କେତେ ସୁରକ୍ଷିତ ସ୍ମାର୍ଟ ସିଟି ଭୁବନେଶ୍ୱର? ରାଜଧାନୀ ରାସ୍ତାରୁ ଆସିଲା ମହିଳା ଅସୁରକ୍ଷାର ଦୁଇଟି କାହାଣୀ

196

କନକ ବ୍ୟୁରୋ: ରାଜଧାନୀରେ ଡର ଲାଗୁଛି । ହୋଲିରେ ସବୁଆଡେ ଛୁଟି ଥିବାବେଳେ ରାଜଧାନୀରୁ ଆସିଛି ନାରୀ ଅସୁରକ୍ଷାର ଦୁଇଟି କାହାଣୀ । ଚନ୍ଦ୍ରଶେଖପୁର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ସ୍କୁଟିରେ ବସାଇବା ବାହାନାରେ ଯୁବକ ଏକ ଶୂନଶାନ୍ ସ୍ଥାନକୁ ନେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ସେପଟେ ବଡଗଡ ଅଞ୍ଚଳରେ ଦାମୀ କାରରେ ଆସି ଜଣେ ଯୁବକ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

  • ନାରୀ ମାଗୁଛି ନ୍ୟାୟ
  • ଚର୍ଚ୍ଚାରେ ରାଜଧାନୀର ଦୁଇ କାହାଣୀ

ହୋଲିରେ ଦୁଇଦିନ ଛୁଟିଥିବାବେଳେ ରାଜଧାନୀରେ ନାରୀ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । କାରଣ ରାସ୍ତାରେ ବୁଲୁଛନ୍ତି ଅସାମାଜିକ ଲୋକ । ଆଉ ସୁଯୋଗର ଫାଇଦା ଉଠାଇ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ।

  • ରାଜଧାନୀରେ ଲାଗୁଛି ଡର
  • ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ?

ହୋଲି ପୂର୍ବ ରାତିରେ ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଶୂନଶାନ୍ ସ୍ଥାନକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଛି ଅଭିଯୁକ୍ତ । ଘଟଣା ଘଟିଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ । ଯୁବତୀଜଣକ ଯାଜପୁରର ହୋଇଥିବାବେଳେ ଭୁବନେଶ୍ୱରର ଏକ ହୋଟେଲରେ କାମ କରନ୍ତି । ହୋଲି ପୂର୍ବଦିନ ରେଷ୍ଟୁରାଣ୍ଟରୁ କାମ ସାରି ଫେରୁଥିବାବେଳେ ରାସ୍ତାରେ ବସକୁ ଅପେକ୍ଷା କରିଥିଲେ । ଆଉ ଲିଫ୍ଟ ଦେବା ବାହାନାରେ ଯୁବକ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସତ୍ୟନାରାୟଣ ସାହୁଙ୍କୁ ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ । ଅଧିକ ତଦନ୍ତ ପାଇଁ ଯୁବତୀଙ୍କ ବୟାନ ରେକର୍ଡ ହୋଇଛି ।

  • ଘରୁ ବାହାରୁଥିଲେ ସାବଧାନ
  • ରାଜରାସ୍ତାରେ ବୁଲୁଛନ୍ତି ଅସାମାଜିକ ଲୋକ

ରାଜଧାନୀର ରାଜରାସ୍ତାରେ ଦାମୀ କାରରେ ଆସି ଛାତ୍ରୀଙ୍କୁ ଅସଦାଚରଣ କରୁଛନ୍ତି ଅସମାଜିକ ବ୍ୟକ୍ତି । ମହିଳା ତଥା ପାଠ ପଢ଼ୁଥିବା ସ୍କୁଲ ଛାତ୍ରୀଙ୍କୁ ବି ଛାଡ଼ୁନାହାନ୍ତି ଏମାନେ । ରାସ୍ତା ଉପରେ ଏକାକି ଦେଖିଲେ ମାନବିକତା ହରାଇ ଅସଦାଚରଣ କରୁଛନ୍ତି ଦୁର୍ବୃତ୍ତ । ବଡଗଡ଼ ଥାନା ଅଧିନ ରତ୍ନାକର ବାଗ ଅଞ୍ଚଳରେ ଅଭଦ୍ରାମି କରୁଥିବା ସମୟରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଛି । ବଡଗଡ଼ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଯୁକ୍ତ ଦୁଇ ଛାତ୍ରୀ ଟ୍ୟୁସନରୁ ଫେରିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଦୁର୍ବୃତ୍ତ ଦାମୀ କାରରେ ଆସି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ବେଳର ଫୁଟେଜକୁ ପୋଲିସ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁ ସରୋଜ କୁମାର ସ୍ୱାଇଁ ବୋଲି ଜଣାପଡ଼ିଛି ।