ସ୍ମାର୍ଟସିଟିର ବଡ ମଲ୍ ଆଗରେ ବଡ ଟ୍ରାଫିକ ସମସ୍ୟା । ନାକେଦମ ହେଉଛନ୍ତି ଲୋକେ, ୫ ମିନିଟ୍ ସ୍ଥାନରେ ଲାଗୁଛି ଅଧଘଣ୍ଟା ।

39

କନକ ବ୍ୟୁରୋ : ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଂଚଳ କଡ଼ରେ ନୂଆ କରି ଗଢ଼ିଉଠିଥିବା ରାଜ୍ୟର ସବୁଠାରୁ ବଡ଼ ମଲ୍- ଏସପ୍ଲାନେଡ୍ ୱାନ୍ ଚାରିକଡ଼ରେ ଟ୍ରାଫିକ୍ ସମସ୍ୟା ଉକ୍ରଟ ରୂପ ଧାରଣ କରିଛନ୍ତି । ଇଡକୋ ଓ ପୂର୍ତ ବିଭାଗ ପକ୍ଷରୁ ରାସ୍ତାକୁ ଚଉଡ଼ା କରାଯାଉନଥିବାରୁ ସନ୍ଧ୍ୟାରେ ପ୍ରବଳ ଭିଡ଼ ହେଉଛି । ଏକ କମ୍ପାନୀ ପକ୍ଷରୁ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ମଲ୍ ତିଆରି କାର୍ଯ୍ୟ ୨ ବର୍ଷ ପୂର୍ବରୁ ଚାଲିଥିଲେ ସୁଦ୍ଧା ଇଡକୋ ଓ ପୂର୍ତ ବିଭାଗ ଏହାର ଚାରିପାଖେ ଥିବା ରାସ୍ତାକୁ ଚଉଡ଼ା କରିନଥିବା ଅଭିଯୋଗ ହୋଇଛି । ଯାହାଦ୍ୱାରା ସନ୍ଧ୍ୟା ହେବା ମାତ୍ରେ ମଲ ଆଗରେ ଆରମ୍ଭ ହୋଇଯାଉଛି ଭିଡ । ଏପରିକି ୫ ମିନିଟରେ ଯେଉଁ ସ୍ଥାନରେ ପହଞ୍ଚିବା କଥା ସେହି ରାସ୍ତାରେ ଆସିଲେ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି ।

ଅନ୍ୟପଟରେ ମଲରେ ମଲଟିପ୍ଲେକ୍ସ ଖୋଲିବା ପରେ ପ୍ରାୟ ୭ଟି ସିନେମା ହଲ୍ ଚାଲିବ । ଏହାପରେ ଭିଡ଼ ଆହୁରି ବଢ଼ିଯିବ । ଏତିକିବେଳେ ଟ୍ରାଫିକ୍ ପୋଲିସ୍ ପକ୍ଷରୁ ଭିଡ଼କୁ ନିୟନ୍ତ୍ରଣ କରାଯାଉନଥିବାରୁ କଟକ-ପୁରୀ ରୋଡରେ ସନ୍ଧ୍ୟା ବେଳେ ରାସ୍ତା ଅତିକ୍ରମ କରିବାକୁ ପ୍ରାୟ ୨୦ରୁ ୩୦ ମିନିଟ୍ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏଥିସହ ରସୁଲଗଡ଼ ଶିଳ୍ପାଂଚଳରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ମିଡିଆ ହାଉସକୁ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି । କର୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।