୁ ପ୍ରକଳ୍ପ ବିଳମ୍ବ ହେଲା । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ । ମନ୍ତ୍ରୀଙ୍କ ଏହି ଉତ୍ତର ଗୋଟିଏ ଦିଗକୁ ସ୍ପଷ୍ଟ କରୁଛି, ଯେ ହୁଏତ ଆଗାମୀ ଦିନରେ କିଛି ବଡ ଘୋଷଣା ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ହୋଇପାରେ । ସୂଚନା ଅନୁସାରେ, ସରକାରୀ ସ୍ତରରେ କିଛି ଦିନ ତଳେ ଏନେଇ ଏକ ବୈଠକ ମଧ୍ୟ ବସିଥିଲା । ତେବେ ବେଦାନ୍ତ ବିଶ୍ୱବିଦ୍ୟାଳୟ ରହି ବି ଯିବ ତାକୁ ନେଇ ଏନେ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି ।

ସେହିଭଳି ବିଶ୍ୱବିଦ୍ୟାଳୟକୁ ବିରୋଧ ଜାରି ରଖିଥିବା ଉମ୍ମା ବଲ୍ଲଭ ରଥ କହିଛନ୍ତି, ଅନ୍ୟ କୈଣସି ଜାଗାରେ ବେଦାନ୍ତ ବିଶ୍ୱ ବିଦ୍ୟାଳୟ କରାଯାଇ ପାରନ୍ତା । ବିଶ୍ୱବିଦ୍ୟାଳୟ ନାଁରେ ଜମି ହଡପ କରିବା ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ମୁଳ ଉଦ୍ଦେଶ୍ୟ ଥିଲା । ଯେଉଁଭଳି ଢଙ୍ଗରେ ସରକାର ୮ ହଜାର ଏକର ଜମି ଅଧିଗ୍ରହଣ କରିନେଲେ ତାହା କୈାଣସି ବି ରାଜ୍ୟରେ ଆଜିଯାଏଁ ଦେଖିବାକୁ ମିଳିନାହିଁ । ଓଡିଆ ପିଲାଙ୍କ ପାଇଁ ଏଠି କିଛି ସଂରକ୍ଷଣ ବ୍ୟବସ୍ଥା ନଥିଲା । ସମସ୍ତ ଆଇନ କାନୁନକୁ ବଳି ଦେଇ ରାଜ୍ୟ ସରକାର କାର୍ଯ୍ୟ କରୁଥିଲେ ।

ତେବେ ବଡ କଥା ହେଉଛି, ଓଡିଶାରେ ଅତ୍ୟାଧୁନିକ ବେଦାନ୍ତ ବିଶ୍ୱବିଦ୍ୟାଳୟ ହେଲେ ଶିକ୍ଷାର ମାନ ବଢିବ, ଏଥିରେ କାହାର କିଛି ଦ୍ୱନ୍ଦ୍ୱ ହୁଏତ ନଥିବ । ତେବେ ଶ୍ରୀଜଗନ୍ନଥଙ୍କ ଅମୃତ ମଣୋହୀ ଜମିକୁ ନେଇ ଯେଉଁଭଳି ସ୍ଥିତି ସୃଷ୍ଟି ହେଲା, ତାହା ପ୍ରକଳ୍ପର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିନେଲା । ତେବେ ବିକଳ୍ପ ବ୍ୟବସ୍ଥା କରିବାରେ ଅସୁବିଧା କେଉଁଠି ରହିଲା? ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ କଣ ଭିନ୍ନ ଏକ ସ୍ଥାନରେ ଜମି ଦିଆଯାଇ ପାରିନଥାନ୍ତା? କାହିଁକି ବେଦାନ୍ତ କର୍ତ୍ତୃପକ୍ଷ ଜିଦ୍ ଧରି ବସିଥିଲେ, ସେହି ସ୍ଥାନରେ ହିଁ ପ୍ରକଳ୍ପ ସ୍ଥାପନ କରିବାକୁ? ପ୍ରଥମେ ପସ୍କୋ ଆଉ ଏବେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଓଡିଶା ଛାଡିବାକୁ ପ୍ରସ୍ତୁତ ହେଲାଣି । ଏହା ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ବଡ ଧରଣର ପ୍ରଶ୍ନବାଚୀ ତିଆରି କରୁନାହିଁ ତ?