ଆଜିଠୁ ଟିମ୍ ଇଣ୍ଡିଆ – ଆୟର୍ଲାଣ୍ଡ ମଧ୍ୟରେ ଟି-ଟ୍ୱେଂଟି ସିରିଜ୍ । ପ୍ରଥମ ଥର ପାଇଁ ଜାତୀୟ ଦଳର ନେତୃତ୍ୱ ନେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

217

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଟିମ୍ ଇଣ୍ଡିଆ ଓ ଆୟର୍ଲାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଂଟି ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍ ଆଜି ଡବଲିନରେ ଖେଳାଯିବ । ଆଇପିଏଲରେ ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ୍ କରାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମଥର ଜାତୀୟ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି । ଯଦିଓ ତାଙ୍କ ପାଇଁ ଆୟର୍ଲାଣ୍ଡ ସିରିଜ୍ ବଡ଼ ଟାସ୍କ ନୁହେଁ, କିନ୍ତୁ ସେ ଅଧିନାୟକ ଭାବେ ସେ ନିଜର ପ୍ରଥମ ସିରିଜକୁ ସ୍ମରଣୀୟ କରିବାକୁ ଚାହିଁବେ ।

ଜୁଲାଇ ୩ ତାରିଖରୁ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଆୟର୍ଲାଣ୍ଡ ସିରିଜ୍ ପାଇଁ ଦ୍ୱିତୀୟ ସ୍ତରର ଟିମ୍ ପଠାଇଛି । ପ୍ରଥମ ମ୍ୟାଚରେ ଜମ୍ମୁର ସ୍ପିଡଷ୍ଟର୍ ଉମରାନ୍ ମଲିକଙ୍କୁ ସୁଯୋଗ ମିଳିପାରେ । ସେହିପରି ଦଳକୁ ଫେରିଥିବା ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମସନଙ୍କ ପାଇଁ ଏହି ସିରିଜ୍ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ବିଶ୍ୱକପ୍ ପ୍ରସ୍ତୁତିରେ ସହାୟକ ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁଯୋଗ ପାଇନଥିବା ଭେଙ୍କଟେଶ ଆୟର, ଅର୍ଶଦୀପ ସିଂହ, ଦୀପକ ହୁଡାଙ୍କ ଭଳି ଖେଳାଳି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପ୍ରସ୍ତୁତିରେ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ବ୍ୟସ୍ତ ଥିବାରୁ ଏନସିଏ ନିର୍ଦ୍ଦେଶକ ତଥା ପୂର୍ବତନ ବ୍ୟାଟର୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ଆୟର୍ଲାଣ୍ଡ ସିରିଜ୍ ପାଇଁ କୋଚ୍ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ଅପେକ୍ଷାକୃତ ଦୁର୍ବଳ ଆୟର୍ଲାଣ୍ଡ ତା’ର ରେକର୍ଡରେ ସୁଧାର ଆଣିବାକୁ ପ୍ରୟାସ କରିବ । ଦଳ ଗତ ତିନି ବର୍ଷରେ ମାତ୍ର ଗୋଟିଏ ଟି-ଟ୍ୱେଂଟି ସିରିଜ୍ ଜିତିଛି ।