ଭୂକମ୍ପ ପୀଡିତଙ୍କ ପାଇଁ ଭାରତୀୟ ଖୋଲିଦେଲେ ହୋଟେଲର ଉଭୟ ଦ୍ୱାର, ମାଗଣା ଖାଦ୍ୟ ସହ ୨୪ ଘଣ୍ଟିଆ ସେବା

312

କନକ ବ୍ୟୁରୋ : ତୁର୍କୀ ଓ ସିରିଆରେ ଘଟିଥିବା ଭୂକମ୍ପ କାରଣରୁ ୨୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି । ଉଭୟ ଦେଶର ଏଭଳି ସଂକଟ ସମୟରେ ସାରା ବିଶ୍ୱ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଆଗଭର ହୋଇଛି । ଭାରତ ସରକାର ମଧ୍ୟ ଯଥା ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି । ଏନଡିଆରଏଫ ଟିମ୍ ଭାରତ ତରଫରୁ ‘ଅପରେଶନ ଦୋସ୍ତ’ କ୍ରମରେ ୬ଟି ବିମାନରେ ସହାୟତା ସାମଗ୍ରୀ, ମୋବାଇଲ ହସ୍ପିଟାଲ ଓ ଅନ୍ୟ ଜରୁରୀ ସାମଗ୍ରୀ ସହ ପହଂଚିସାରିଛି । ଏହା ବ୍ୟତୀତ ସେଠାରେ ଥିବା ଭାରତୀୟମାନେ ମଧ୍ୟ ବ୍ୟକ୍ତିଗତ ଭାବେ ସହାୟତାର ହାତ ବଢାଇଛନ୍ତି ।

ଏହି କ୍ରମରେ ତୁର୍କୀ ଭୂକମ୍ପ ପୀଡିତଙ୍କ ପାଇଁ ଭଗବାନ ଭଳି ଉଭା ହୋଇଛନ୍ତି ଭାରତୀୟ ନାଗରିକ ଦୀପେନ୍ଦ୍ର । ଦୀପେନ୍ଦ୍ର ମଧ୍ୟପ୍ରଦେଶର ବୁରହାନପୁର ବାସିନ୍ଦା । ସେ ତୁର୍କୀର କେପେଡୋକିୟା ସହରରେ ନମସ୍ତେ ଇଣ୍ଡିଆ ନାମରେ ଏକ ହୋଟେଲ ଚଳାଇଛନ୍ତି । ଏହା ସହ ତାଙ୍କର ଦୁଇଟି ରେଷ୍ଟୁରାଣ୍ଟ ମଧ୍ୟ ରହିଛି । ଦୀପେନ୍ଦ୍ର ଏବେ ହୋଟେଲ ଓ ରେଷ୍ଟୁରାଣ୍ଟକୁ ଭୂକମ୍ପ ପୀଡିତଙ୍କ ପାଇଁ ପୁରା ଖୋଲି ଦେଇଛନ୍ତି । ଏଠାରେ ପୀଡତମାନେ ମନଇଚ୍ଛା ମାଗଣାରେ ଖାଦ୍ୟ ଖାଇପାରୁଛନ୍ତି ।

ଦୀପେନ୍ଦ୍ର କହିଛନ୍ତି କି ଯେଉଁଠାରେ ଭୂକମ୍ପ ହୋଇଛି ସେଠାରୁ ୨୨୦ କିଲୋମିଟର ଦୂରରେ ରହିଛି ତାଙ୍କ ହୋଟେଲ । ଏଠାକୁ ଆସୁଥିବା ଭୂକମ୍ପ ପୀଡିତମାନେ ମାଗଣାରେ ଖାଇବା ସହ ୩୦ ଜଣ ପୀଡିତ ଏଠାରେ ରହିଛନ୍ତି । ଏହାସହ ଯଦି କାହାକୁ ମେଡିକାଲ ସହାୟତା ଆବଶ୍ୟକ ପଡୁଛି ତେବେ ତାହା ବି କରୁଛନ୍ତି ଦୀପେନ୍ଦ୍ର ।

ସେପଟେ ତୁର୍କୀ ରାଷ୍ଟ୍ରପତି ରେସେପ ତେୟପ ଏଦୋଆନ ଭୂକମ୍ପ ଦ୍ୱାରା କ୍ଷତିଗ୍ରସ୍ଥ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି । ଭୂକମ୍ପ ଦ୍ୱାରା କ୍ଷତିଗ୍ରସ୍ଥ ହୋଇଥିବା ଘର ପୁଣି ଥରେ ସରକାରୀ ସହାୟତାରେ ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଭୂକମ୍ପରେ କ୍ଷତିଗ୍ରସ୍ଥ ପ୍ରତି ପରିବାରକୁ ୫୩୨ ଡଲାର ଲେଖାଏଁ ଦେବାକୁ ସେ ଘୋଷଣା କରିଛନ୍ତି ।