ଥରାଉଛି ଶୀତ । ରାଜ୍ୟର ତିନୋଟି ଅଂଚଳର ତାପମାତ୍ରା ୧୦ଡିଗ୍ରୀ ତଳେ

27

କନକ ବ୍ୟୁରୋ : ରାଜ୍ୟରେ ବଢୁଛି ଥଣ୍ଡାର ପ୍ରକୋପ । ଥଣ୍ଡା ପବନ ବହିବା ସହ ଶୀତର ଲହରୀ ଧୀରେ ଧୀରେ ବଢୁଛି । ରାଜ୍ୟରେ ତିନିଟିି ସ୍ଥାନର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଆଗକୁ ଆହୁରି ଥଣ୍ଡା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ସେଲସିୟସ ଥିବା ବେଳେ ଦାରିଙ୍ଗିବାଡ଼ିରେ ୮ ୮ ଡିଗ୍ରୀ ଏବଂ ହୀରାକୁଦରେ ୮.୯ ଡିଗ୍ରୀ ରହିଛି। ଏହି ୩ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ଏହି ସ୍ଥାନଗୁଡ଼ିକୁ ମିଶାଇ ମୋଟ ୧୯ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ପାରଦ।

ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ସର୍ବନିମ୍ନ ତାପମାତ୍ରା ତୁଳନାରେ ୩ରୁ ୪ ଡିଗ୍ରୀ କମ ରହିଛି । ଡିସେମ୍ବର ୨/୩ ତାରିଖ ବେଳକୁ ଆହୁରି ୨ ଡିଗ୍ରୀ ତଳକୁ ଖସିବ ପାରଦ। ତେବେ ଦିନେ ଦୁଇଦିନ ଭିତରେ ଚେନ୍ନାଇ ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୪ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢ଼ିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସୂଚନାନୁସାରେ ଆଜି ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଦିଗରୁ ଶୀତଳ ପବନ ବହୁଛି। ଉତ୍ତର ପଶ୍ଚିମ ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ଆଦି ସ୍ଥାନରେ ଶୀତଳ ଲହରୀ ପରିସ୍ଥିତି ଉପୁଜିଛି । ଫଳରେ ସେସବୁ ସ୍ଥାନରୁ ଥଣ୍ଡା ପବନ କେନ୍ଦ୍ରୀୟ ଭାରତ ଦେଇ ଓଡ଼ିଶାକୁ ପ୍ରବେଶ କରୁଛି। ବର୍ତମାନ ସାମୁଦ୍ରିକ ପବନ ଅତ୍ୟନ୍ତ କ୍ଷୀଣ ଗତିରେ ବହୁଥିବାରୁ ତାହା ଥଣ୍ଡା ପବନକୁ ପ୍ରତିହତ କରିପାରୁନାହିଁ। ସମଗ୍ର ରାଜ୍ୟରେ ପାଗ ଏବେ ସଂପୂର୍ଣ୍ଣ ଶୁଖିଲା। ଏଣୁ ୨/୩ ତାରିଖ ପର୍ୟ୍ୟନ୍ତ ଥଣ୍ଡା ଆହୁରି ୨ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।

ଯଦି ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳୀୟବାଷ୍ପ ବାୟୁମଣ୍ଡଳରେ ମିଶେ, ୩ ତାରିଖ ପରେ ତାପମାତ୍ରା ବଢ଼ିପାରେ। ଫୁଲବାଣୀ, ଦାରିଙ୍ଗିବାଡ଼ିକୁ ଛାଡ଼ିଦେଲେ, ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୮.୯ ଡିଗ୍ରୀ ଥିବା ବେଳେ ଭବାନୀପାଟଣାରେ ୧୦.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୧ ଡିଗ୍ରୀ, କେନ୍ଦୁଝରରେ ୧୧.୩ ଡିଗ୍ରୀ, ଝାରସୁଗୁଡ଼ାରେ ୧୧.୪ ଡିଗ୍ରୀ, ସମ୍ବଲପୁର, ଅନୁଗୁଳରେ ୧୨ ଡିଗ୍ରୀ, ସୋନପୁରରେ ୧୨.୨ ଡିଗ୍ରୀ, ବାରିପଦାରେ ୧୨.୪ ଡିଗ୍ରୀ, ବାଲେଶ୍ୱର ୧୩.୩ ଡିଗ୍ରୀ, ଢେଙ୍କାନାଳରେ ୧୩.୪ ଡିଗ୍ରୀ, ଟିଟିଲାଗଡ଼ରେ ୧୩.୫ ଡିଗ୍ରୀ, ବଲାଙ୍ଗୀର, ତାଳଚେରରେ ୧୪ ଡିଗ୍ରୀ, କୋରାପୁଟ, କଟକରେ ୧୪.୫ ଡିଗ୍ରୀ, ଭୁବନେଶ୍ୱରରେ ୧୪.୯ ଡିଗ୍ରୀ ରେକର୍ଡ କରାଯାଇଛି।