ଉତରପ୍ରଦେଶରେ କିଏ ଚଢିବ ସାଇକେଲ ! ଆଜି ନିଷ୍ପତି କରିପାରନ୍ତି ନିର୍ବାଚନ କମିଶନ

42

କନକ ବ୍ୟୁରୋ : ନିର୍ବାଚନ କମିଶନ କହିବେ ସାଇକେଲ କାହାର । ସମାଜବାଦୀ ପାର୍ଟିର ଦଳୀୟ ସଂକେତ ‘ସାଇକେଲ’ ସଂପର୍କରେ ଆଜି ନିଷ୍ପତି ଶୁଣାଇ ପାରନ୍ତି ଜାତୀୟ ନିର୍ବାଚନ ଆୟୋଗ । ବାପ-ପୁଅ ବିବାଦ ପରେ ସମାଜବାଦୀ ପାର୍ଟିର ଦଳୀୟ ଚିହ୍ନ କାହାକୁ ଦିଆଯିବ ସେନେଇ ଦ୍ୱନ୍ଦ୍ୱରେ କମିଶନ୍ । ଏପରିକି ସାଇକେଲ ସଂକେତକୁ ଅଚଳ ରଖିବାକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି କମିଶନ୍ । ତେବେ ଅଖିଳେଶଙ୍କୁ ସାଇକେଲ ଚିହ୍ନ ନ’ମିଳିଲେ ସେ ମୋଟର ସାଇକେଲ ଚିହ୍ନରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି ।

ବାପା ମୁଲାୟମ ସିଂ ଯାଦବଙ୍କ ବିରୋଧରେ ବିଦ୍ରୋହ କରି ସାଇକେଲ ସଂକେତ ଉପରେ କବଜା କରିବାକୁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଅଖିଳେଶ ଯାଦବ । ଅପରପକ୍ଷରେ ଦଳରେ ବିଭାଜନକୁ ଅସ୍ୱୀକାର କରିବା ସହ ଦଳର ମୁଖିଆ ଭାବେ ଦେଖାଦେଇଥିବା ସମସ୍ୟାର ସେ ନିଜେ ସମାଧାନ କରିବେ ବୋଲି କମିଶନଙ୍କୁ ଜଣାଇଥିଲେ ମୁଲାୟମ ।

ଗତ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନ ନସିମ ଜୈଦିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଶନ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତିକୁ ସଂରକ୍ଷିତ ରଖିଥିଲେ । ଆସନ୍ତାକାଲିଠାରୁ ଉତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବାରୁ ଆଜି ନିଷ୍ପତି ଶୁଣାଇବେ ନିର୍ବାଚନ କମିଶନ ।

ଗତ ୧୩ ତାରିଖରେ ମୁଲାୟମ ଓ ଅଖିଳେଶ ଗୋଷ୍ଠୀ, ବିଶିଷ୍ଠ ଆଇନଜୀବୀ ଟିମଙ୍କ ଜରିଆରେ ନିର୍ବାଚନ କମିଶନଙ୍କ ପାଖରେ ନିଜନିଜ ଯୁକ୍ତି ରଖିଥିଲେ । ସମାଜବାଦୀ ପାର୍ଟିର ସାଂକେତିକ ଚିହ୍ନ ସାଇକେଲ ପାଇବାକୁ ହକଦାର ବୋଲି କହିଥିଲେ ।