ପରଲୋକରେ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ: ୬୭ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ

128

କନକ ବ୍ୟୁରୋ: ଦେଖିବାକୁ ମିଳିବନି ଏମିତି ହସେଇ ହସେଇ ବେଦମ କରି ଦେଉଥିବା ଅଭିନେତାଙ୍କ ଅଭିନୟ । କେବେ ହସେଇଥାନ୍ତି ପୁଣି କେବେ କନ୍ଦେଇଥାନ୍ତି । ଯେବେ ବି ସ୍କ୍ରିନକୁ ଆସିଥାନ୍ତି ନିଜର ଚମତ୍କାର ଅଭିନୟ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି । ହେଲେ ଆଉ ଦେଖିବାକୁ ମିଳିବନି ତାଙ୍କର ସେହି ଯାଦୁକରୀ ଅଭିନୟ , କି ସେ ଆଉ ହସେଇବେନି । କାରଣ ହସୁଥିବା-ହସାଉଥିବା, କାନ୍ଦୁଥିବା- କନ୍ଦାଉଥିବା, ସମ୍ପୂର୍ଣ୍ଣ କଳାକାର ସତୀଶ କୌଶିକଙ୍କୁ ହରାଇଛି ବଲିଉଡ୍ । ୬୭ ବର୍ଷ ବୟସରେ ଅଚାନକ ହୃଦଘାତରେ ସତୀଶ କୈାଶିକଙ୍କ ଦେହାନ୍ତ ହୋଇଛି । ସତିଶ କୌଶିକଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି ପୂରା ବଲିଉଡ୍ ।

ମୃତ୍ୟୁ କେତେବେଳେ କେମିତି ଆସେ ତାହା କାହାକୁ ଜଣାନଥାଏ । ସତୀଶ କୌଶିକଙ୍କ ଜୀବନରେ ବି ସେମିତି ଆସିଥିଲା ମୃତ୍ୟୁ । ନିଜର ପରିବାର ସହ ବେଶ ବେଶ୍ ଧୁମଧାମରେ ସେ ହୋଲି ଖେଳିଥିଲେ । ହିନ୍ଦୀ ସିନେମା ଗୀତର ତାଳେ, ଅନ୍ୟମାନଙ୍କ ସହ ନାଚି ନାଚି ପାଳିଥିଲେ ହୋଲି । ଦିନକ ପୂର୍ବରୁ ମୁମ୍ବାଇରେ ସାଥୀ କଳାକାର ଓ ଅନ୍ୟମାନଙ୍କ ସହ ସବାନା ଆଜମିଙ୍କ ଘରେ ଆୟୋଜିତ ପାର୍ଟିରେ ସାମିଲ ହୋଇ ହୋଲି ଖେଳିଥିଲେ । ଦିନକ ପୂର୍ବରୁ ସେହି ସମୟର ଫଟୋ ସେୟାର କରିଥିଲେ । ତାପରେ ଦିଲ୍ଲୀ ଆସି ପରିବାର ସହ ହୋଲି ଖେଳିଥିଲେ । କିନ୍ତୁ ଅଚାନକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଆଉ ସେଠାରୁ ତାଙ୍କୁ ଫୋର୍ଟିଜ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରି ନଥିଲା । ଯାହାକୁ ସହଜରେ ବିଶ୍ୱାସ କରିପାରୁନାହାଁନ୍ତି ସାଥୀ ଅଭିନେତା ।

ସତୀଶ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ଫିଲ୍ମ ମିଷ୍ଟର ଇଣ୍ଡିଆର ‘କ୍ୟାଲେଣ୍ଡର’ ହେଉ କି ଦିୱାନା ମସ୍ତାନାର ପପୁ ପେଜର ସତିଶଙ୍କୁ ଦେଇଛି ଭିନ୍ନ ପରିଚୟ । ସେହିପରି ଫିଲ୍ମର ରାମଲଖନରେ ‘ କାଶୀରାମ’ ଚରିତ୍ର ସବୁବେଳେ ଲୋକଙ୍କ ମନରେ ରହିବେ । ନିଜର ଅଭିନୟ କ୍ୟାରିୟରରେ ସତିଶ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି । ଆଉ ତାଙ୍କର ସବୁ ଅଭିନୟ ଜୀବନ୍ତ ଥିବାବେଳେ ଫ୍ୟାନ୍ସଙ୍କ ମନକୁ ଛୁଇଁଥାଏ । ତାଙ୍କର ଏହି ଚମତ୍କାର ଅଭିନୟ ସବୁବେଳେ ଫ୍ୟାନ୍ସଙ୍କ ମନରେ ଜୀବନ୍ତ ରହିବ ।