ତୁନିଶାଙ୍କ ମା’ଙ୍କ ବୟାନ । କହିଲେ, ସିଜାନ ମୋ ଝିଅକୁ ମାଡ ମାରୁଥିଲା ଓ କୋରାନ ପଢିବା ସହ  ବୁର୍ଖା ପିନ୍ଧିବାକୁ କରୁଥିଲା ବାଧ୍ୟ

245

କନକ ବ୍ୟୁରୋ : ଏଭଳି ଗୋଟେ ପରେ ଗୋଟେ ସଂଗୀନ ଅଭିଯୋଗ ଆଣିଛନ୍ତି ମୃତ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମା ବିନିତା ଶର୍ମା । ତୁନିଶାଙ୍କ ପୁରୁଷ ବନ୍ଧୁ ସିଜନାଙ୍କ ଉପରେ ଏହି ଅଭିଯୋଗ ଆଣି ନ୍ୟାୟ ଦାବି କରିଛନ୍ତି ବିନିତା । ଝିଅର ମୃତ୍ୟୁ ପାଇଁ ସିଜାନ ହିଁ ଦାୟୀ ବୋଲି ମୃତ ଅଭିନେତ୍ରୀଙ୍କ ମା କହିଛନ୍ତି । ତୁନିଶାଙ୍କ ଅନ୍ତିମ ସଂସ୍କାର ପରେ ମିଡିଆ ସାମ୍ନାକୁ ଆସି ବିନିତା ଏଭଳି କିଛି ଅଭିଯୋଗ ଆଣିଛନ୍ତି ଯାହା ମୃତ୍ୟୁ ମାମଲାର ମୋଡକୁ ବଦଳାଇପାରେ !

ବିନିତା କହିଛନ୍ତି ତୁନିଶା ଓ ସିଜାନ ମଧ୍ୟରେ କିଛି ଦିନ ହେବ କିଛି ବି ଠିକ୍ ନଥିଲା । ଅନ୍ୟ ଜଣେ ପ୍ରେମିକାକୁ ପାଇବା ପରେ ତୁନିଶା ସହ ବିଶ୍ୱାସ ଘାତକତା ଆରମ୍ଭ କରିିଥିଲା ସିଜାନ । ତୁନିଶାଙ୍କୁ ମାଡ଼ ମାରୁଥିଲା ସିଜାନ୍ । କେବଳ ସେତିକି ନୁହେଁ ଜୋର ଜବରଦସ୍ତି କୋରାନ ପଢିବାକୁ ଓ ବୁର୍ଖା ପିନ୍ଧିବାକୁ ବାଧ୍ୟ କରୁଥିଲା । ପ୍ରେମରେ ଅନ୍ଧଥିବା ତୁନିଶାଠୁ ସିଜାନ ଦାମୀ ଉପହାର ଦାବି କରୁଥିଲା । ସର୍ମ୍ପକରେ କମ୍ ଭଲ ପାଇବା ଓ ଅଧିକ ମାନସିକ ନିର୍ଯ୍ୟାତନା ମିଳୁଥିଲା ।

ମାମଲାରେ ପୁଲିସ ହାତରେ ହ୍ୱାଟସଅପ୍ ଚାଟ୍, ଫଟୋ ଓ ଏମିତି କିଛି ପ୍ରମାଣ ମିଳିଛି ଯାହାକୁ ନେଇ ୩ଶହ ଫର୍ଦ୍ଦର ଏକ ଚାର୍ଜସିଟ କୋର୍ଟରେ ଦାଖଲ ହୋଇଛି । ଅନ୍ୟପଟେ ୩ଥର ସିଜାନର ଜାମିନ ଆବେଦନ ଖାରଜ କରିସାରିଛନ୍ତି ବସେଇ କୋର୍ଟ । ତୁନିଶାଙ୍କ ମା କହିଛନ୍ତି ତୁନିଶାଙ୍କ ମୃତ୍ୟୁ ପାଇଁ ସିଜାନ ଦାୟୀ । ଯେଉଁ ପର୍ଯ୍ୟନ୍ତ ମୃତ ଝିଅକୁ ନ୍ୟାୟ ମିଳିନି ସେପର୍ଯ୍ୟନ୍ତ ଲଢେଇ ଜାରି ରଖିବେ । ନିକଟରେ ସୁଟିଂ ସେଟରେ ୨୦ବର୍ଷ ବୟସ୍କା ତୁନିଶାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ ଦେହ ମିଳିଥିଲା । ଘଟଣାରୁ ଦୁଇ ଦିନ ପରେ ପୁରୁଷ ବନ୍ଧୁ ସିଜାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ଜେରା ସମୟରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ତୁନିଶାଙ୍କ ଉପରେ ପାଲଟା ଅଭିଯୋଗ ଆଣୁଛନ୍ତି ଅଭିଯୁକ୍ତ ସିଜାନ୍ ।