ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ । ଭାଙ୍ଗିଗଲାଣି ଗଜଦନ୍ତ ରତ୍ନ ପଲଙ୍କ । କନକ ନ୍ୟୁଜରେ ଖବର ପ୍ରକାଶ ପରେ ତୀବ୍ର ପ୍ରତିକ୍ରିୟା

107

କନକ ବ୍ୟୁରୋ: କୋଟି କୋଟି ଓଡିଆ ପ୍ରାଣର ମହାପ୍ରଭୁ, ଜଗତର ନାଥ ଜଗନ୍ନାଥ ଭଙ୍ଗା ପଲଙ୍କରେ ଶୋଉଛନ୍ତି । ଶ୍ରୀଜିଉଙ୍କ ଗଜଦନ୍ତ ରତ୍ନ ପଲଙ୍କ ଭାଙ୍ଗି ଯାଇଛି । ପଲଙ୍କର ଗୋଡ଼ ଦୋହଲି ଗଲାଣି । ଗଜଦନ୍ତ ଘୋରି ହୋଇଗଲାଣି, ଲାଗିଥିବା ରୂପା ବି ଛାଡ଼ିଗଲାଣି । ଯେଉଁ ଶେଯ ପଡ଼ିଛି, ତାହା ମଧ୍ୟ ପୁରୁଣା ହୋଇଗଲାଣି । ରତ୍ନ ପଲଙ୍କର ମରାମତି ପାଇଁ ବହୁ ଦିନରୁ ଦାବି ହେଉଥିଲେ ମଧ୍ୟ ମନ୍ଦିର ପ୍ରଶାସନ କିଛି କରୁନାହିଁ । ତେଣୁ ସେହି ଭଙ୍ଗା ପଲଙ୍କରେ ସବୁ ନୀତିକାନ୍ତି ହେଉଛି । ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ରୁପା ଆଚ୍ଛାଦିତ କାମ ହେଉଛି, କିନ୍ତୁ ମହାପ୍ରଭୁଙ୍କ ରତ୍ନ ପଲଙ୍କର ମରାମତି କରାଯାଉନଥିବାରୁ ଅସନ୍ତୋଷ ବଢିଛି ।

  • ଜଗନ୍ନାଥଙ୍କ ଭଙ୍ଗା ପଲଙ୍କ
  • ମରାମତି ପାଇଁ ଉଠିଲା ଦାବି

ପ୍ରତିଦିନ ବଡସିଂହାର ବେଶ ପରେ ନିଦ୍ରା ଯାଆନ୍ତି ବଡ ଠାକୁର । ସେଇଥିପାଇଁ ଶ୍ରୀମନ୍ଦିର ଦକ୍ଷିଣ ପାଶ୍ୱର୍ ଭଣ୍ଡାର ଘର ସମ୍ମୁଖରେ ଶ୍ରୀଜିଉଙ୍କ ଶୟନ କକ୍ଷ ରହିଛି । ଯେଉଁଠି ରହିଛି ଶ୍ରୀଜିଉଙ୍କ ଗଜଦନ୍ତ ପଲଙ୍କ । ଯାହା ଶ୍ରୀମନ୍ଦିର ପ୍ରଶାସନ, ନୀତି ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟିର ଦାୟିତ୍ୱହୀନତାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି କରୁଛି ।

ଶ୍ରୀମନ୍ଦିର ବାହାରେ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ଶ୍ରୀମନ୍ଦିରକୁ ବାହାରେ ଚକାଚକ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲାଗିଥିବା ବେଳେ ମହାପ୍ରଭୁଙ୍କ ଭଙ୍ଗା ପଲଙ୍କ କଥା ସମସ୍ତେ ଭୁଲି ଯାଉଛନ୍ତି ।