ଶ୍ରୀମନ୍ଦିର ପରିିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଲେ ଗଜପତି । କହିଲେ, ଶ୍ରୀମନ୍ଦିର ପାଇଁ ନାହିଁ କୌଣସି ବିପଦ…ସୁରକ୍ଷିତ ଅଛନ୍ତି ମହାପ୍ରଭୁ।

69

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ତେଜୁଥିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଗଜପତି ମହାରାଜ । କହିଛନ୍ତି, ଶ୍ରୀମନ୍ଦିର ପାଇଁ କୌଣସି ବିପଦ ନାହିଁ । ମହାପ୍ରଭୁଙ୍କ କାମକୁ କେହି ବିରୋଧ କରିବା ଉଚିତ ନୁହେଁ । ଆସନ୍ତା ବୁଧବାର ପରିକ୍ରମା ପ୍ରକଳ୍ପର ବେଆଇନ ନର୍ମାଣ ପ୍ରତିବାଦରେ ଶ୍ରୀକ୍ଷେତ୍ରରେ ବିଶାଳ ପଦଯାତ୍ରା ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି । ସେପଟେ ପ୍ରକଳ୍ପ ସପକ୍ଷବାଦୀ ସମାନ୍ତରାଳ ଭାବେ ମାର୍କେଟ ଛକରେ ଧାରଣା ଦେବେ ବୋଲି ସୂଚନା ମିଳିଛି । ଏପରି ସମୟରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଗଜପତି ଦିବ୍ୟସିଂହ ଦେବଙ୍କ ବୟାନ କଣ ପ୍ରଭାବ ପକାଇବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ପୁରୀ ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ମୁହଁ ଖୋଲି ପୁରୀ ଗଜପତି ମହାରାଜ କହିଛନ୍ତି , ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ ଏବଂ ମହାପ୍ରଭୁ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଠାକୁର ରାଜାଙ୍କ ଏହି ବୟାନ ସମସ୍ତଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବା କଥା । କାରଣ ଇତିହାସ କହୁଛି ଯୁଗେ ଯୁଗେ ଗଜପତି ମହାରାଜ ମହାପ୍ରଭୁଙ୍କ ସୁରକ୍ଷା କରିଆସୁଛନ୍ତି । କିନ୍ତୁ ବର୍ତ୍ତମାନର ବିବାଦ ଭିତରେ ଏବଂ ଆସନ୍ତା ୨୭ରେ ବିରୋଧୀ ପଦଯାତ୍ରା ପାଇଁ ପ୍ରସ୍ତୁତି କରୁଥିବାବେଳେ ମହାରାଜାଙ୍କ ଏହି ବୟାନକୁ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଦେଖିବାର ସମ୍ଭାବନା ରହିଛି ।

ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ପ୍ରସ୍ତୁତି କରୁଛନ୍ତି ବିରୋଧୀ । ଶରଧାବାଲିରୁ ସିଂହଦ୍ୱାର ଯାଏଁ ଏହି ପଦଯାତ୍ରା ବାହାରିବ । ଆଉ ଏହାକୁ ନେଇ ପୁରୀ ରାଜନୀତି ବି ସରଗରମ ହୋଇଛି । ସେପଟେ ଗଜପତି ମହାରାଜ କହିଛନ୍ତି ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଆଉ ସମସ୍ତେ ମିଳିମିଶି ମହାପ୍ରଭୁଙ୍କ ପ୍ରକଳ୍ପ କାମ ଆଗେଇ ନେବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି, ମହାପ୍ରଭୁଙ୍କ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ ।

  • ଐତିହ୍ୟ କରିଡରକୁ ନେଇ ସପକ୍ଷବାଦୀ ଓ ବିରୋଧୀ ମୁହାଁମୁହିଁ
  • ଏପଟେ ଚାଲିବ ପଦଯାତ୍ରା ସେପଟେ ଦିଆଯିବ ଧାରଣା

ପ୍ରକଳ୍ପ ବିରୋଧରେ କିଛି ସଙ୍ଗଠନ ପଦଯାତ୍ରା କରିବାକୁ ଥିବାବେଳେ ପୁରୀର ଆଉ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି । ପଦଯାତ୍ରା ବିରୋଧରେ ପୁରୀର ବିଭିନ୍ନ ସଙ୍ଗଠନ ଭିନ୍ନ ଭିନ୍ନ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି । ଏପରିକି ପଦଯାତ୍ରାକୁ ବିରୋଧ କରି ମାର୍କେଟ ଛକରେ ଧାରଣା ଦେବାକୁ ଘୋଷଣା କରିଛି ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚ । ସେପଟେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏଏସଆଇର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ପୂର୍ବରୁ ଆନ୍ଦୋଳନରେ ୫ ହଜାର ଲୋକଙ୍କୁ ନେଇ ସାମିଲ ହେବାକୁ କହିଥିଲେ । ଏବେ କହିଛନ୍ତି ପାଇକ ଆନ୍ଦୋଳନ ଯୋଗୁଁ ପୁରୀ ଯାଇପାରିବେ ନାହିଁ । ପୁରୀ ବିଧାୟକ କହିଛନ୍ତି, ପଦଯାତ୍ରାରେ ଆସି ବାସ୍ତବ ସ୍ଥିତି ପରଖନ୍ତୁ ଆନ୍ଦୋଳନକାରୀ । ତେବେ ଗୋଟିଏ ପଟେ ପ୍ରକଳ୍ପ କାର୍ଯ୍ୟ ନେଇ ଏଏସଆଇ ହାଇକୋର୍ଟରେ ତଥ୍ୟ ଦାଖଲ ନକରିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଦ୍ୱନ୍ଦ୍ୱ ବଢାଇଛି ।