କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ, ବିଜେଡିର ଜବାବ: ପଢନ୍ତୁ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ?

176

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ଜବାବ ଦେଇଛି ବିଜେଡି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶର ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ କଥା କଥାକେ ଗୁଜାରଟ ମଡେଲ କୁହେ । ଓଡିଶା ଆସି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବାବଦରେ ୧୫ଟି ରାଜ୍ୟର ପ୍ରତିନିଧି ତାଲିମ ନେଇ ଯାଇଛନ୍ତି । ସେଥିରେ ଗୁଜରାଟ ମଧ୍ୟ ଅଛି, ଏକଥା ସେମାନେ ବୁଝିବା ଉଚିତ ବୋଲି କହିଛନ୍ତି ସମୀର ଦାଶ । ସେହିପରି ଧର୍ମେନ୍ଦ୍ରଙ୍କ ପୁରସ୍କାର ଫିକ୍ସିଂ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, କଥା କହିବାକୁ ପଇସା ପଡେ ନାହିଁ । କିଏ କଣ କହୁଛନ୍ତି ତାହାର ଜବାବ ଆଗାମୀ ଦିନରେ ଓଡିଶାବାସୀ ଦେବେ ।

ଗତକାଲି ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବ ପକ୍ଷରୁ ଓଡିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ ବେଳେ ତେରଛା ବାଣ ମାରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାହାର ନାଁ ନନେଇ ପୁରସ୍କାର ପାଇବାକୁ କେମିତି କାରସାଦି କରାଯାଏ, କେମିତି ଫିକ୍ସିଂ ହୁଏ ତାର ଉଦହାରଣ ଦେଇ ବୁଝାଇଛନ୍ତି ଧର୍ମେନ୍ଦ୍ର । ଅବଶ୍ୟ ଏଥିପାଇଁ ସେ ଗୋଲଡେନ ପିକକ୍ ଆୱାର୍ଡ କଥା ଉଠାଇଛନ୍ତି । ସେପଟେ ଶ୍ରେୟ ପାଇଁ ହେଉଥିବା ରାଜନୀତିକୁ ମଧ୍ୟ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିରୋ ହ୍ୟୁମାନ ଲସ କଥା ରାଜ୍ୟ ସରକାର କହୁଥିବା ବେଳେ, ଏଥିପାଇଁ  ଅଟଳ ବିହାରୀ ବାଜପେୟୀଙ୍କ ଅବଦାନକୁ ଭୁଲିଯାଉଛନ୍ତି । ୧୯୯୯ ମହାବାତ୍ୟା ପରେ ପ୍ରତି ପଂଚାୟତରେ ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇଛି । ତେଣଉ ସାମ୍ବାଦିକମାନେ ଖବର କଲା ବେଳେ ସେହି କଥାକୁ ଉଲ୍ଲେଖ କରିବା ପାଇଁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ଆଉ ଏକ ପ୍ରସଙ୍ଗ ଉଠାଇ ଓଡିଆଙ୍କ କଙ୍କଡା ପ୍ରକୃତି କଥା କହିଛନ୍ତି, କେନ୍ଦ୍ରମନ୍ତ୍ରୀ । ଅବଶ୍ୟ ଏଥିରେ କାହାକୁ ଟାର୍ଗେଟ କରୁଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ କିନ୍ତୁ ପୁରସ୍କାର ବିତରଣ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷଣ ବଡ ରାଜନୈତିକ ବିତର୍କ ସୃଷ୍ଟି କରିଛି ।